Odiapua.com

ମତ୍ସଚାଷ ଦ୍ୱାରା ମହିଳା ସ୍ୱାବଲମ୍ବୀ ହୋଇପାରିବେ

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଇଛି । ଏହି ଯୋଜନା ଗୁଡ଼ିକ ମିଶନଶକ୍ତି ମାଧ୍ୟମରେ ସଫଳ ରୂପାୟନ ପାଇଁ ସରକାରୀ ଅଧିକାରୀ ଓ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଗ୍ରଣୀ ଭୂମିକର ରହୁଥିବାର ପରିଲକ୍ଷିତ ହେଉଛି । ବିଶେଷ କରି ଗ୍ରାମାଞ୍ଚଳରେ ଥିବା ପୋଖରୀରେ ମାଛଚାଷ କରି ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେନେଇ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି । ଏହି ପ୍ରରିପେକ୍ଷିରେ ପୁରୁଷଣ୍ଢ ପଞ୍ଚାୟତର କଚେରୀ ପୋଖରୀକୁ ୩ବର୍ଷ ପାଇଁ ମା ଦୁର୍ଗା ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ଲିଜ ସୂତ୍ରରେ ଦିଆଯାଇଛି । ରବିବାର ବ୍ଲକ ସହକାରୀ ମତ୍ସଅଧିକାରୀ ଶୁଭ୍ରସ୍ମିତା ଘଡ଼େଇ ପରିଦର୍ଶନରେ ଆସି ତଦାରଖ କରିବା ସହିତ ଅଧିକ ଅମଳକ୍ଷମ ନିମନ୍ତେ ମାର୍ଗଦର୍ଶନ କରିଥିଲେ । ମା ଦୁର୍ଗା ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଭାନେତ୍ରୀ ମାନସୀ ରାଣୀ ଦାସ, ସମ୍ପାଦିକ ସୁମିତ୍ରାରାଣୀ ଦାସ, ବାସନ୍ତୀ ପରିଡ଼ା, ମଞ୍ଜୁଲତା ପରିଡ଼ା, ଶାନ୍ତିଲତା ପରିଡ଼ା, ବାସନ୍ତୀ ଦାସ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଏହି ପୋଖରୀରେ ଏକ କଂକ୍ରିଟ ଘାଟ ନିର୍ମାଣ, ପୋଖରୀ ଚାରିପଟେ ବୃକ୍ଷରୋପଣ ନିମନ୍ତେ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଉପସ୍ଥିତି ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ପୁରୁଷଣ୍ଢ ସରପଞ୍ଚ ପ୍ରତିନିଧି କାର୍ତିକ ଜେନା, ବଡ଼ମହିଷଗୋଠ ସରପଞ୍ଚ ପ୍ରତିନିଧି ରବିନାରାୟଣ ମହାନ୍ତି, ବିଜେପି ନେତା ଗୋପାଳକୃଷ୍ଣ ଦାଶ, ବ୍ରଜମୋହନ ମହାନ୍ତି, ଛାୟାକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।