Odiapua.com

ମଣିଷ ହେଇଗଲା ଗଧ, ଏବେ କହୁଛି ତୁମେ କ’ଣ ଜାଣିଛ?

ଥରେ ଜଣେ ଗୁରୁ ଫୋନ୍ ରେ କାହା ସହିତ କଥା ହେଲା ବେଳେ ରାଗିକି ବଡ ପାଟିରେ କହୁଥିଲେ, ଆରେ ମୂର୍ଖ ତୁ ଗୋଟେ ଗଧ ଥିଲୁ ମୁଁ ତୋତେ ମଣିଷ କରିଛି, ଆଜି ତୁ ମୋ କଥା ମାନୁନୁ ? ମୋର ସବୁ ଉପକାର ଭୁଲିଗଲୁ। ସେତିକିବେଳେ ସେହି ରାସ୍ତାରେ ଜଣେ ଲୋକ କେତୋଟି ଗଧକୁ ନେଇ ଯାଉଥିଲେ। ଗୁରୁଙ୍କ କଥା ଶୁଣି ସେ ଭାବିଲେ ମୋର ଏତେ ଗୁଡିଏ ଗଧ ଅଛନ୍ତି ଯଦି ଗୁରୁ ମୋର ଗୋଟେ ଗଧକୁ ମଣିଷ କରି ଦିଅନ୍ତେ, ଖୁବ ଭଲ ହୁଅନ୍ତା। ତେଣୁ ସେ ଗୁରୁଙ୍କୁ କହିଲେ ଗୁରୁଦେବ ଆପଣ ଏବେ କାହା ସହିତ କଥା ହେଉଥିଲେ ଓ କହୁଥିଲେ ଆପଣ ବହୁତ ଗଧଙ୍କୁ ମଣିଷ କରିଛନ୍ତି। ଯଦି ଆପଣ ମୋର ଗୋଟିଏ ଗଧକୁ ମଣିଷ କରିଦିଅନ୍ତେ ତେବେ ମୁଁ ଖୁସି ହୁଅନ୍ତି। ଗୁରୁଦେବ କହିଲେ ମୁଁ ତୁମର ଗଧକୁ ମଣିଷ କରିଦେବି କିନ୍ତୁ ଅଳ୍ପ କିଛି ଖର୍ଚ କରିବାକୁ ପଡିବ। ଗଧର ମାଲିକ ଗୁରୁଙ୍କ କଥାରେ ସହମତ ହୋଇ ଗଧଟିକୁ ଗୁରୁଙ୍କ ପାଖରେ ଛାଡ଼ିଦେଇ ଚାଲିଗଲେ। କିଛି ଦିନପରେ ଗଧର ମାଲିକ ଗୁରୁଙ୍କ ପାଖକୁ ଆସିଲେ, ଗୁରୁ କହିଲେ ବ୍ୟସ୍ତ ହୁଅନି ମଣିଷ କରିବା ପ୍ରକ୍ରିୟା ଜାରି ରହିଛି। ଏବେ ଗଧକୁ ମଣିଷ କରିବା ପାଇଁ ଗଧ ଉପରେ ମସଲା ବୋଳା ଯାଇଛି କିଛିଦିନ ପରେ ସେ ମଣିଷ ହୋଇଯିବ। ତା’ପରେ କିଛି ମାସ ପରେ ପୁଣି ଗଧର ମାଲିକ ଗୁରୁଙ୍କ ପାଖକୁ ଆସିଲେ, ଗୁରୁ କହିଲେ ଆପଣ ଏତେ ଦିନ ବିଳମ୍ବରେ ଆସିଲେ, ସେ ଗଧଟା କେବେ ଠାରୁ ମଣିଷ ହୋଇ ପଳାଇ ଗଲାଣି। ମସଲା ଭାଗ ଅଧିକ ହୋଇଯିବାରୁ ଖୁବ ଶୀଘ୍ର ଚାକିରି ମଧ୍ୟ ପାଇଯାଇଛି। ମୋ ପାଖରେ ଯାହା ଖବର ଅଛି ସେ କେଉଁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଛି। ଏବେ ମୋ ହାତରେ ଆଉ କିଛି ନାହିଁ, ଆପଣ ତାକୁ ଦେଖା କରନ୍ତୁ। ତା’ପରେ ଗଧର ମାଲିକ ଖୋଜିଖୋଜି କରି ସେହି ଶିକ୍ଷାନୁଷ୍ଠାନଟିକୁ ପାଇଗଲେ। ଘାସ କେରାଏ ଧରି ସେ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କଲେ ଏବଂ ଗୁରୁ କହିଥିବା କଥା ଅନୁସାରେ ଗଧ ମାଲିକ ସେ ଗଧରୁ ମଣିଷ ହୋଇଥିବା ବ୍ୟକ୍ତିକୁ ଘାସ ଦେଖାଇ ଡାକିଲେ – “ଆ, ଆ ….. ! ନେ, ଘାସ ଖାଆ”। ସେତେବେଳେ ଗଧରୁ ମଣିଷଟି ଜ୍ଞାନ ବାଣ୍ଟୁ ଥାଏ, ହଠାତ ଘାସ ଦେଖି ରାଗିଗଲା ଓ ମାଲିକକୁ ଗାଳିଗୁଲଜ କରି କହିଲା ମୁଁ ଗଧ ନଥିଲି, ତୁମେ କିଏ ? ତୁମେ କ’ଣ ଜାଣିଛ ? ବେକାର ମିଛ କଥାଗୁଡା କହି ମୋର ସମୟ ନଷ୍ଟ କରନି। ଗଧ ମାଲିକ କହିଲେ ହଇରେ ! ମୁଁ ତୋ ପାଇଁ କେତେ କଷ୍ଟ ସହିଛି, ତୋତେ ଗଧରୁ ମଣିଷ କଲି, ତୁ ମୋ ପ୍ରତି ଏମିତି ବ୍ୟବହାର କରୁଛୁ। ଗଧ ମାଲିକ ନିରାଶ ହୋଇ ପୁଣି ଗୁରୁଙ୍କ ପାଖକୁ ଯାଇ ସବୁ କଥା ଜଣାଇଲେ। ଗୁରୁ କହିଲେ ଆଜିକାଲି କାହାକୁ କ’ଣ କହିବା ? ପର୍ଯ୍ୟାପ୍ତ ପରିମାଣର ମସଲା ବ୍ୟବହାର କରି ଗଧଟାକୁ ମଣିଷ କରାଗଲା ଏବେ ସେ ଆଉ ଆୟତରେ ନାହିଁ। ମୋ ହାତରେ ଆଉ କ’ଣ ଅଛି ? ଏମିତି ବି ମଣିଷ ଅଛନ୍ତି ଯେ ସେମାନଙ୍କୁ ଅନେକ ସାହାଯ୍ୟ କରାଯାଇଥାଏ, ସେମାନଙ୍କ ଠାରେ ଗୁଣରୁପି ମସଲା ବ୍ୟବହାର କରାଯାଇଥାଏ ନିଦ୍ଧିଷ୍ଟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କିନ୍ତୁ ସେମାନେ ସଫଳତା ପାଇବା ପରେ ନିଜକୁ ବଡ଼ ବୁଦ୍ଧିମାନ ଓ ବିଜ୍ଞ ମନେକରି ଫୁଲିଉଠନ୍ତି ଓ ଅନ୍ୟକୁ କୁହନ୍ତି, ତୁମେ କ’ଣ ଜାଣିଛ ?

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା