Odiapua.com

ମଦଦୋକାନ ସ୍ଥାନାନ୍ତର ନେଇ ମାଳ ମାଳ ଅଭିଯୋଗ, ପ୍ରଶାସନର ଦ୍ୱାରସ୍ତ ହେଲେ ଚରମ୍ପା ଓ ବରଦା ଗ୍ରାମବାସୀ

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ନୂଆ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେବା ପରେ ମାଳ ମାଳ ଅଭିଯୋଗ ପ୍ରଶାସନ ନିକଟକୁ ଲମ୍ବିଚାଲିଛି। ନଦୀଗାଁ ମଦ ଦୋକାନକୁ ନେଇ ଆନ୍ଦୋଳନ ଚାଲିଥିବାବେଳେ ଆଜି ଗଦି ଓ ଘଂଟେଶ୍ୱର ମୁଖ୍ୟ ରାସ୍ତାରେ ମଦ ଦୋକାନର ସ୍ଥାନାନ୍ତରୀକରଣ ନେଇ ବରଦା ଗ୍ରାମବାସୀମାନେ ଆଜି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀମାନେ ଅତିରିକ୍ତ ଜିଲାପାଳଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏମାନଙ୍କର ଅଭିଯୋଗ ହେଲା ବ୍ଲକ୍‌, ମେଡିକାଲ ଓ ସମସ୍ତ ସରକାରୀ ଅଫିସ୍‌, କଲେଜକୁ ଯିବାଆସିବା ମୁଖ୍ୟ ରାସ୍ତାରେ ସରକାରୀ ମଦ ଦୋକାନ ଖୋଲାଯାଇଅଛି। ମୁଖ୍ୟରାସ୍ତାକୁ ଲାଗି ଏହି ସରକାରୀ ମଦ ଦୋକାନ ଖୋଲାଯାଇଥିବାରୁ ରାସ୍ତାରେ ସବୁବେଳେ ଟ୍ରାଫିକ୍ ଜାମ୍ ହେବା ସହ ମଦୁଆମାନଙ୍କର ଉତ୍ପାତ ବଢିଯାଇଛି। ଏହି ମଦଦୋକାନ ଯୋଗୁଁ ଉଠାଦୋକାନୀ ମଧ୍ୟ ସେହି ରାସ୍ତା ମଝିରେ ବେପାର ଚଳାଇଛନ୍ତି। ପୂର୍ବରୁ ଅବସ୍ଥିତ ଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନକୁ ୨୦୧୯ ମସିହାରେ ଅବକାରୀ ନିରୀକ୍ଷକ ସ୍ଥାନ ନିରୂପଣ କରିବା ପାଇଁ ଆସିଥିଲେ। ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଏଠାରେ ମଦ ଦୋକାନ ସ୍ଥାପନ କରାଗଲା ନାହିଁ। ଏବେକାର ଅବକାରୀ ନିରୀକ୍ଷକ ବିନା କ୍ଷେତ୍ରୀୟ ତଦନ୍ତ ନକରି ମନଇଚ୍ଛା ଏହିସ୍ଥାନରେ ଠିପିବନ୍ଦ ବିଦେଶୀ ମଦଦୋକାନ ଖୋଲିବା ପାଇଁ କିପରି ଅନୁମତି ଦେଲେ, ତାହା ଦୁର୍ଭାଗ୍ୟଜନକ। ଏହି ମୁଖ୍ୟ ରାସ୍ତାରେ ସବୁବେଳ ପାଇଁ ଯାନବାହନ ଚଳାଚଳ ହୋଇଥାଏ। କଲେଜର ଶହ ଶହ ଛାତ୍ରଛାତ୍ରୀ ଏହି ରାସ୍ତାରେ ଯିବାଆସିବା କରିବା ସହ ବହୁ ମହିଳା ଦୈନିକ କାମଧନ୍ଦା ପାଇଁ ବିଳମ୍ବିତ ରାତି ଯାଏ ଯିବାଆସିବା କରିଥାନ୍ତି। ଜିଲା ପ୍ରସିଦ୍ଧ ଏହି ଅଂଚଳର ପାଟଣା ମଙ୍ଗଳା ମନ୍ଦିରକୁ ଯିବାପାଇଁ ଏହି ରାସ୍ତାରେ ଶ୍ରଦ୍ଧାଳୁମାନେ ଯାତାୟତ କରିଥାନ୍ତି। ଏହାବ୍ୟତୀତ ଲୋକମାନେ ଗାଡି ରଖି ରାସ୍ତାରେ ମଦ ପିଇ ଉତ୍ପାତ କରିଥାନ୍ତି। ଅଧିକାଂଶ ସମୟରେ ଝିଅବୋହୂଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବାର ଆଶଙ୍କା ପ୍ରକାଶ ପାଇଛି। ଏଣୁ ଗ୍ରାମବାସୀଙ୍କ ନିରାପଦ ଜୀବନ ଯାପନ ପାଇଁ ଏହି ମଦ ଦୋକାନକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁଙ୍କୁ ଦାବିପତ୍ର ପ୍ରଦାନ ସମୟରେ ବରଦା ଗ୍ରାମର ଅନାଦି ଚରଣ ବାରିକ, ମାନସ ଧଳ, କହ୍ନେଇ ପଲାଇ, ତାରାକାନ୍ତ ଧଳ, ସୁବାଷ ସାମଲ, ମହେନ୍ଦ୍ର ଧଳ, ରାଜେନ୍ଦ୍ର ପଲାଇ, ଅଭୟ ନାୟକ, ରାଜେଶ ଧଳ, ଜ୍ୟୋତିର୍ମୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭଦ୍ରକ ସହରର ଚରମ୍ପା ରେଳଷ୍ଟେସନ ପାଖରେ ନୂତନ ଭାବେ ଖୋଲାଯାଇଥିବା ଦେଶୀ ମଦଭାଟିକୁ ବିରୋଧ କରି ୧, ୨ ଓ ୩ ନଂ ୱାର୍ଡବାସିନ୍ଦା ଅତିରିକ୍ତ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ପାଇଁ ୱାର୍ଡବାସୀଙ୍କ ତରଫରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି।