Odiapua.com

ମଣ୍ଡିରେ ଅବ୍ୟବସ୍ଥା ଓ ପଞ୍ଜିକରଣରେ ଅନୀୟମିତତା ପାଇଁ ବିଜେପିର ଆନ୍ଦୋଳନ ଚେତାବନୀ

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ୧୫ଟି ଖରିଫ ଧାନକ୍ରୟ ସରକାରୀ ମଣ୍ଡିରେ ମନୁଷ୍ୟକୃତ ଅବ୍ୟବସ୍ଥା ଓ ଚାଷୀଙ୍କ ଜମି ପଞ୍ଜିକରଣରେ ଅହେତୁକ ତୃଟି ଦ୍ୱାରା ଚାଷୀ ନାହିନଥିବା ଅସୁବିଧା ଭୋଗୁଛନ୍ତି । ପ୍ରଶାସନ ଏହାକୁ ବ୍ୟବସ୍ଥିତ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଛି । ଏହାର ପ୍ରତିକାର ନହେଲେ ଚାଷୀ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ । ମିଲର, ଯୋଗାଣ ବିଭାଗ, ସମବାୟ ବିଭାଗ ଓ କ୍ଷମତାସୀନ ନେତାମାନଙ୍କର ମିଳିତ ସହଭାଗିତାରେ ଏଭଳି ଚାଷୀଶୋଷଣ କରାଯାଉଛି । ଜମିପଞ୍ଜିକରଣରେ ତୃଟି ଯୋଗୁଁ ବ୍ଲକ ଅଞ୍ଚଳର ପ୍ରାୟ ଦୁଇହଜାର ଚାଷୀ ସଠିକ ଭାବେ ଧାନ ବିକ୍ରୟ କରିପାରୁ ନାହାନ୍ତି । ଟୋକନ ପାଇ ମଧ୍ୟ ଚାଷୀ ଧାନ ବିକ୍ରୀ କରିପାରୁ ନାହିଁ । ମଣ୍ଡିଗୁଡିକରେ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି । ଚଟାଣ, ପାଲ, ପାନୀୟ ଜଳ ଯୋଗାଣ ଓ ବିଜୁଳି ବ୍ୟବସ୍ଥା ନଥିବାରୁ ଚାଷୀ ହନ୍ତସନ୍ତ ହେଉଛି । କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅଖା, ସୁତୁଲି, ଶ୍ରମିକ ଖର୍ଚ୍ଚ, ଯାତାୟତ ଖର୍ଚ୍ଚକୁ ଚାଷୀଙ୍କୁ ଦେବା ବଦଳରେ ବାଟମାରଣା କରାଯାଉଛି । ଏଫ.ଏ.କ୍ୟୁ. ନାମରେ କ୍ୟୁଇଈଣ୍ଟାଲ ପିଛା ପାଞ୍ଚ ରୁ ଦଶ କିଲୋ କଟାଯାଉଛି । ଏପରିକି ଧାନର ସର୍ବନିମ୍ନ ମୂଲ୍ୟ ମଧ୍ୟ ମିଳୁନାହିଁ । ବିଭିନ୍ନ ମଣ୍ଡିକୁ ଅନୁଧ୍ୟାନ କରି ପ୍ରତ୍ୟକ୍ଷ ଅନୁଭୁତି ହାସଲ କରିବା ପରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ନିର୍ମଳ କର, ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଦ୍ୟୁମ୍ନ ସେନାପତି, ଜୟଦେବ ସେନାପତି, ଅମୂଲ୍ୟ ପରିଡା, ପର୍ଶୁରାମ ପରିଡା, ପଦ୍ମନାଭ ପ୍ରଧାନ, ରବିନାରାୟଣ ସାହୁ, ଅର୍ନ୍ତଯ୍ୟାମୀ ସାହୁ, ଶିବାନନ୍ଦ ସାହୁ ପ୍ରମୁଖ ଗତ ଗୁରୁବାର ଜିଲ୍ଲାଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ସମବାୟ ଅଧିକାରୀ ସନ୍ତୋଷ ଦାସଙ୍କୁ ସମବାୟ ବ୍ୟାଙ୍କ ଶାଖା ପରିସରରେ ଏ ସମ୍ପର୍କରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ ।