Odiapua.com

ମନରେଗାରେ ନାବାଳକଙ୍କୁ ଶ୍ରମିକ ଦର୍ଶାଇବା ମହଙ୍ଗା ପଡିଲା, ଗ୍ରାମ ରୋଜଗାର ସେବିକା ରୀତାରାଣୀ ମୁଦୁଲି କାର୍ଯ୍ୟରୁ ବହିଷ୍କୃତ

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅଧିନସ୍ଥ ଗୋପିନାଥ ପୁର ପଂଚାୟତରେ ସଂପୃକ୍ତ ଗ୍ରାମ ରୋଜଗାର ସେବିକା ଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି। ବିଗତ ଦିନରେ ଏହି ପଂଚାୟତରେ ସଂପୃକ୍ତ ଜିଆରଏସ ୧୦ ରୁ ଅଧିକ ନାବାଳକ ଙ୍କୁ ମନରେଗା କାର୍ଯ୍ୟରେ ଶ୍ରମିକ ବୋଲି ଦର୍ଶାଇ ସେମାନଙ୍କର ୮୪ ହଜାର ଟଙ୍କା ଅର୍ଥ ହଡପ କରିଥିଲେ। ଏ ନେଇ ପଂଚାୟତରେ ବହୁ ଜନତା ଅଭିଯୋଗ କରିବା ପରେ ଭଦ୍ରକ ଜିଲ୍ଲାପାଳ ଏହି କାର୍ଯ୍ୟର ତଦନ୍ତ ଆଦେଶ ଦେଇଥିଲେ। ତଦନ୍ତ କରିବା ପରେ ସଂପୃକ୍ତ ସରପଂଚ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ରୀତାରାଣୀ ମୁଦୁଲି ଏହି ଅର୍ଥ ଜମା କରିବାକୁ ନିର୍ଦେଶ ମଧ୍ୟ ଦିଆଯାଇଥିଲା। ସଂପୃକ୍ତ ଅଭିଯୁକ୍ତ ମାନେ ଜିଲ୍ଲାପାଳଙ୍କ ଚିଠି ଏବଂ ତଦନ୍ତ ରିପୋର୍ଟ ଅନୁଯାଇ ୯୬ହଜାରରୁ ଉର୍ଦ୍ଧ ଟଙ୍କା ଚାନ୍ଦବାଲି ବ୍ଲକ ବିଡିଓ ଙ୍କ ଆକାଉଂଟ ରେ ଜମା କରିଥିଲେ। ଏହି କଥାକୁ ନେଇ ସୁଚନା ଅଧିକାର କର୍ମୀ ହିମାଂଶୁ ଶେଖର ନାୟକ କାହିଁକି ସଂପୃକ୍ତ ଅଧିକାରୀ ମାନଙ୍କୁ କାର୍ଯ୍ୟରୁ ନିଲମ୍ବନ ଏବଂ ବହିଷ୍କୃତ କରାଯିବ ନାହିଁ ବୋଲି ନିଜର ଦାବୀ ଉପସ୍ଥାପନ କରିଥିଲେ। ଜନସାଧାରଣଙ୍କ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲାପାଳ ନିଜର ପତ୍ର ସଂଖ୍ୟା ୧୯୧୦/ଜିପି,୧ଡିସେମ୍ବର ୨୦୨୪ରେ ଗୋପିନାଥ ପୁର ଗ୍ରାମ ରୋଜଗାର ସେବିକା (ଜିଆରଏସ)ରିତାରାଣୀ ମୁଦୁଲିଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି।ଅନ୍ୟ ପକ୍ଷରେ ଏହି କାର୍ଯ୍ୟରେ ସଂଶ୍ଳିଷ୍ଠ ଥିବା ସରପଂଚ ଏବଂ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ , କନିଷ୍ଠଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଏବଂ ତତକାଳୀନ ବିଡିଓଙ୍କ ଭୂମିକା ସନ୍ଦେହ ଜନକ ଥିବା ବେଳେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ଗଲା ନାହିଁ ଏହାକୁ ନେଇ ଅଂଚଳବାସୀ ପ୍ରଶ୍ନ କରିବା ସହ ଆଗାମୀ ଦିନରେ ସେମାନେ ଗୋପିାନାଥ ପୁର ପଂଚାୟତରେ ହୋଇଥିବା ମନରେଗା ଦୁର୍ନୀତିରେ ସଂଶ୍ଳିଷ୍ଠ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଶରତ ସେନାପତି ନିଜର ପ୍ରତିକ୍ରିୟା ରଖିଛନ୍ତି।ଅନ୍ୟ ପକ୍ଷରେ ଏହା ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ଏଭଳି ଦୁର୍ନୀତି ଖୋର ବ୍ୟକ୍ତି ବିଶେଷ ଦିନକୁ ଦିନ ସାବଧାନ ରହିବା ଜରୁରୀ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।