Odiapua.com

ମଦ ଦୋକାନର ଗଚ୍ଛିତ ମଦ ହେରଫେର, ମାଜିଷ୍ଟ୍ରେଟଙ୍କ ଦ୍ୱାରା ଦୋକାନ ବନ୍ଦ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ଧରି କରୋନା ପାଇଁ ମଦ ଦୋକାନ ଗୁଡିକ ବନ୍ଦ ଥିବା ପରେ ରାଜସ୍ୱ ବୃଦ୍ଧି ନେଇ ସରକାର ମଦ ଦୋକାନ ଖୋଲିବାର ନିଷ୍ପତ୍ତି ନେଲେ ଏବଂ ଶତକଡା ୫୦ ଭାଗ କୋଭିଡ୍ ଫଣ୍ଡକୁ ଯିବାର ଘୋଷଣା ପରେ ମଦ ଦୋକାନ ଗୁଡିକ ଅନ୍‌ଲାଇନ୍‌ରେ ଖୋଲାଯିବାର ସ୍ଥିର ହୋଇଛି । ଏହାର ତଦନ୍ତ ଦାୟିତ୍ୱ ସ୍ଥାନୀୟ ଅଂଚଳର ତହସିଲଦାରମାନଙ୍କୁ ଦିଆଯାଇଛି । ମାତ୍ର ଧାମନଗର ଅଂଚଳରେ କେତେକ ମଦ ଦୋକାନୀ ଏହି ନିୟମକୁ ଉଲ୍ଲଂଘନ କରିବା ସହ ରାଜସ୍ୱ ଫାଙ୍କିବା ଅଭିଯୋଗ ନେଇ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଆଜି ଧାମନଗର ତହସିଲଦାର ରାଧାକାନ୍ତ ବାରିକ,ଅତିରିକ୍ତ ତହସିଲଦାର ଅଭିଲିପ୍ସା ପଟ୍ଟନାୟକ, ଅବକାରୀ ବିଭାଗର ଇନ୍ସିପେକ୍ଟର ସନ୍ତୋଷ ବରାଳ ପ୍ରମୁଖ ଧାମନଗର, ଅସୁରାଳି, ଦୋବଲ ଆଦି ସରକାରୀ ମଦ ଦୋକାନକୁ ଯାଞ୍ଚ କରିଥିଲେ । ଦୋବଲ ସରକାରୀ ମଦ ଦୋକାନ ଯାଞ୍ଚ ବେଳେ ଅତିରିକ୍ତ ତହସିଲଦାର ଅଭିଲିପ୍ସା ପଟ୍ଟନାୟକ ଓ ଅବକାରୀ ଇନ୍ସିପେକ୍ଟର ଶ୍ରୀ ବରାଳ ତଦନ୍ତ କରିଥିଲେ । ତଦନ୍ତ ବେଳେ ଆବଶ୍ୟକୀୟ କାଗଜପତ୍ର ଠିକ୍ ନଥିଲା । ମଦ ଗୁଡିକର ସେଲ୍ ଓ ଷ୍ଟକ୍‌ର ତାଳମେଳ ନଥିବାବେଳେ ଅନଲାଇନ୍ ମଦ ବିକ୍ରିର ରେଜିଷ୍ଟର ମଧ୍ୟ ସଠିକ୍ ନଥିବାର ଦେଖାଯାଇଥିଲା । ଫଳରେ ସରକାରୀ ନିୟମ ଉଲ୍ଲଂଘନ ନେଇ ଅତିରିକ୍ତ ତହସିଲଦାର ଉକ୍ତ ଦୋକାନକୁ ବନ୍ଦ କରିଦେଇଥିଲେ । ପରବର୍ତ୍ତୀ ସମୟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପରେ ଦୋକାନ ଖୋଲାଯିବ ବୋଲି ଅତିରିକ୍ତ ତହସିଲଦାର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଏହି ଦୋକାନର ଅନିୟମିତତା ନେଇ ପୂର୍ବରୁ ବହୁ ଅଭିଯୋଗ ରହିଥିଲା ବୋଲି ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।