Odiapua.com

ମଣିନାଥପୁର ନଦୀକୂଳ ଶ୍ମଶାନରୁ ପୁନର୍ବାର ୩ ଶବ ଚୋରି

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳରେ ଥିବା ଗ୍ରାମ ଶ୍ମଶାନରୁ କ୍ରମାଗତ ଭାବେ ଶବ ଚୋରି ହେବାରେ ଲାଗିଛି । ଗତ ଶୁକ୍ରବାର ରାତ୍ରରେ ଏକକାଳୀନ ୩ ଶବର ନରକଙ୍କାଳ ଚୋରି ହୋଇଯାଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଶନିବାର ସକାଳେ ଗ୍ରାମର କେତେକ ଯୁବକ ଶୌଚ ପାଇଁ ନଦୀକୁ ଯାଉଥିବା ବେଳେ ‘ସ୍ୱର୍ଗଦ୍ୱାର’ ଶ୍ମଶାନର କେତେକ ସ୍ଥାନରେ ଖୋଳାଯାଇଥିବା ଦେଖିଥିଲେ । ସଦ୍ୟ ସଂସ୍କାର ହୋଇଥିବା ୩ ଟି ଗାତରୁ ପୋତାଯାଇଥିବା ଶବ ନଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗତ ଅପ୍ରେଲ ୨୪ ତାରିଖରେ ମୃତ୍ୟୁବରଣ କରିଥିବା ଗ୍ରାମର ଶ୍ରୀକାନ୍ତ ବେହେରା, ଗତ ୩ ତାରିଖରେ ମୃତ୍ୟୁବରଣ କରିଥିବା ଅକ୍ଷୟ ବେହେରା ଓ ଅନନ୍ତ ନାଥଙ୍କ ଶବ ନଥିବା ଚିହ୍ନଟ ହୋଇଥିଲା । ଖୋଳାଯାଇଥିବା ୩ ଟି ଗାତ ନିକଟରୁ ସଂସ୍କାର ସମୟରେ ଶବର ପିନ୍ଧାବସ୍ତ୍ର ପଡିଥିଲା । ମାତ୍ର ୨୨ ଦିନ ପୂର୍ବେ ମୃତ୍ୟୁବରଣ କରିଥିବା ଅକ୍ଷୟ ଓ ଅନନ୍ତଙ୍କ ପଚାମାଂସ କଢାଯାଇ ପଡିଥିଲା । ଏଥିନେଇ ଗ୍ରାମରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଏ କାହିଁକି ଶବକୁ ରାତ୍ରରେ ଚୋରି କରୁଛି ତାହାକୁ ନେଇ ପ୍ରଶ୍ନ ଗ୍ରାମବାସୀଙ୍କ ମନରେ ସୃଷ୍ଟି ହୋଇଛି । ଗତ ଶୁକ୍ରବାର ଅପରାହ୍ନରେ ୪ ଜଣ ଅଜଣା ଯୁବକ ନଦୀ କୂଳେ କୂଳେ ନୀରିକ୍ଷଣ କରୁଥିବା ଗ୍ରାମବାସୀମାନେ ଜାଣିଥିଲେ ।

ସେମାନେ ହିନ୍ଦୀରେ କଥା ହେଉଥିଲେ । ନଦୀକୂଳରେ ବୁଲାବୁଲି କରିବାକୁ ଆସିଛନ୍ତି ବୋଲି ପ୍ରକାଶ କରିଥିଲେ । ଶନିବାର ଶବ ଚୋରି ହେବା ପରେ ସଂପୃକ୍ତ ଯୁବକଙ୍କ ଉପରେ ସନ୍ଦେହ ଦୃଢୀଭୂତ ହୋଇଛି । ଗ୍ରାମ ଶ୍ମଶାନରୁ ଶବ ଚୋରି ହେବା ନୂଆ ନୁହେଁ । ଏଥିପୂର୍ବରୁ ୨୦୧୬ ମସିହାରେ ଶବ ଚୋରି ହୋଇଥିବା ସମ୍ପର୍କରେ ଗ୍ରାମବାସୀମାନେ ଅବଗତ ହୋଇଥିଲେ । ନଦୀର ବାଲି ଖାଲରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଶିଶୁର ଶବ ପୋତା ଯିବାର ଦୁଇମାସ ପରେ ଖୋଳି ନିଆଯାଇଥିଲା । ସେହିବର୍ଷ ଗ୍ରାମବାସୀ ଅନାମ ବେହେରାଙ୍କ ଶବ ଖୋଳି ନିଆଯାଇଥିଲା । ଗ୍ରାମର ବୈତରଣୀ ନଦୀ ପଠାରେ ଥିବା ସ୍ୱର୍ଗଦ୍ୱାର ଶ୍ମଶାନରେ ମୃତ୍ୟୁ ପରେ ସଂସ୍କାର କରାଯାଇ ପୋତି ଦିଆଯାଇଥାଏ । ୨୦୧୭ ମସିହାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବସନ୍ତ ଦାସ ଓ ରାଜ୍ୟପାଳ ପୁରସ୍କୃତ ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ଶବକୁ ମଧ୍ୟ ଖୋଳି ନିଆଯାଇଥିବା ଜଣାପଡ଼ିଥିଲା । ସେହିବର୍ଷ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଛାତ୍ରଛାତ୍ରୀମାନେ ବାସୁସାରଙ୍କ ଶବ ପୋତାଯିବା ସ୍ଥାନକୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇଥିଲେ । ସାର୍‌ଙ୍କ ଶବ ନଥିବା ଦେଖି ଦୁଃଖରେ ଭାଙ୍ଗିପଡ଼ି ଫେରିଯାଇଥିଲେ । ୨୦୧୬ ଓ ୨୦୧୭ ବର୍ଷରେ ସଂସ୍କାର ପରେ ପୋତାଯାଇଥିବା ପ୍ରାୟ ଚାରିଟି ଶବ ଖୋଳି ନିଆଯାଇଥିବା ଗ୍ରାମବାସୀମାନେ ଚିହ୍ନଟ କରିଥିଲେ । ଏହା ଗୁଣିଗାରେଡି ଅଥବା ବିଜ୍ଞାନ ପରୀକ୍ଷାଗାର କିମ୍ବା ଡାକ୍ତରୀ ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଚୋରି କରାଯାଇ ଥାଇପାରେ ବୋଲି ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ବ୍ୟକ୍ତିବିଶେଷ ଏହି ଘଟଣାରେ ସଂପୃକ୍ତ ଥିବା ଓ ନିଦ୍ଦିଷ୍ଟ ସୂଚନା ଦେଇ ଶବ ଚୋରିରେ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି । ଏଭଳି କୁତ୍ସିତ ଚୋରିକୁ ରୋକା ଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏଥିନେଇ ଥାନାରେ ଅଭିଯୋଗ ମୌଖିକ ହୋଇଛି । ମାତ୍ର ଘଟଣା ପ୍ରତି ପୁଲିସ ଗୁରୁତ୍ୱ ଦେଇନାହିଁ ।