Odiapua.com

ମଦ ମାଫିଆ ଶ୍ୟାମନାରାୟଣ ଗୁପ୍ତା ଓ ଗାଡି ଚାଳକ ଗିରଫ

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର କୁଖ୍ୟାତ ମଦ ମାଫିଆ ଶ୍ୟାମନାରାୟଣ ଗୁପ୍ତା ପୁଣି ଥରେ ଚୋରା ଦେଶୀ ମଦ ଚାଲାଣ କରିବା ଅଭିଯୋଗରେ ଗିରଫ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାପଡେ ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ବାଲିପୋଖରୀ ନିକଟ କଇଁସିରା ନିକଟରେ ଏକ ନାମୀଦାମୀ କାର୍ ଟାଟା ଆରିୟରରେ ଭଦ୍ରକର କୁଖ୍ୟାତ ମଦ ମାଫିଆ ଶ୍ୟାମନାରାୟଣ ଗୁପ୍ତା ଚୋରାରେ ଦେଶୀ ମଦ ନେଇ ଆଖୁଆପଦା ଆନିକଟ ଦିଗରୁ ଆସୁଥିବାବେଳେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଧରିବାରେ ସକ୍ଷମ ହୋଇଛି । ଶ୍ରୀ ଗୁପ୍ତା ଅତୀତରେ ଏହିଭଳି ସ୍ଥାନୀୟ ଅବକାରୀ ବିଭାଗ ଓ ପୁଲିସ୍ ବିଭାଗକୁ ହାତ କରି ଚୋରାରେ ଦେଶୀ ମଦ ବ୍ୟବସାୟ କରିଆସୁଥିବାବେଳେ ଗିରଫ ହୋଇ ଜେଲ୍‌ରେ ରହିଥିଲା । ପରବର୍ତ୍ତୀ ସମୟରେ ଜାମିନ୍‌ରେ ଯାଇ ପୁଣିଥରେ ଉକ୍ତ ବ୍ୟବସାୟ କରୁଥିବା ବିଷୟ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା । ଫଳରେ ଗୁଇନ୍ଦା ବିଭାଗର କମିଶନର ନୃସିଂହ ଭୋଳଙ୍କ ନିର୍ଦ୍ଦେଶ ତଥା ସହକାରୀ କମିଶନର ରଜତ ପ୍ରହରାଜଙ୍କ ଗୁଇନ୍ଦା ତଥ୍ୟକୁ ଭିତ୍ତିକରି ଅବକାରୀ ଅଧିକାରୀ ସତ୍ୟଜିତ୍ ଖଟୁଆ, ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ପୂର୍ଣ୍ଣଜିତ୍ ମହାପାତ୍ର, ଅଶ୍ୱିନୀ ପରିଡା ଓ ରାଜେଶ କିଶାନ ପ୍ରମୁଖ ଶ୍ରୀ ଗୁପ୍ତାଙ୍କ ଗାଡି ଉପରେ ଚଢାଉ କରିଥିଲେ । ଉକ୍ତ ଗାଡିରୁ ୩ ଶହ ଲିଟର ଦେଶୀ ମଦ ଜବତ ହୋଇଛି । ଏହି ମାମଲାରେ ଶ୍ରୀ ଗୁପ୍ତା ଓ ଗାଡି ଚାଳକ ସୁଧାକର ଦାସଙ୍କୁ ଗିରଫ କରାଯାଇ କେଶ୍ ନଂ ୪୫୫/୨୩ ମୂଳେ ମାମଲା ରୁଜୁ ହୋଇ ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।