Odiapua.com

ମଧ୍ୟାହ୍ନଭୋଜନ ଚାଉଳ ଚୋରି ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ, ଅଭିଯୋଗର ସତ୍ୟତା ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ : ବିଇଓ

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ବିଦ୍ୟାଧରପୁର ପ୍ରାଥମିକ ସ୍କୁଲରୁ ମଧ୍ୟାହ୍ନଭୋଜନ ଚାଉଳ ଚୋରି ହେବାନେଇ ଅଭିଯୋଗ ହୋଇଥିଲା।ଏସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଏବଂ ପରେ ଜିଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୨ତାରିଖ ଅପରାହ୍ନରେ ସ୍କୁଲର ପ୍ରଧାନଶିକ୍ଷକ ୪ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲରୁ ଚୋରିକରି ଏକ ଅଟୋରେ ନେଇ ଯାଉଥିଲେ । କେତେକ ଗ୍ରାମବାସୀ ଏହା ଜାଣିପାରି ରାସ୍ତାରେ ଅଟୋକୁ ଅଟକାଇ ସ୍କୁଲକୁ ଚାଉଳ ଫେରାଇ ଆଣିଥିଲେ । ପରେ ସେମାନେ ଏ ସମ୍ପର୍କରେ ବିଇଓ ଏବଂ ସିଆରସିସିଙ୍କୁ ଜଣାଇଥିଲେ । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ସେମାନେ ଗତ ୨୪ତାରିଖରେ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ସବ୍ୟସାଚୀ ପଣ୍ଡା, କରୁଣାକର ନାୟକ, କନକ ଲତା ପଣ୍ଡା, ରତ୍ନାକର ପଣ୍ଡା, କବିତା ସାହୁ, ବିଶ୍ୱଜିତ ସାହୁ, ମିନତୀ ଜେନା ପ୍ରମୁଖ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଜିଲାପାଳ ଦିଲୀପ ରାଉତରାଏ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଏସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ସୂର୍ଯ୍ୟଶିଖା ମହାନ୍ତିଙ୍କୁ ପଚାରିବାରୁ ସେକହିଛନ୍ତି ଯେ, ମଧ୍ୟାହ୍ନଭୋଜନ ଚାଉଳ ଚୋରି ଅଭିଯୋଗ ଉପରେ ତଦନ୍ତ ଚାଲିଛି ଅଭିଯୋଗ ସତ୍ୟପ୍ରମାଣିତ ହେଲେ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।