Odiapua.com

ମଣିପୁର ହିଂସାକାଣ୍ଡ ନେଇ ସିପିଆଇ(ଏମ୍‌) କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲେ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଣିପୁରରେ ଶାନ୍ତି ପ୍ରତିଷ୍ଠା ସହ ଗଣତନ୍ତ୍ର ସୁରକ୍ଷା ମହିଳାମାନଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରତିବାଦ କରି ବାମପନ୍ଥୀ ଦଳମାନଙ୍କ ତରଫରୁ ଜିଲାପାଳଙ୍କ ଅଫିସ୍ ଆଗରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳର ଏକ ବିରାଟ ଶୋଭାଯାତ୍ରା ବସ୍‌ଷ୍ଟାଣ୍ଡରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ । ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବାମପନ୍ଥୀ ଦଳର ପ୍ରମୁଖ ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସମଗ୍ର ଦେଶରେ ମୋଦି ସରକାର ଦରଦାମ୍ ବୃଦ୍ଧି କରିବା ସହ ଦେଶବାସୀଙ୍କ ସଂପତ୍ତି, ବୀମା, ବନ୍ଦର, ବ୍ୟାଙ୍କ ଓ ସମସ୍ତ ସରକାରୀ କଳ କାରଖାନା ଗୁଡିକୁ ଅମ୍ବାନୀ, ଆଦାନୀ ଓ କର୍ପୋରେଟ୍ କଂପାନୀଙ୍କୁ ବିକ୍ରି କରିବାରେ ଲାଗିପଡିଛନ୍ତି । କୁସ୍ତିଯୋଦ୍ଧା ଜ୍ଞାନୀ ବ୍ୟକ୍ତିମାନଙ୍କ ଉପରେ ଆକ୍ରମଣ କରିଥିବା ବିଜେପି ସାଂସଦ ବ୍ରିଜ୍‌ଭୂଷଣ ଶରଣଙ୍କୁ ଘଣ୍ଟ ଘୋଡାଉଛନ୍ତି । ଆମ ଦେଶରେ ଗଣତନ୍ତ୍ର ସ୍ୱାଧୀନତା ଓ ସାର୍ବଭୌମତ୍ୱ ଉପରେ ଆକ୍ରମଣ କରାଯିବା ଘଟଣାରେ ପ୍ରତିବାଦ କରୁଥିବା ଲୋକମାନଙ୍କୁ ଦେଶଦ୍ରୋହ ମୋକଦ୍ଦମାରେ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି ।

ଏହି ସମୟରେ ମଣିପୁରରେ ଜାତିଆଣ ଦଙ୍ଗା ସୃଷ୍ଟି କରୁଥିବା ବିଜେପି ପରିଚାଳିତ ସରକାର କ୍ଷମତାରେ ରହିଥିବାବେଳେ ଆଦିବାସୀ ମହିଳା ଦୁଇଜଣଙ୍କୁ ଆକ୍ରମଣ କରି ଉଲଗ୍ନ ଶରୀରେ ସ୍ପଷ୍ଟ ଦିବାଲୋକରେ ଚଲାଇ ଚଲାଇ ନେବା ଘଟଣା ବିଶ୍ୱ ଦରବାରରେ ଭାରତବର୍ଷର ଆତ୍ମ ସମ୍ମାନ ହାନି କରିଛି । ଏହି ଘଟଣାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ପ୍ରତିବାଦ ନକରିବା ଦୁର୍ଭାଗ୍ୟଜନକ ବୋଲି ସିପିଆଇ(ଏମ୍‌) ନେତା ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ ପ୍ରତିବାଦ ସଭାରେ ମତପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ ‘ବେଟି ପଢାଅ ଓ ବେଟି ବଚାଅ’ ତଥା ‘ମା’କୁ ସମ୍ମାନ ଗାଁ କାମ’ କଣ କେବଳ ଚେୟାର ଓ ପାୱାର ପାଇଁ ବୋଲି ପ୍ରତିବାଦ ସଭରେ ବକ୍ତାମାନେ ମତପ୍ରକାଶ କରିଥିଲେ । ଦେଶର ଏଭଳି ପରିସ୍ଥିତିରେ ଦେଶବାସୀ ଏକଜୁଟ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ବୈଠକରେ ନିବେଦନ କରାଯାଇଥିଲା । ଅନୁଷ୍ଠିତ ପ୍ରତିବାଦ ସଭା ଓ ବିକ୍ଷୋଭରେ ମଳୟ ଭୋଇ, ରୋଜାଲିନ ସାମ୍ୟବାଦୀ, କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ନବ ବେହେରା, ଜଏନୁଲ ଆବେଦିନ, ବିଷ୍ଣୁ ଦାଶ, ଗୌରାଙ୍ଗ ଜେନା, ସେକ୍ ଜିଲାନି, ମହେଶ୍ୱର ନାୟକ, ବିମ୍ବାଧର ନାୟକ, ସନ୍ଥ ବିଶ୍ୱାଳ, ସେକ୍ ରାଜୁ, ସେକ୍ ମିନାଜ ପ୍ରମୁଖ ସାମିଲ ଥିଲେ ।