ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳ ଥିବା ଗ୍ରାମ ଶ୍ମଶାନରୁ ଗତ ସୋମବାର ରାତ୍ରରେ ୨ ଶବ ଚୋରି ହୋଇଥିବା ଜଣାଯାଇଛି। ଗ୍ରାମର ଗେହ୍ଲା ଦାସ ଓ ଶରତ ନାଥଙ୍କ ଶବ ଚୋରି ହୋଇଛି। ଅନ୍ୟ ଏକ ଶବକୁ ଚୋରି ଉଦ୍ୟାମ କରି ବିଫଳ ହୋଇଥିବା ଜଣାଯାଇଛି। ଗ୍ରାମ ଶ୍ମଶାନରୁ ଶବ ଚୋରି ଜଣାପଡିବା ପରେ ଏହା ଥିଲା ଷଷ୍ଠ ଥର ଶବ ଚୋରି। ଗତ ଫେବୃୟାରୀ ମାସରେ ଏକକାଳୀନ ୫ଟି ଶବ ଚୋରି ହୋଇଥିଲା। ଗ୍ରାମର ଖଗେଶ୍ୱର ସାମଲ, ହାଡବନ୍ଧୁ ବେଉରିଆ, କାର୍ତ୍ତିକ ନାୟକ, ସରସ୍ୱତୀ ବେହେରା ଓ କାଳନ୍ଦୀ ବେହେରାଙ୍କ ଶବ ଚୋରି ହୋଇଥିବା ଜଣାଯାଇଛି। ଗ୍ରାମ ଶ୍ମଶାନରୁ ଶବ ଚୋରି ହେବା ନୂଆ ନୁହେଁ। ୨୦୧୬ ମସିହାରେ ଶବ ଚୋରି ହୋଇଥିବା ସମ୍ପର୍କରେ ଗ୍ରାମବାସୀମାନେ ପ୍ରଥମେ ଅବଗତ ହୋଇଥିଲେ। ନଦୀର ବାଲି ଖାଲରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଶିଶୁର ଶବ ପୋତା ଯିବାର ଦୁଇମାସ ପରେ ଖୋଳି ନିଆଯାଇଥିଲା। ସେହିବର୍ଷ ଗ୍ରାମବାସୀ ଅନାମ ବେହେରାଙ୍କ ଶବ ପୋତାଗାତରୁ ଖୋଳି ନିଆଯାଇଥିଲା। ୨୦୧୭ ମସିହାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବସନ୍ତ ଦାସ ଓ ରାଜ୍ୟପାଳ ପୁରସ୍କୃତ ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ଶବକୁ ମଧ୍ୟ ଖୋଳି ନିଆଯାଇଥିବା ଜଣାପଡ଼ିଥିଲା। ୨୦୧୬ ଓ ୨୦୧୭ ବର୍ଷରେ ସଂସ୍କାର ପରେ ପୋତାଯାଇଥିବା ପ୍ରାୟ ଚାରିଟି ଶବ ଖୋଳି ନିଆଯାଇଥିବା ଗ୍ରାମବାସୀମାନେ ଚିହ୍ନଟ କରିଥିଲେ। ଗତ ଗତ ୨୦୨୩ ମସିହା ଜୁନ ୨୩ ତାରିଖ ରାତ୍ରରେ ଏକକାଳୀନ ୩ ଶବ ଗାଏବ ହୋଇଯାଇଥିବା ନେଇ ଗ୍ରାମବାସୀମାନେ ଥାନାରେ ଅଭିଯୋଗ କରିଥିଲେ। ସଦ୍ୟ ସଂସ୍କାର ହୋଇଥିବା ୩ ଟି ଗାତରୁ ପୋତାଯାଇଥିବା ଶବ ନଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ତ୍ତକାଳୀନ ଜିଲ୍ଲା ପୁଲିସ ଅଧିକ୍ଷକ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ପରେ ପୁଲିସ ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଗତ ୨୦୨୩ ମସିହା ଅପ୍ରେଲ ୨୪ ତାରିଖରେ ମୃତ୍ୟୁବରଣ କରିଥିବା ଗ୍ରାମର ଶ୍ରୀକାନ୍ତ ବେହେରା, ୩ ତାରିଖରେ ମୃତ୍ୟୁବରଣ କରିଥିବା ଅକ୍ଷୟ ବେହେରା ଓ ଅନନ୍ତ ନାଥଙ୍କ ଶବ ନଥିବା ଚିହ୍ନଟ ହୋଇଥିଲା। ଖୋଳାଯାଇଥିବା ୩ ଟି ଗାତ ନିକଟରୁ ସଂସ୍କାର ସମୟରେ ଶବର ପିନ୍ଧାବସ୍ତ୍ର ପଡିଥିଲା। ଏହାର୨୨ ଦିନ ପୂର୍ବେ ମୃତ୍ୟୁବରଣ କରିଥିବା ଗ୍ରାମର ଅକ୍ଷୟ ଓ ଅନନ୍ତଙ୍କ ସଢାମାଂସ କଢାଯାଇ ପଡିଥିଲା। ୨୦୨୫ ଅପ୍ରେଲ ୧ ତାରିଖରେ ହୃଦଘାତରେ ମୃୃତ୍ୟୁବରଣ କରିଥିବା ଗ୍ରାମର ରୁକ୍ମଣୀ ସାମଲଙ୍କ ଦଶାହ ପାଳନ ପାଇଁ ମୁଖାଗ୍ନି ଦେଇଥିବା ପୁତ୍ର ଶବପୋତା ସ୍ଥାନକୁ ଆସି ଗାତ ଖୋଳାଯାଇ ଓ ଶବ ଚୋରି ହୋଇଥିବା ଦେଖିଥିଲେ। ସେଠାରେ ପାଣି ଓ ମଦ ବୋତଲ ପଡିଥିବା ପ୍ରାୟ ୨ଶହ ମିଟର ଘୋଷରା ଯାଇଥିବା ସ୍ଥାନରେ ପଚାମାଂସ ଓ ଅନ୍ତଃବସ୍ତ୍ର ପଡିଥିବା ଦେଖିଥିଲେ। ମୃତକଙ୍କ ସ୍ୱାମୀ ଶ୍ରୀମନ୍ତ ଥାନାରେ ଏଥିନେଇ ଅଭିଯୋଗ କରିଥିଲେ। ଏଥିନେଇ ଗ୍ରାମରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମର ବୈତରଣୀ ନଦୀ ପଠାରେ ଥିବା ସ୍ୱର୍ଗଦ୍ୱାର ଶ୍ମଶାନରେ ମୃତ୍ୟୁ ପରେ ସଂସ୍କାର କରାଯାଇ ଶବକୁ ପୋତି ଦିଆଯାଇଥାଏ। ଏହା ଗୁଣିଗାରେଡି ଅଥବା ବିଜ୍ଞାନ ପରୀକ୍ଷାଗାର କିମ୍ବା ଡାକ୍ତରୀ ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଚୋରି କରାଯାଇ ଥାଇପାରେ ବୋଲି ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ବ୍ୟକ୍ତିବିଶେଷ ଏହି ଘଟଣାରେ ସଂପୃକ୍ତ ଥିବା ଓ ନିଦ୍ଦିଷ୍ଟ ସୂଚନା ଦେଇ ଶବ ଚୋରିରେ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି। ଏଭଳି କୁତ୍ସିତ ଚୋରିକୁ ରୋକା ଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏଥିନେଇ ଥାନାରେ ହେଉଥିବା ଅଭିଯୋଗ ପ୍ରତି ପୁଲିସ ଗୁରୁତ୍ୱ ଦେଇନାହିଁ। ଶବଚୋରି ଯାଇଥିବା ଗ୍ରାମର ସ୍ୱର୍ଗତ କାର୍ତ୍ତିକ ନାୟକଙ୍କ ପୁତ୍ର ବନ୍ଦନ ନାୟକଙ୍କ ଅଭିଯୋଗ ଆଧାରରେ ଥାନାରେ ୭୦/୨୬ନଂ ମାମଲା ଅଜଣା ବ୍ୟକ୍ତିଙ୍କ ନାମରେ ଋଜୁ ହୋଇଥିଲା। ଖୋଦ ଜିଲ୍ଲା ପୁଲିସ ଅଧିକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଅପରାଧିଙ୍କୁ ଧରାଯିବ ବୋଲି ଦୃଢୋକ୍ତି କରିଥିଲେ। ଏଥି ପୂର୍ବରୁ ଗତ ୨୦୨୩ ମସିହା ଜୁନ ୨୨ ତାରିଖ ରାତ୍ରରେ ଶବ ଚୋରି ଯାଇଥିବା ମୃତ ଅକ୍ଷୟ ବେହେରାଙ୍କ ପୁତ୍ର ତପନ ବେହେରା ଥାନାରେ ଅଭିଯୋଗ କରିଥିଲେ। ତପନଙ୍କ ଅଭିଯୋଗ ଆଧାରରେ ଥାନାରେ ୧୮୮/୨୩ ନଂ ମାମଲା ଋଜୁ ହୋଇଥିଲା। ତତ୍କାଳୀନ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ସରଜମିନ ତଦନ୍ତ କରିଥିଲେ। ହେଲେ ମାମଲା ଆଗକୁ ଯାଇ ପାରିନଥିଲା। ଗ୍ରାମବାସୀଙ୍କ ଜାଣିବାରେ ଏଯାବତ ୨୩ଟି ଶବ ଚୋରି ହୋଇଛି। ଗତ ୧୦ ବର୍ଷ ଧରି ଏଭଳି ଶବ ଚୋରି ପର୍ଯ୍ୟାୟ କ୍ରମେ ଚାଲିଥିବା ବେଳେ ଚୋରମାନେ ସୁରକ୍ଷିତ ରହିଛନ୍ତି। ଭବିଷ୍ୟତରେ ପୁର୍ନବାର ଶବ ଚୋରି ହେବା ସମ୍ଭାବନା ରହିଛି। ଏଥି ପୂର୍ବରୁ ପୁଲିସ ଚୋରମାନଙ୍କୁ ଗିରଫ କରୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।