Odiapua.com

ମଣ୍ଡିରୁ ଧାନ ଉଠାଉ ନାହାନ୍ତି ମିଲର, ସି.ଏସ.ଓ.ଙ୍କ ନିକଟରେ ମଣ୍ଡି ସଭାପତିଙ୍କ ଫେରାଦ

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଧାନମଣ୍ଡିରେ କ୍ରୟ ଧାନ ଦୀର୍ଘ ଦିନ ଧରି ପଡିରହିଛି । ଦୈନିକ ଧାନ କ୍ରୟ କରାଯାଉଛି । ମଣ୍ଡିରେ କ୍ରୟ ଧାନ ସୁରକ୍ଷିତ ଭାବେ ରଖିବାକୁ ସ୍ଥାନାଭାବ ଦେଖା ଦେଲାଣି । ମହଜୁଦ ପରିମାଣ ମାତ୍ରାଧିକ ହୋଇ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ମିଲରମାନେ ଧାନ ମଣ୍ଡିରୁ ପରିବହନ କରୁନାହାନ୍ତି । ଏôତଯୋଗୁଁ ଅଚଳାବସ୍ଥା ଦେଖାଦେଇଛି । କ୍ୱିଣ୍ଟାଲ ପିଛା ୬ କେଜି କାଟିବା ଲକ୍ଷ୍ୟରେ ମିଲରମାନେ ଏଭଳି କାରସାଦି ଚଳାଇଛନ୍ତି । ଅନ୍ୟପଟେ ୬ କେଜି କଟନୀ ଛଟନୀ ବିରୋଧରେ ଚାଷୀମାନେ ପ୍ରତିବାଦ ଚଳାଉଛନ୍ତି । ଏଥିଯୋଗୁଁ ତ୍ରୁଶଙ୍କୁ ଅବସ୍ଥାରେ ଥିବା ମଣ୍ଡି ସଭାପତି ମାନେ ଶନିବାର ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି । ନାରାୟଣପୁର ସୋସାଇଟି ସଭାପତି ଜୟନ୍ତ ସାହୁ, ମାଳଦା ସୋସାଇଟି ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ରହଣିଆ ସୋସାଇଟି ସଭାପତି ସାଗର ରଞ୍ଜନ ଲେଙ୍କା, ନେରଡା ସୋସାଇଟି ସଭାପତି ସତ୍ୟନାରାୟଣ ମିଶ୍ର, ତେସିଙ୍ଗା ସୋସାଇଟି ସଭାପତି ନାରାୟଣ ଚନ୍ଦ୍ର ଦାଶ, ଜଳମଣ୍ଡୁଆ ସୋସାଇଟି ସଭାପତି ରତ୍ନାକର ପାତ୍ର, ନାଆମୀ ସୋସାଇଟି ପକ୍ଷରୁ ଅଜୟ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ମହିଳା ଗୋଷ୍ଠୀ ସଭାପତିମାନେ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରତିକାର ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଯୋଗକାରୀମାନଙ୍କ ପକ୍ଷରୁ ନିବେଦନ କରାଯାଇଛି ।