Odiapua.com

ମତ୍ସ୍ୟ ଯୋଜନା ପାଇଁ ଆବଶ୍ୟକ ହେଉଥିବା କିଛି ପଦକ୍ଷେପ ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା

ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଭୂମିକା ଉଲ୍ଲେଖନୀୟ। ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବାପାଇଁ ଏକ ଉତ୍ତମ ମତ୍ସ୍ୟ ଯୋଜନାର ଆବଶ୍ୟକତା ଅଛି। ତେଣୁ ଆସନ୍ତୁ ଜାଣିବା ସଫଳ ମତ୍ସ୍ୟ ଯୋଜନା ପାଇଁ ଆବଶ୍ୟକ ହେଉଥିବା କିଛି ପଦକ୍ଷେପ ସମ୍ପର୍କରେ।

୧. ଯୋଜନା ପ୍ରସ୍ତୁତି ପୂର୍ବର ପଦକ୍ଷେପ :

ପ୍ରଥମେ ଆମକୁ ମତ୍ସ୍ୟ ଯୋଜନା କାର୍ୟ୍ୟକାରୀ ହେବାକୁ ଥିବା ଅଞ୍ଚଳ ଏବଂ ସେଠାକାର ମତ୍ସ୍ୟଚାଷୀଙ୍କ ବ୍ୟବସାୟ, ରୋଜଗାର, ତାଙ୍କର ଯାନ୍ତ୍ରିକ ଜ୍ଞାନକୌଶଳ, ସେଠାରେ ଉପଲବ୍ଧ ସୁବିଧା ଓ ଅସୁବିଧା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ପଡିଥାଏ। ଏହା ଆମେ ମତ୍ସ୍ୟଚାଷ ସମ୍ବନ୍ଧିତ ସରକାରୀ ତଥ୍ୟାବଳୀର ତର୍ଜମା ଓ ସର୍ଭେ ଦ୍ୱାରା ପାଇପାରିବା। ପରବର୍ତ୍ତୀ ସମୟରେ ଏକତ୍ରିତ ହୋଇଥିବା ତଥ୍ୟାବଳୀକୁ ତର୍ଜମା କରି ଅନେକ ଗୁଡିଏ ସମସ୍ୟା ମଧ୍ୟରୁ ଅତ୍ୟନ୍ତ ଜରୁରୀ ସମସ୍ୟାକୁ ହିଁ ପ୍ରାଧାନ୍ୟ ଦିଆଯାଇଥାଏ। ଏହା ପରେ ଆମକୁ ମତ୍ସ୍ୟ ଯୋଜନାର ଲକ୍ଷ୍ୟ ନିର୍ଣ୍ଣୟ କରିବାକୁ ପଡିଥାଏ। ଲକ୍ଷ୍ୟ ସବୁବେଳେ ଆଞ୍ଚଳିକ ବାସିନ୍ଦାଙ୍କ ଆବଶ୍ୟକତାକୁ ପୂରଣ କରିବା ଭଳି ପ୍ରସ୍ତୁତ କରିବା ଦରକାର। ଲକ୍ଷ୍ୟ ସର୍ବଦା ନିର୍ଦ୍ଧିଷ୍ଟ ଓ ସମ୍ଭାବନା ମୁକ୍ତ ହେବା ଆବଶ୍ୟକ ଓ ଲକ୍ଷ୍ୟ ନିର୍ଣ୍ଣୟ ପାଇଁ ପୂର୍ବରୁ ତର୍ଜମା ହୋଇଥିବା ତଥ୍ୟ ଗୁଡିକର ପୁନର୍ବାର ଆକଳନ କରାଯାଇଥାଏ। ଏଥିରେ ଆଞ୍ଚଳିକ ସମ୍ପଦ ଓ ସୁବିଧାକୁ ବିନିଯୋଗ କରି କଣ କରାଯାଇ ପାରିବ, କେଉଁ ମତ୍ସ୍ୟଚାଷ ପଦ୍ଧତି ଆଞ୍ଚଳିକ ବାସିନ୍ଦାଙ୍କ ଗ୍ରହଣଯୋଗ୍ୟ ହେବ, କେଉଁମାନେ ଏହି ଯୋଜନାରେ ଅଂଶ ଗ୍ରହଣ କରିବେ ଓ ମହିଳାମାନେ କିଭଳି ଏହି ଯୋଜନାରୁ ଉପକୃତ ହୋଇ ପାରିବେ, ଏଭଳି ଅନେକ କିଛି ସମ୍ଭାବନାର ପରିକଳ୍ପନା କରାଯାଇ ସଠିକ୍ ହିତାଧିକାରୀ ଙ୍କୁ ନିର୍ଦ୍ଧିଷ୍ଟ କରାଯାଏ। ଏହାପରେ ଉକ୍ତ ମତ୍ସ୍ୟ ଯୋଜନାର କାର୍ୟ୍ୟସୂଚୀ ପ୍ରସ୍ତୁତ କରାଯାଏ। ଯେଉଁଥିରେ ପ୍ରତ୍ୟେକଟି କାର୍ୟ୍ୟକ୍ରମର ଦିନ, ସମୟ ଓ ସ୍ଥାନ ନିର୍ଧାରଣ କରାଯାଇଥାଏ। ଏଥିରେ ମଧ୍ୟ ନିର୍ଦ୍ଧିଷ୍ଟ ରହିବ ଯେ କିଏ କେଉଁ କାମ କରିବେ, କେଉଁ ସଂସ୍ଥା ଏହା ଅନ୍ତର୍ଭୁକ୍ତ ହେବ, କଣ ବଜେଟ ରହିବ, କିପରି ମାର୍କେଟ ଚାହିଦା ପୁରଣ କରଯାଇ ପାରିବ ଓ କିଭଳି ମାଛଚାଷୀଙ୍କୁ ଉପଯୁକ୍ତ ତାଲିମ ଦିଆଯାଇ ପାରିବ।

୨. ଯୋଜନା କାର୍ୟ୍ୟକାରୀ ସମୟର ପଦକ୍ଷେପ :

ଏହି ସମୟରେ ପ୍ରତିଟି କାମର ସଠିକ ତଦାରଖ କରାଯାଇଥାଏ। ହିତାଧିକାରୀଙ୍କୁ ତାଲିମ ଦେବା, ତାଙ୍କ ସହ ଯୋଗାଯୋଗ କରିବା, ଉନ୍ନତ ମାଛଚାଷ ପଦ୍ଧତିର ପ୍ରଦର୍ଶନ କରିବା, ଯୋଜନା କାର୍ୟ୍ୟକାରୀ ହୋଇଥିବା ଅଞ୍ଚଳର ପରିଦର୍ଶନ କରିବା। ଏହି ସମୟରେ ସମ୍ପ୍ରସାରଣ ସେବାକୁ ତ୍ୱରାନ୍ୱିତ କରାଯାଇଥାଏ।

୩. ଯୋଜନା ପରବର୍ତ୍ତୀ ପଦକ୍ଷେପ :

ଆମେ ଉପରୋକ୍ତ ମତ୍ସ୍ୟ ଯୋଜନା ର କାର୍ୟ୍ୟକାରିତାକୁ ଆକଳନ କରିଥାଉ। ମତ୍ସ୍ୟ ଯୋଜନାକୁ ଆକଳନ କରିବାର ଅର୍ଥ ହେଉଛି, କେତେ ପରିମାଣରେ ଯୋଜନାଟି ନିଜର ପୂର୍ଵନିର୍ଦ୍ଧିଷ୍ଟ ଲକ୍ଷ୍ୟ ସାଧନ କରିପାରିଛି। ଏଥିରେ ଆମକୁ ବର୍ତମାନ ଯୋଜନାର ପ୍ରଭାବ ସହ ଆଗରୁ ଅନୁଷ୍ଠିତ ହୋଇଥିବା କିଛି ମତ୍ସ୍ୟଭିତିକ ସରକାରୀ ତଥ୍ୟାବଳୀ ସହ ତୁଳନା କରିବାକୁ ପଡିଥାଏ। ଏହାଦ୍ୱାରା ଆମକୁ ସମ୍ପୃକ୍ତ ମତ୍ସ୍ୟ ଯୋଜନାର ଉପଯୋଗୀତା ସମ୍ପର୍କରେ ସମ୍ପୂର୍ଣ ଧାରଣା ଆସେ। ପରିଶେଷରେ ମତ୍ସ୍ୟ ଯୋଜନା ସମ୍ପର୍କିତ କିଛି ମତାମତ ଓ ପ୍ରତିକ୍ରିୟା ସଂଗ୍ରହ କରାଯାଇଥାଏ। ଏଥିରେ ମତ୍ସ୍ୟ ଯୋଜନାରେ ସାମିଲ ଥିବା ହିତାଧିକାରୀ, ମତ୍ସ୍ୟ ବୈଜ୍ଞାନିକ, ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧି ଙ୍କ ସହ ଯୋଜନା ର ଲାଭ ଓ କ୍ଷତି ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ତଙ୍କ ମତାମତ ଲିଖିତ ଭାବରେ ନିଆଯାଇଥାଏ। ସଂଗୃହିତ ମତାମତ ଏବଂ ପ୍ରତିକ୍ରିୟା ଗୁଡିକ ଭଵିଷ୍ୟତରେ ହେବାକୁ ଥିବା ମତ୍ସ୍ୟ ଯୋଜନାର ପ୍ରସ୍ତୁତି ଓ ପରିଚାଳନାରେ ସାହାଯ୍ୟ କରିଥାଏ।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା

ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବେକାରୀ ସମସ୍ୟାକୁ ଦୂରୀକରଣ କରିବାକୁ ହେଲେ ଆତ୍ମନିଯୁକ୍ତି ପନ୍ଥାକୁ ଅବଲମ୍ବନ କରିବାକୁ ହେବ। ସବୁ ଲୋକଙ୍କ ପାଖରେ ଆତ୍ମନିଯୁକ୍ତି ପନ୍ଥାକୁ ଅବଲମ୍ବନ କରିବା ସମ୍ଭବ ନୁହେଁ। ଆତ୍ମନିର୍ଭର ହେବାକୁ ଇଚ୍ଛା ଥିଲେ ମଧ୍ୟ, ସମସ୍ତଙ୍କ ପାଖରେ ଆର୍ଥିକ ସମ୍ବଳ ଓ ବୈଷୟିକ ଜ୍ଞାନ ନାହିଁ। ତେଣୁ ସରକାରଙ୍କର ବିଭିନ୍ନ ପ୍ରକାର ସମୟ ଉପଯୋଗୀ ଯୋଜନା, ଆତ୍ମ ନିଯୁକ୍ତିକୁ ପ୍ରୋତ୍ସହାନ ଯୋଗାଇଥାଏ।ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ୨୦ ମେ, ୨୦୨୦ ରେ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା।ଏଥିରେ କେନ୍ଦ୍ର ସରକାର ୯, ୪୦୭ କୋଟି, ରାଜ୍ୟ ସରକାର ୪, ୮୮୦ କୋଟି ଏବଂ ହିତାଧିକାରୀ ୫, ୭୬୩ କୋଟି ଟଙ୍କା ବିନିଯୋଗ କରିବାର ବ୍ୟବସ୍ଥା କରାଯାଇଅଛି। ଏବେ ସୁଦ୍ଧା ଏହା ହେଉଛି ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ସବୁଠୁ ବଡ଼ ନିବେଶ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୨୦୨୪-୨୫ ସୁଦ୍ଧା ମାଛ ଉତ୍ପାଦନ ୨୨୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଯୋଜନା ମାଧ୍ୟମରେ ରପ୍ତାନି ପରିମାଣ ଦ୍ୱିଗୁଣିତ କରିବା ଓ ଏହାକୁ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବା ସହିତ ୫୫ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ଗୁଡିକ ହେଲା, ନୂତନକରି ମଧୁରଜଳରେ ଓ ଖାରିପାଣିରେ ମାଛ ଚାଷ ପାଇଁ ପୋଖରୀ ଖନନ। ଯାଆଁଳା ଉତ୍ପାଦନ ପାଇଁ ନୂତନ ପୋଖରୀ ଖନନ ଓ ଖାରି ଜଳ ହ୍ୟାଚେରୀ ପ୍ରତିଷ୍ଠା। ନୂତନ ମତ୍ସ୍ୟ ଯାଆଁଳା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା। ଜଳଭଣ୍ଡାରରେ ପଞ୍ଜୁରୀ ମଧ୍ୟରେ ମାଛ ଚାଷ। ପୁନଃ ଚକ୍ରଣ ଜଳାକୃଷି ପଦ୍ଧତିରେ ମାଛ ଚାଷ ଏବଂ ବାୟୋଫ୍ଲୁକ ପଦ୍ଧତିରେ ମାଛ ଚାଷ ପାଇଁ ସହାୟତା ସହିତ ରିହାତିର ବ୍ୟବସ୍ଥା ଅଛି। ଗଭୀର ସମୁଦ୍ର ରେ ମାଛ ଧରିବା ପାଇଁ ଭେସେଲ। ପାରମ୍ପରିକ ମତ୍ସ୍ୟଜୀବି ମାନଙ୍କୁ ପୁରୁଣା ଡ଼ଙ୍ଗା ଓ ଜାଲ ବଦଳରେ ନୂତନ ଡ଼ଙ୍ଗା ଓ ଜାଲ। ଯନ୍ତ୍ରଚାଳିତ ମାଛଧରା ଡଙ୍ଗାରେ ବାୟୋ ଟୟଲେଟ ସ୍ଥାପନ ପାଇଁ ସହାୟତା ସହିତ ରିହାତିର ବ୍ୟବସ୍ଥା କରାଯାଇଛି। ସେହିପରି ପରିବହନ ସମୟରେ ହେଉଥିବା ନଷ୍ଟକୁ ହ୍ରାସ କରିବା ପାଇଁ, ମତ୍ସ୍ୟ ବ୍ୟବସାୟୀ ମାନଙ୍କୁ ଶୀତଳୀକରଣ ଯାନ। ମୋଟର ସାଇକେଲ ଓ ଅଟୋ ରିକ୍ସା ସହ ବରଫ ବକ୍ସ। ପୁରୁଣା ଶୀତଳ ଭଣ୍ଡାର ଆଧୁନିକକରଣ ପାଇଁ ସହାୟତା ସହିତ ରିହାତିର ବ୍ୟବସ୍ଥା ଅଛି। ମାଛ ରୋଗ ନିରୂପଣ ପାଇଁ ପରୀକ୍ଷାଗାର ଓ ଅତ୍ୟାଧୁନିକ ମତ୍ସ୍ୟ ଖାଦ୍ୟ କାରଖାନା ସ୍ଥାପନ ପାଇଁ ସହାୟତା ଓ ରିହାତିର ବ୍ୟବସ୍ଥା ଯୋଜନାଟିରେ ସ୍ଥାନିତ କରାଯାଇ ଥିବାରୁ ଯୋଜନାଟି ଅଧିକ ଗୁରୁତ୍ୱପୂର୍ଣ ବହନ କରୁଛି।

ମାଛ ଚାଷ, ସମୁଦ୍ରରେ ମାଛ ଧରିବା ଓ ମାଛ ବ୍ୟବସାୟ କରିବାକୁ ଚାଁହୁଥିବା ଯୁବକଯୁବତୀ, ଯୋଜନାଗୁଡିକୁ ଭଲଭାବେ ଜାଣିବା ଦରକାର। କେଉଁ ଯୋଜନା ଗୁଡିକ ସେମାନଙ୍କ ପାଇଁ ସର୍ବୋକ୍ତୃଷ୍ଟ ଓ ସହଜ ସାବ୍ୟସ୍ତ ହେଇପାରିବ।

ଡ଼ଃ ଗଣେଶ ଚନ୍ଦ୍ର କୁଣ୍ଡ
ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି)
ଗଞ୍ଜାମ -୭୬୦୦୦୭