Odiapua.com

ମତ୍ସ୍ୟ ମହାସଂଘ ଏବଂ ସଂଘ ମଧ୍ୟରେ କଥା କଟାକଟି : ମତ୍ସ୍ୟ ମହାସଂଘର ଦାବୀକୁ ନେଇ ଦ୍ୱନ୍ଦରେ ଟ୍ରଲର ମାଲିକ, ଓଡିଶା ମାଛକୁ ପଶ୍ଚିମବଙ୍ଗ ମନା

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ରାଜ୍ୟରେ ମାଛ ଧରାକୁ ନେଇ ମତ୍ସ୍ୟଜିବୀ ଦ୍ୱନ୍ଦରରେ ଥିବା ବେଳେ ଗତକାଲି ଓଡିଶା ମତ୍ସ୍ୟ ମହାସଂଘ ଏବଂ ଅନ୍ୟ ସଂଘ ମଧ୍ୟରେ ଏକ ଜରୁରୀ ବୈଠକ ଧାମରା ଗଙ୍ଗାମାତା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଧାମରା,କଷିଆ,ଚୁଡାମଣୀ,ଚନ୍ଦନୀପାଳ ଏବଂ କେନ୍ଦ୍ରାପଡା ଜିଲ୍ଲାର ପାରାଦ୍ୱୀପ ମତ୍ସ୍ୟଜିବୀ ସଂଘର ପ୍ରତିନିଧି ଏବଂ ମତ୍ସ୍ୟ ମହାସଂଘର ସଭାପତି କାମେଶ୍ୱର ନାରାୟଣ ପ୍ରହରାଜ ଏବଂ ସଂପାଦକ ସୁମନ୍ତ ବିଶ୍ୱାଳଙ୍କ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ମହାସଂଘ ରାଜ୍ୟ ସରକାରଙ୍କ ପାଖରେ ୪ଦଫା ସମ୍ବଳିତ ଦାବୀ ରଖିଥିବା କଥା ପ୍ରକାଶ ପାଇଥିଲା ।ଏହି ଦାବୀ ଗୁଡିକ ମଧ୍ୟରେ ବୋଟ ମାଲିକ ମାନଙ୍କୁ ଅନ୍ୟ ରାଜ୍ୟ ଭଳି ଡିଜେଲରୁ ଶୁଳ୍କ ରିହାତି, ଓଡିଶାର ବାଲେଶ୍ୱର ନିକଟସ୍ଥ ଜଳେଶ୍ୱର ଠାରେ ଏକ ମାଛ ବିକ୍ରୟ କେନ୍ଦ୍ର ସ୍ଥାପନ, ବୋଟ ବ୍ୟବସାୟୀ ମାନଙ୍କୁ କ୍ଷୁଦ୍ର ଶିଳ୍ପ ର ମାନ୍ୟତା ଦେବାସହ କମ ସୁଧ ବା ବିନା ସୁଧରେ ରୁଣ ଯୋଗାଇ ଦେବା ସହ କରୋନା ସଂକ୍ରମଣକୁ ରୋକିବା ପାଇଁ ବାହାରୁ ଆସୁଥିବା କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସମସ୍ତ ମାଛଧରା ବେସରେ ସାମୟିକ ଡାକ୍ତରୀଟିମ ଉପଲବ୍ଧ କରାଇବା ଦାବୀ ଅନ୍ୟତମ । ଏଥିସହ ରାଜ୍ୟରେ ସମସ୍ତ ମାଛଧରା ବୋଟର ମାଲିକ ମାନେ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ ମାଛ ଧରା ବନ୍ଦ କରିବାକୁ ମହାସଂଘ ନିବେଦନ କରିଥିଲା । ଏହି ମହାସଂଘର ଆହ୍ୱାନରେ ଯୋଗ ଦେଇଥିବା ମତ୍ସ୍ୟଜିବୀ ସଂଘର କର୍ମକର୍ତା ଜୁଲାଇ ୧ତାରିଖ ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ମାଛ ଧରା ରୋକା ଯାଇ ପାରିବ ନାହିଁ ବୋଲି କିଛି ସଂଘ ଦାବୀ ଜଣାଇଥିଲେ ।ବର୍ତମାନ କରୋନା ସ୍ଥିତି ଭୟଙ୍କର ହେଉଥିବା ବେଳେ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ହେଲେ ମାଛ ଆମଦାନୀ କରି ବିଦେଶକୁ ରପ୍ତାନୀ କରାଇ ପାରିଲେ ଦେଶର ଆର୍ଥିକ ସ୍ଥିତି ମଜବୁତ ହୋଇ ପାରିବ ବୋଲି ବହୁ ସଂଘ ଦାବୀ କରିଥିଲେ ।

 

 

ଏହି ଦାବୀ ପାଖରେ ମହାସଂଘ କୌଣସି ଆଶାଜନକ ଉତର ରଖି ପାରି ନଥିଲା । ଫଳରେ ମାଛ ଧରାକୁ ନେଇ ଉଠିଥିବା ଦ୍ୱନ୍ଦର ଅବସାନ ଘଟିଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ କେନ୍ଦ୍ର ସରକାର ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ ୧୫ ରୁ ଜୁନ ୧୫ ପର୍ଯ୍ୟନ୍ତ (୬୧ଦିନ)ମାଛ ଧରା ବନ୍ଦ କରାଇଥିଲେ । କରୋନା ମହାମାରୀକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନିଜର ନିଷ୍ପତିର ପୁର୍ନବିଚାର କରି ଏହା ଏପ୍ରିଲ ୧୫ରୁ ଜୁନ ୧ତାରିଖ ପର୍ଯ୍ୟନ୍ତ(୪୭ଦିନ) ବନ୍ଦ ରହିବା ସହ ଜୁନ ୧ତାରିଖ ଠାରୁ ମତ୍ସ୍ୟଜିବୀ ମାନେ ମାଛ ଧରିବାକୁ ସମୁଦ୍ରକୁ ଯାଇ ପାରିବେ ବୋଲି ସମସ୍ତ ରାଜ୍ୟସରକାରଙ୍କୁ ଅବଗତ କରାଇଥିଲେ । ଏହି ଧାର୍ଯ୍ୟ ତାରିଖ କୁ ନେଇ ସମସ୍ତ ମତ୍ସ୍ୟସଂଘ ଏବଂ ମହାସଂଘ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା ।ବହୁ ଟ୍ରଲର ଏବଂ ବୋଟ ମାଲିକ ମାନେ ବହୁତ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ଆସନ୍ତା ୧୫ ତାରିଖ ଠାରୁ ମାଛ ଧରା ଆରମ୍ଭ କରିବେ ବୋଲି ମହାସଂଘ ପାଖରେ ଜବାବ ରଖିଥିଲେ ।ସମସ୍ତ କଥା ର ବିଚାର ବିମର୍ଷ ପରେ ମଧ୍ୟ ଏହାର ସୁସମାଧାନ ହୋଇ ପାରି ନଥିଲା ।ଅନ୍ୟ ପକ୍ଷରେ ଓଡିଶା ରାଜ୍ୟରୁ ସମସ୍ତ ମାଛ ନିକଟସ୍ଥ ପଶ୍ଚିମବଙ୍ଗର ଦୀଘା ଏବଂ କୋଲକାତାକୁ ବିକ୍ରୟ ପାଇଁ ଯାଇଥାଏ । କରୋନା ସମୟରେ ପଶ୍ଚିମବଙ୍ଗ ସରକାର ଓଡିଶା ର ଗୋଟିଏ ମୀନ କୌଣସି ପରିସ୍ଥିତିରେ ଦୀଘା ଏବଂ କୋଲକାତାକୁ ଆସି ପାରିବ ନାହିଁ ବୋଲି ତାଙ୍କ ପ୍ରଶାସନକୁ କଡା ଚେତାବନୀ ଦେଇଛନ୍ତି ଫଳରେ ଓଡିଶା ରାଜ୍ୟର ସମସ୍ତ ବୋଟ ମାଲିକ ଚିନ୍ତାରେ କାଳତିପାତ କରୁଛନ୍ତି ।ବର୍ତମାନ ପରିସ୍ଥିତିରେ ବୋଟ ମାଲିକଙ୍କ ପ୍ରଶ୍ନ, ସମୁଦ୍ରରୁ ମାଛ ଧରିବୁ ହେଲେ ବିକ୍ରି କରିବୁ କେଉଁଠି? ଏହାର ପ୍ରତିକାର ନିମନ୍ତେ ମତ୍ସ୍ୟ ମହାସଂଘ ରାଜ୍ୟ ସରକାରଙ୍କୁ ବାଲେଶ୍ୱର ନିକଟସ୍ଥ ଜଳେଶ୍ୱର ଠାରେ ୧୩ ଏକର ସ୍ଥାନ ନିରୂପଣ କରି ସେଠାରେ ଏକ ସ୍ଥାୟୀ ମାଛ ନିଲାମ/ବିକ୍ରୟ କେନ୍ଦ୍ର ଖୋଲିବାକୁ ପ୍ରସ୍ଥାବ ରଖିଛନ୍ତି । ଫଳରେ ବାହାର ରାଜରୁ ଆସୁଥିବା ମାଛ ବେପାରୀ ଆଉ ପଶ୍ଚିମବଙ୍ଗ ଉପରେ ନିର୍ଭର ନକରି ଓଡିଶା ମତ୍ସ୍ୟ ଉତ୍ପାଦନ କାରୀଙ୍କ ଉପରେ ନିର୍ଭର କରି ପାରିବେ । ସର୍ବଶେଷ ଖବର ଅନୁଯାୟୀ ସରକାର ଏହି ପ୍ରସ୍ଥାବକୁ ଗୁରୁତ୍ୱ ଦେଉ ନଥିବାରୁ ଆମ ରାଜ୍ୟରୁ ମତ୍ସ୍ୟ ଉତ୍ପାଦନ ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ଏହାକୁ କେଉଁଠି ବିକ୍ରି କରିବେ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି । ଅନ୍ୟ ପକ୍ଷରେ ମହାସଂଘ ସମସ୍ତ ମାଛଧରା ବେସରେ ରାଜ୍ୟ ସରକାର ମତ୍ସ୍ୟ ଶୀତଳୀକରଣ କେନ୍ଦ୍ର ସ୍ଥାପନ କରି ପାରିଲେ ଏହାର ଆଶୁ ସମାଧନ ହୋଇ ପାରନ୍ତା ବୋଲି ମହାସଂଘ ଦାବୀ ଜଣାଇଛି ।