ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୩ ତାରିଖରେ ଚାଷୀଙ୍କ ମୋବାଇଲକୁ ଟୋକାନ ମେସେଜ ଆସିଲା । ୫ ତାରିଖରୁ ଧାନ କିଣାଯିବା ପାଇଁ ଦିନ ଧାର୍ଯ୍ୟ କଲେ । ସମବାୟ ସମିତି କଂଟା ପୂଜା ବି କଲେ ମାତ୍ର ଏ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର କୌଣସି ବ୍ଲକରେ ମୁଠିଏ ଧାନ କିଣା ହେଇ ପାରିଲା ନାହିଁ । ଏହାର ସୁଯୋଗ ନେଇ ବେପାରୀ ହେଉଛନ୍ତି ମାଲେ ମାଲ । ଶାଗ ମାଛ ଦରରେ ଧାନ କିଣି ପଡୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗ ରାଜ୍ୟକୁ ଚୋରା ଚାଲାଣ କରି ବେଶ ମୁନାଫା କମାଉଛନ୍ତି ଦଲାଲ । ସୂଚନା ମୁତାବକ ଚାନ୍ଦବାଲି ବ୍ଲକରେ ଏ ପର୍ଯ୍ୟନ୍ତ ସରକାର ମୁଠିଏ ଧାନ କିଣି ପାରିଲେ ନାହିଁ । ଯାହାର ଫାଇଦା ନେଉଛନ୍ତି ଦଲାଲ । ପ୍ରତିଦିନ ଶହ ଶହ ସଂଖ୍ୟକ ଧାନ ଟ୍ରକ ଏଠାରୁ ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଛି । ଏଠାକାର ଧାନ ଦଲାଲ ମାନେ ଗାଁ ଗାଁ ରେ ଡେରା ପକାଇ ଚାଷୀ ମାନଙ୍କ ଠାରୁ ୧୫ଶହ ରୁ ୧୮ଶହ ଟଙ୍କା ଦରରେ ଧାନ କିଣୀ ଲୁଟିବାରେ ଲାଗିପଡିଛନ୍ତି । ସରକାରୀ ମଣ୍ଡିରେ ବେଶୀ ଧାନ ଦେଲେ କଟିବ ରାସନ କାର୍ଡ, ୧୫୦ କୁଇଂଟାଲରୁ ଅଧିକ ହେଲେ ମିଳିବନି ସବସିଡ, କୁଇଂଟାଲ ଉପରେ ସରକାର କାଟିବେ ୧୦ କେଜି, ଏଥର ଧାନ ଟଙ୍କା ମିଳିବାରେ ବିଳମ୍ବ ହେବ ଆଦି କଥା କହି ଡ଼ରାଇ ଧାମକାଇ ଲୁଟି ନେଉଛନ୍ତି ଶହ ଶହ ଟ୍ରକ ଧାନ । ଅନ୍ୟ ପଟେ ସରକାରୀ ମଣ୍ଡିରେ ଧାନ କିଣା ଯେତେ ବିଳମ୍ବ ହେଉଛି ,ଧାନ ଦଲାଲ ସେତେ ସକ୍ରିୟ ହେଉଛନ୍ତି । ସେମାନଙ୍କୁ ଲଗାମ ଦେବା ପାଇଁ କୌଣସି ସରକାର ତତ୍ପର ହେଉ ନ ଥିବାଦେଖିବାକୁ ମିଳିଛି। ଦିନକୁ ଦିନ ଚାଷୀଙ୍କ ଶୋଷଣ ବଢ଼ିବାରେ ଲାଗିଛି । ଏଣୁ ସରକାର ତୁରନ୍ତ ମଣ୍ଡି ଖୋଲି ଧାନ କ୍ରୟ କରିବା ସହ ଚୋରା ବେପାରୀଙ୍କ ଉପରେ ଲଗାମ ଲଗାଇବାକୁ ଚନ୍ଦବାଲି ଅଂଚଳର ଚାଷୀ ମାନେ ଦାବୀ କରିଛନ୍ତି ।