Odiapua.com

ମନରେଗାରେ ନାଳ ସଂସ୍କାର କାର୍ଯ୍ୟକୁ ନେଇ ଅନିୟମତତା ଅଭିଯୋଗ, ତଦନ୍ତ ଦାବିରେ ବିଡିଓଙ୍କ ଦ୍ୱାରସ୍ତ

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ବୟାଙ୍ଗଡିହି ପଂଚାୟତର ଗୋଠିଣା ବିଲ୍ ମଝିରେ ଥିବା ହାଲୋଗଣ୍ଡା-ମହାରା ମାଟି ନାଳର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଅନିୟମିତତା ଅଭିଯୋଗ ଉଠିଛି। ଏନେଇ ଗ୍ରାମବାସୀ ଧାମନଗର ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, ମନରେଗା ଯୋଜନା ଅଧୀନରେ ଗୋଠିଣାଠାରୁ ହାଲୋଗଣ୍ଡା-ମହାରା ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ଲମ୍ବ ବିଶିଷ୍ଟ ମାଟି ନାଳର ପୁନରୁଦ୍ଧାର କାର୍ଯ୍ୟ ଚଳିତ ବର୍ଷ ଫେବୃଆରୀ ୪ରୁ ୧୦ ତାରିଖ ମଧ୍ୟରେ ସମ୍ପନ୍ନ ହୋଇଥିବା ମଷ୍ଟର ରୋଲ୍ ନଂ-୧୧୩୬୨ରେ ଦର୍ଶାଯାଇଛି। ଏଥିପାଇଁ ୫ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଥିବା ମଧ୍ୟ ରେକର୍ଡରେ ଉଲ୍ଲେଖ ରହିଛି। ତେବେ ଅଭିଯୋଗକାରୀ ଚାଷୀମାନଙ୍କ କହିବା ଅନୁଯାୟୀ, ନାଳରେ ଆବଶ୍ୟକୀୟ ସଫେଇ ଓ ଖନନ କାର୍ଯ୍ୟ ହୋଇନଥିବାରୁ ବର୍ତମାନ ମଧ୍ୟ ଏହା ବିଭିନ୍ନ ସ୍ଥାନରେ ଜଙ୍ଗଲ ରେ ଭରି ରହିଛି। ଫଳରେ ଆଗାମୀ ବର୍ଷା ଋତୁରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇ ଚାଷଜମି ଜଳମଗ୍ନ ହେବା ସହ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିବା ସେମାନେ ଦାବି କରିଛନ୍ତି। ସ୍ଥାନୀୟ ଚାଷୀମାନଙ୍କ ମତରେ, ଏହି ନାଳ ଉପରେ ଜାହାଙ୍ଗିର, ପୁରୁଷୋତମପୁର, କଂଟିଦୋଳ, ବିରୁହାଁ, ପାଟୁଳି, ଫଳପୁର, ବାଘୁଆରୀ, ଆମ୍ବିଳିଗାଁ, ଗୋଠିଣା, ଭଉଁରିଆବାଙ୍କ ଓ ଷୋଳଗାଁ ସମେତ ବହୁ ମୌଜାର ପ୍ରାୟ ୪ ହଜାର ଏକର ଚାଷଜମିର ଜଳ ନିଷ୍କାସନ ଓ ସେଚନ ବ୍ୟବସ୍ଥା ନିର୍ଭର କରିଥାଏ। ତେଣୁ ପ୍ରକଳ୍ପର କାର୍ଯ୍ୟକାରିତା ଓ ବ୍ୟୟ ସମ୍ପର୍କରେ ସଠିକ୍ ତଦନ୍ତ କରାଯାଇ ପ୍ରକୃତ ସ୍ଥିତି ସାମ୍ନାକୁ ଆଣିବାକୁ ସେମାନେ ଦାବି କରିଛନ୍ତି। ତେବେ ଏହି କାର୍ଯ୍ୟ ୨୦୨୫ – ୨୦୨୬ ବର୍ଷ ରେ କାର୍ଯ୍ୟ ହୋଇଥିଲା ସେତେବେଳେ କନିଷ୍ଟ ଯନ୍ତ୍ରୀ ଙ୍କ ବଦଳି ହୋଇ ଥିଲା।ପରେ ଯନ୍ତ୍ରୀ ପ୍ରଭାତ ବେହେରା ଉକ୍ତ କାର୍ଯ୍ୟ ର ୨ ଲକ୍ଷ ୪୦ ହଜାର ବିଲି କରିଥିଲେ। ତେବେ ପୁରୁଣା କାମ ରେ ବିଲି ହୋଇଚି ଏଥିରେ କୌଣସି ଅନିୟମିତତା ହୋଇ ନାହିଁବୋଲି ବିଭାଗୀୟ କନିଷ୍ଟ ଯନ୍ତ୍ରୀ ପ୍ରଭାତ ବେହେରା କହିଛନ୍ତି।ତେବେ ଘଟଣା ର ତଦନ୍ତ କରାଯିବ ବୋଲି ବିଡିଓ ବନବିହାରୀ ଦୀନ୍ଧା କହିଛନ୍ତି।