Odiapua.com

ମଞ୍ଜୁରୀ ଅପେକ୍ଷାରେ ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ ପାର୍ଶ୍ୱ ରାଜପଥର ସୁଡ଼ଙ୍ଗ ପ୍ରକଳ୍ପ

ସମ୍ବଲପୁର, ୨୨/୧୧ (ଓଡ଼ିଆ ପୁଅ) ସମ୍ବଲପୁର ସହର ଉପକଣ୍ଠ ବ୍ୟସ୍ତପୂର୍ଣ୍ଣ ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡ଼ୁଙ୍ଗୁରୀ ଠାରେ ପାହାଡ଼ ଅତଡ଼ା ଓ ପଥର ଖସିବା ସମସ୍ୟାର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହା ନୂଆଦିଲ୍ଲୀରେ ଅନୁମୋଦନ ଅପେକ୍ଷାରେ ରହିଛି। ଏଠାରୁ ମଞ୍ଜୁରୀ ମିଳିବା ପରେ ଯାଇ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ ଏଚଏଆଇ) ଟେଂଡ଼ର ପ୍ରକ୍ରିୟା ଆରମ୍ବ କରିବେ। ଏହି ଅନୁଯାୟୀ ଲକ୍ଷ୍ମୀଡ଼ୁଙ୍ଗୁରୀ ପାହାଡ଼ର ବିପଜ୍ଜନକ ଅର୍ଥାତ୍ ପଥର ଖସୁଥିବା ପ୍ରାୟ ୨୨୦ ମିଟର ଅଂଶର ସାମ୍ନାରେ ମହାନଦୀ ସେତୁ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପାହାଡ଼ର ଏହି ଅଂଶର ସାମ୍ନାରେ ଯାଇଥିବା ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ଉପରେ କଂକ୍ରିଟର ଟନେଲ ବା ସୁଡ଼ଙ୍ଗ (ଅଣ୍ଡରପାସ୍ ) ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଭିତରେ ଉଜ୍ୱଳ ଆଲୋକର ବ୍ୟବସ୍ଥା କରାଯିବ। ୨୦୧୭ ରେ ଏଥିପାଇଁ ୨୪ କୋଟି ଟଙ୍କା ବ୍ୟୟ ଅଟକଳ ସକାଶେ ଲକ୍ଷ୍ୟ ରଖାଯାଇଥିବା ବେଳେ ଯେତେଶୀଘ୍ର ସମ୍ଭବ ଡିପିଆର ପ୍ରସ୍ତୁତ କରାଯାଇ କାର୍ଯ୍ୟାରମ୍ଭ କରାଯିବାକୁ ତନିବର୍ଷ ଆଗରୁ ସ୍ଥିର କରାଯାଇଥିଲା। ହେଲେ ଏଥିରେ ବିଳମ୍ବ ହୋଇଛି। ଯଦ୍ୱାରା ବର୍ଷା ଋତୁରେ ରାଜପଥର ପାହାଡ଼ ପାର୍ଶ୍ୱ ଭାଗରେ ଯିବାଆସିବାକୁ ଲୋକେ ସାହସ କରିପାରୁନାହାଁନ୍ତି। ଏପରିକି ବିଭିନ୍ନ ସମୟରେ ଚାରିଲେନ ବିଶିଷ୍ଟ ଏହି ରାଜପଥର ସେହି ଜାଗାରେ ଦୁଇ ଲେନ ରାସ୍ତାକୁ ସମୟ ସମୟରେ ବନ୍ଦ କରିବାକୁ ପଡ଼ୁଛି। ଅନ୍ୟ ପକ୍ଷରେ ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ଏହି ଜାଗା ଉପରେ ତୀକ୍ଷ୍ନ ନଜର ରଖାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜପଥ ଉପରେ ପାହାଡ଼ ଅତଡ଼ା ଖସିବା ସମସ୍ୟାର ଏକପ୍ରକାର ସ୍ଥାୟୀ ପ୍ରତିକାର ହୋଇପାରିବ ବୋଲି କୁହାଯାଉଛି। ସମ୍ବଲପୁର ସହର ଓ ବୁର୍ଲା ମଧ୍ୟ ଭାଗରେ ଥିବା ଏହି ରାଜପଥ କୋଲକାତା-ମୁମ୍ବାଇ-ରାୟପୁର ଓ ଦକ୍ଷିଣ ଭାରତକୁ ସଂଯୋଗ କରୁଛି। ପ୍ରତିଦିନ ଏହି ସଡ଼କ ଦେଇ ହଜାର ହଜାର ଯାନବାହନ ଚଳାଚଳ କରୁଥିଲେ ମଧ୍ୟ ୪ ଲେନ ବିଶିଷ୍ଟ ଓସାର କରାଯାଇଥିଲେ ସୁଦ୍ଧା ପାହାଡ଼ଟି ଏହାକୁ ବିପଦଶଙ୍କୁଳ କରିଛି। ପୂର୍ବରୁ ବହୁବାର ଏହି କାରଣରୁ ରାଜପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ନିକଟରେ ମଧ୍ୟ ଅତଡ଼ା ଖସିବାରୁ ଏବେ ଉକ୍ତ ଅଂଶକୁ ଯାନବାହନ ଚଳାଚଳ ବନ୍ଦ କରାଯାଇ ୱାନ୍ ୱେ ଟ୍ରାଫିକ୍ କରାଯାଇଛି।