Odiapua.com

ମଦଭର୍ତ୍ତି ପିକଅପ୍‌-କାର୍ ଜବତ୍‌ – ୩ ଗିରଫ

ବାଲେଶ୍ୱର, ୧୬ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ ହୋଇ ଚୋରା ଦେଶୀମଦ ଭର୍ତ୍ତି ଗୋଟିଏ କାର ଓ ଏକ ପିକଅପ ଭ୍ୟାନ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ପୁରୁଣା ବାଲେଶ୍ୱରରୁ ଦେଶୀମଦ ନେଇ ଦୁଇଗୋଟି ଗାଡ଼ି ସଲଟ୍ ରୋଡ଼ରେ ଭଦ୍ରକ ଯାଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରରୁ ଖବର ପାଇ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ଼ ସମେତ ସଦର ଶାଖା ଚଡ଼ଉ କରିଥିଲା। ସହରର ବଙ୍କାଖଜିର ଛକନିକଟରେ ଗାଡ଼ି ଦୁଇଟି ସଲଟ୍ ରୋଡ଼କୁ ଯାଉଥିବା ବେଳେ ଅବକାରୀ ଟିମ୍ ସେମାନଙ୍କୁ ଅଟକାଇଥିଲେ। ଯାଞ୍ଚ କରିବା ପରେ ସେହି ଦୁଇଗାଡ଼ିରେ ଚୋରାଦେଶୀମଦ ଥିବା ଦେଖିବାକୁ ମିଳିଥିଲା। ଓଆର୧୪ଏଫ/୦୧୭୧ ନଂ ମାରୁତି କାରରେ ୪୦୦ ଲିଟର ଏବଂ ଓଡି୦୧ଏସ/୨୬୦୬ନଂର ପିକଅପ୍ ଭ୍ୟାନରୁ ୨୦୦ ଲିଟର ମଦ ଅବକାରୀ ଟିମ୍ ଜବତ କରିଥିଲା। ମାରୁତି କାରର ଡ୍ରାଇଭର ଭଦ୍ରକ ଜିଲ୍ଲା ବାସୁଦେବୁର ଥାନା ଅନ୍ତର୍ଗତ ସୁଦର୍ଶନପୁର ଅଞ୍ଚଳର କୁମୁଦ ପଲେଇଙ୍କ ପୁତ୍ର କମଳ ଲୋଚନ ପଲେଇ (୩୮) ଓ ହେଲପର ଚାନ୍ଦିପୁର ଥାନା ଅନ୍ତର୍ଗତ ପୁରୁଣାବାଲେଶ୍ୱର ଅଞ୍ଚଳର ଧ୍ରୁବଚରଣ ଘଡ଼େଇଙ୍କ ପୁତ୍ର ରବୀନ୍ଦ୍ର ଘଡ଼େଇ (୨୧) ଏବଂ ପିକଅପ୍ ଡ୍ରାଇଭର ଖନ୍ତାପଡ଼ା ଅଞ୍ଚଳର ହରିହର ଦାସଙ୍କ ପୁତ୍ର ରାଜେଶ କୁମାର ଦାସ(୨୫)କୁ ଅବକାରୀ ଟିମ୍ ଗିରଫ କରିଛି। ଏନେଇ ଦୁଇଗୋଟି ମାମଲା ରୁଜୁ ସହ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଦୁଇଗୋଟି ଗାଡ଼ିରେ ପୁରୁଣାବାଲେଶ୍ୱରରୁ ମଦନେଇ ସେମାନେ ସଲଟରୋଡ଼୍‌ରେ ସୋର, ଅନନ୍ତପୁର ଦେଇ ବାସୁଦେବପୁର ଭଦ୍ରକ ଅଞ୍ଚଳକୁ ଯାଇ ସେଠାକାର ବେପାରୀଙ୍କୁ ଦେଇଥା’ନ୍ତେ ବୋଲି ଅଭିଯୁକ୍ତମାନେ କହିଛନ୍ତି। ପୂର୍ବରୁ ମଧ୍ୟ ବହୁବାର ପୁରୁଣାବାଲେଶ୍ୱରରୁ ମଦନେଇ ଭଦ୍ରକ ଅଞ୍ଚଳକୁ ଚାଲାଣ କରିଛନ୍ତି ବୋଲି ସେମାନେ ସୂଚନା ଦେଇଛନ୍ତି। ଶେଖ୍ ଅସରଫ୍ ଅଲ୍ଲି, ଗାଲୁରାମ ସୋରେନ୍‌, ପ୍ରବୀଣ କୁମାର ପ୍ରଧାନ, କୁଳମଣି ମହାରଣା, ବ୍ରଜମୋହନ ମଲ୍ଲିକ ପ୍ରମୁଖ ଅଧିକାରୀଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଆଜିର ଏହି ଚଢ଼ଉରେ ସାମିଲ ହୋଇଥିଲେ।