ଭଦ୍ରକ, ୨୩ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଦରରେ ଧାନ କିଣା ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ମାର୍ଗଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଧାନ ସଂଗ୍ରହ ପ୍ରକ୍ର୍ରିୟାର କାର୍ଯ୍ୟକାରୀତା ନେଇ ଜିଲ୍ଲାପାଳ ଦିଲୀପ ରାଉତରାଏ ବିଭିନ୍ନ ସମୟରେ ବିଭିନ୍ନ ମଣ୍ଡି ପରିଦର୍ଶନରେ ଯାଇ ଗ୍ରାଉଣ୍ଡ ଜିରୋରେ ପରୀକ୍ଷଣ କରୁଛନ୍ତି। ଚାଷୀମାନଙ୍କ ସହ ବାର୍ତାଳାପ କରି ସେମାନଙ୍କ ସମସ୍ୟା ଶଣୁଛନ୍ତି। ଗୁରୁବାର ଦିନ ଭଦ୍ରକ ବ୍ଲକ୍ର ଚରମ୍ପା, ବାସୁଦେବପୁରର ବିଦେଇପୁର ସମବାୟ ସେବା ସମିତି ଧାନକ୍ରୟ କେନ୍ଦ୍ର ଏବଂ ଚାନ୍ଦବାଲି ବ୍ଲକ୍ର ମା’ କନକ ସୁନ୍ଦରି ଏସ୍.ଏଚ୍.ଜି. ଏବଂ ମା ଲକ୍ଷ୍ମୀ ମହିଳା ଏସ୍.ଏଚ୍.ଜି.ର ଧାନ କ୍ରୟକେନ୍ଦ୍ରରେ ପହଂଚି ଜିଲ୍ଲାପାଳ ଏଫ୍.ଏ.କ୍ୟୁ ମାନର ଧାନ ପରୀକ୍ଷଣ ସଂପୂର୍ଣ୍ଣ ତଦାରଖ କରିଥିଲେ। ପ୍ରତି ମଣ୍ଡିରେ ଏଫ୍.ଏ.କ୍ୟୁ ମାନ ପରୀକ୍ଷଣ ପାଇଁ ନିୟୋଜିତ କ୍ୱାଲିଟି ଆନାଲାଇଜରମାନଙ୍କୁ ମାନ ପରୀକ୍ଷଣ ସମ୍ବନ୍ଧରେ ପଚାରି ବୁଝିଥିଲେ। ମଣ୍ଡିରେ ଉପସ୍ଥିତ ଚାଷୀମାନଙ୍କ ସହ ବାର୍ତାଳାପ କରି ବିନା କଟନୀ ଛଟନୀର ସେମାନେ ଧାନ ବିକ୍ରୟ କରିଥିବା ଜାଣିବାକୁ ପାଇଥିଲେ। ଧାନ ବିକିବା ପାଇଁ ମେସେଜ୍ ପାଇ ଧାନ ବିକିବା ଅପେକ୍ଷାରେ ଥିବା କେତେଜଣ ଚାଷୀ କଟନୀ ଛଟନୀ ହେଉଛି ବୋଲି ଅଭିଯୋଗ ଶୁଣି ଏଫ୍.ଏ.କ୍ୟୁ ମାନର ଧାନ ମଣ୍ଡିକୁ ବିକ୍ରୟ ପାଇଁ ଆଣିବାକୁ ପରାମର୍ଶ ପ୍ରଦାନ କରିଥିଲେ। ଏଫ୍.ଏ.କ୍ୟୁ.ମାନର ଧାନ ଆଣିଲେ ଅନ୍ୟ ଚାଷୀଙ୍କ ଭଳି ସେମାନଙ୍କ ଠାରୁ ବି ବିନା କଟନୀ ଛଟନୀରେ ଧାନ କିଣାଯିବ ବୋଲି ଜିଲ୍ଲାପାଳ ବୁଝାଇଥିଲେ। ସୂଚନାଯୋଗ୍ୟ କି ଅଦ୍ୟାବଧି ୧୦,୨୩୫ ଚାଷୀଙ୍କ ଠାରୁ ସମୁଦାୟ ୪,୫୪,୦୨୦ କ୍ୱିଣ୍ଟାଲ ଧାନ କିଣାଯାଇଛି। ସେଥିରୁ ୩,୮୪,୧୬୭ କ୍ୱିଣ୍ଟାଲ ଧାନ ମଣ୍ଡିରୁ ମିଲରମାନେ ଉଠାଇ ସାରିଛନ୍ତି। ପ୍ରକାଶ ଥାଉକି ଜିଲ୍ଲାରେ ଖୋଲାଯାଇଥିବା ସମସ୍ତ ୧୫୦ ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ କରାଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଓ ସହକାରୀ ଜିଲ୍ଲାଯୋଗାଣ ଅଧିକାରୀ ଶରତ ବେହେରା ମଧ୍ୟ ଜିଲ୍ଲାପାଳଙ୍କ ମଣ୍ଡି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।