Odiapua.com

ମଦମୃତ୍ୟୁ ତଦନ୍ତ ରିପୋର୍ଟ ଶୂନ୍ୟରେ ଉଭେଇଗଲା, ଚରମସୀମାରେ ପହଞ୍ôଚଛି ଚୋରା ମଦ କାରବାର, କରୋନା କଟକଣା ବେପାରୀଙ୍କୁ ସୁହାଉଛି

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ମଦ ମାଫିଆମାନେ ଚୋରାରେ ମଦ ଆଣି କାରବାର ଚଳାଇଥିଲେ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ଥାନା ଅନ୍ତର୍ଗତ ପୀରହାଟ ଅଂଚଳରୁ ୯ ଜଣ ଓ ଚାନ୍ଦବାଲି ଥାନା ଅଂଚଳରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ମଦମୃତ୍ୟୁକୁ ନେଇ ସେତେବେଳେ ଜିଲା ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା । ଶେଷରେ ଭଦ୍ରକ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ଓ ଚାନ୍ଦବାଲି ପୁଲିସ୍ ପକ୍ଷରୁ ୧୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏମାନଙ୍କ ମଧ୍ୟରୁ ତିହିଡି ପୁଲିସ୍ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ୫ ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୧୨ ଅଭିଯୁକ୍ତ ହାଇକୋର୍ଟରୁ ଜାମିନ୍‌ରେ ଆସିଥିଲେ । ନିର୍ବାଚନ ପୂର୍ବଦିନ ରାତିରେ ଦଳୀୟ କର୍ମୀମାନେ ମଦ ପିଇ ଲୋକଙ୍କୁ ମଦ ପିଆଇଥିଲେ । ଏକ ନିର୍ଦ୍ଦିଷ୍ଟ ଦଳର ନେତାଙ୍କ ପାଇଁ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ ହେଲା ବୋଲି ସେତେବେଳେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଅଭିଯୋଗ କରି ଆନ୍ଦୋଳନ ଚଳାଇଥିଲେ । ଏହି ଆନ୍ଦୋଳନକୁ ସମର୍ଥନ କରି ଜିଲାସାରା ମଦ ବିରୋଧୀ ଆନ୍ଦୋଳନ କରି ଜିଲାସାରା ମଦ ବିରୋଧୀ ଆନ୍ଦୋଳନ ଚାଲିଲା । ଗାଁ ଗାଁରୁ ମହିଳାମାନେ ଆଗକୁ ଆସି ମଦ ବିରୋଧୀ ଆନ୍ଦୋଳନ ଚଳାଇଲେ । ଏବେବି ସେହିସବୁ ଗାଁର ମହିଳା, ଯୁବଗୋଷ୍ଠୀ ମଦ କାରବାର କି ମଦ ବେପାରୀଙ୍କୁ ଦେଖିଲେ ଠେଙ୍ଗା ବାଡି ଧରି ଗୋଡାଉଛନ୍ତି । ମାତ୍ର ସରକାରୀ କଳ ଏହି ମଦ ମୃତ୍ୟୁକୁ ଚାପିଦେଲେ । ୨୦୧୯ ର ଏହି ହୃଦୟ ବିଦାରକ ଦୃଶ୍ୟ ଆଜିପର୍ଯ୍ୟନ୍ତ ଜିଲାବାସୀଙ୍କ ମନରୁ ଲିଭିନାହିଁ । ମଦ ମୃତ୍ୟୁରେ ଅନେକ ପରିବାର ବେସାହାରା ହୋଇଥିବାବେଳେ ଜିଲାରେ ଚୋରା ମଦ କାରବାର ଚରମ ସୀମାରେ ପହଞ୍ôଚଛି । ଜିଲା ତମାମ୍ ଚୋରା ମଦ କାରବାର ଚାଲିଥିବାବେଳେ ଅବକାରୀ ବିଭାଗ, କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଓ ଜିଲା ପୁଲିସ୍ ପକ୍ଷରୁ ଯେତେ ଟାର୍ଗେଟ୍ କରି ଚଢଉ କଲେ ମଧ୍ୟ ମଦ କାରବାର ବଢାଇ ଚାଲିଛନ୍ତି ।

ଜିଲାରେ ଏଭଳି ଚୋରା ମଦ ମାଫିଆଙ୍କ ସାମ୍ରାଜ୍ୟ ଛୁଇଁବାକୁ କେହି ସାହସ ଜୁଟାଇ ପାରୁନାହାଁନ୍ତି । କରୋନା କଟକଣା ଚୋରା ମଦ ବେପାରୀଙ୍କୁ ସୁହାଉଛି । କରୋନାରେ ରୋଜଗାର ହରାଇ ଏବେବି ଚୋରା ମଦ ପିଇ ବହୁ ପରିବାର ବେସାହାରା ହୋଇ ପଡିଛନ୍ତି । ପ୍ରତିଦିନ ପୁଲିସ୍ ଓ ଅବକାରୀ ବିଭାଗର ଚଢାଉ ଚାଲିଛି । ମାତ୍ର ଚୋରା ମଦ କାରବାର ବନ୍ଦ ହେଉନି । ପୁଲିସ୍ ହେଉକି ଅବକାରୀ ବିଭାଗ କେବଳ ଲୋକ ଦେଖାଣିଆ ଚୋରା ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବର୍ଷ ତମାମ୍ କିଛି ମାମଲା ରୁଜୁ କରୁଛନ୍ତି । ଜିଲା ଅବକାରୀ ବିଭାଗର ତଥ୍ୟ ଅନୁସାରେ ଜିଲାରେ ୩୫ ଟି ଲାଇସେନସ୍ ପ୍ରାପ୍ତ ସରକାରୀ ବିଦେଶୀ ମଦ ଦୋକାନ ଖୋଲାଯାଇଥିବାବେଳେ ୨୦ ଟି ଲାଇସେନସ୍ ପ୍ରାପ୍ତ ଦେଶୀ ମଦ ଦୋକାନ ଖୋଲାଯାଇଛି । ଏହିସବୁ ଦୋକାନରେ ସରକାରଙ୍କ ନିୟମ ଅନୁଯାୟୀ ମଦ ବିକ୍ରି କରାଯାଉଛି । ଯେଉଁମାନେ ଚୋରାରେ ମଦ ବିକ୍ରି କରୁଛନ୍ତି, ସେଭଳି ଚୋରା ବେପାରୀଙ୍କୁ ଚଢାଉ କରାଯାଇ ଗିରଫ କରାଯାଉଛି ବୋଲି ଜିଲା ଅବକାରୀ ଇନ୍ସିପେକ୍ଟର ପ୍ରକାଶ କରିଛନ୍ତି । ନୂତନ ଏସ୍‌ପି ଭାବେ ଚରଣ ସିଂ ମୀନା ଯୋଗ ଦେବା ପରେ ଗତ ୬ ମାସ ଧରି ସେ ଚୋରା ମଦ, ଗଂଜେଇ ଓ ବ୍ରାଉନସୁଗାର ବେପାରୀଙ୍କୁ ଟାର୍ଗେଟ୍ କରି ଚଢାଉ କରାଯାଉଛି । ଚଢଉରେ ବହୁ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗତ ଜାନୁଆରୀ ମାସରୁ ଜୁନ୍ ମାସ ମଧ୍ୟରେ ଜିଲାରେ ମୋଟ ୭୧୬ ଟି ଅବକାରୀ ମାମଲା ରୁଜୁ କରାଯାଇଛି । ଏହି ଚଢାଉ ବେଳେ ଚୋରା ମଦ ବେପାରୀଙ୍କ ଠାରୁ ୧୩୯୮୨.୩୬ ଲିଟର ଦେଶୀ ମଦ ଜବତ କରାଯାଇଥିବାବେଳେ ୧୩୩୪.୭୨ ବିଦେଶୀ ମଦ ଜବତ କରାଯାଇଛି । ଏହି ଚୋରା ମଦ କାରବାରରେ ମୋଟ ୭୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।