Odiapua.com

ମଜୁରୀ ଟଙ୍କା ପାଇଁ ଯାତ୍ରା କଳାକାର ଡିଆଇଜିଙ୍କ ଦ୍ୱାରସ୍ଥ , ଧୁଷୁରୀ ଥାନା ପୋଲିସ ବିରୋଧରେ ଅବହେଳା ଅଭିଯୋଗ, ତଦନ୍ତ ଦାବି

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଟକର ପ୍ରସିଦ୍ଧ ଯାତ୍ରା ଦଳ ‘ଉତ୍କଳ ରଙ୍ଗମଂଚ’ ରେ କାମ କରିଥିବା ଶ୍ରମିକ ଓ କଳାକାରମାନଙ୍କୁ ପ୍ରାପ୍ୟ ମଜୁରୀ ଟଙ୍କା ନ ମିଳିବା ସହ ଧୁଷୁରୀ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ନ୍ୟାୟ ନ ମିଳିଥିବା ଅଭିଯୋଗ ନେଇ ବାଲେଶ୍ୱର ଡିଆଇଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯାତ୍ରା ମହଲର କିଛି କଳାକାର ଓ ଶ୍ରମିକ। ଅଭିଯୋଗକାରୀ ବାଲେଶ୍ୱରର ପ୍ରତାପ କୁମାର ପଣ୍ଡାଙ୍କ ଓ ସଙ୍ଘର ସଭାପତି ପ୍ରମୋଦ କୁମାର ସେନାପତିଙ୍କ କହିବା ଅନୁଯାୟୀ, ସେମାନେ ‘ଉତ୍କଳ ରଙ୍ଗମଂଚ’ ଯାତ୍ରା ଦଳରେ ପେଣ୍ଡାଲ, ଝାଲେରି ସେଟ୍ ଓ ଲେବର ପରିଚାଳନା ଦାୟିତ୍ୱରେ କାମ କରୁଥିଲେ। ଏଥିରେ ୧୬ ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। ଚୁକ୍ତି ଅନୁଯାୟୀ ଟଙ୍କା ଦେବାକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ବକେୟା ରଖାଯାଇଥିବା ଅଭିଯୋଗ ହୋଇଛି। ପରେ ଧୁଷୁରୀ ଥାନା ଆରଡ଼ି ଅଂଚଳର ଗଡଗଡି ଗ୍ରାମରେ ଯାତ୍ରା ପରିବେଷଣ ସମୟରେ ମଜୁରୀ ଟଙ୍କା ଦେବାକୁ ଡାକି ପ୍ରମୋଦ ସେନାପତି ଓ ପ୍ରତାପ ପଣ୍ଡାଙ୍କୁ ଯାତ୍ରା ମାଲିକ, ମ୍ୟାନେଜର ଓ ସମ୍ପର୍କୀୟମାନେ ଗାଳିଗୁଲଜ, ଧମକ ଓ ମାରପିଟ କରିଥିବା ନେଇ ଧୁଷୁରୀ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗରେ ଆହୁରି କୁହାଯାଇଛି ଯେ, ନ୍ୟାୟ ଦେବା ବଦଳରେ ଜଣେ ପୋଲିସ ଏଏସଆଇ ୫ ହଜାର ଟଙ୍କା ଦାବି କରିଥିଲେ। ପ୍ରତାପ ପଣ୍ଡା ୧ ହଜାର ଟଙ୍କା ଦେଇଥିବାବେଳେ ଅବଶିଷ୍ଟ ୪ ହଜାର ଟଙ୍କା ପାଇଁ ଚାପ ପକାଯାଇଥିବା ଅଭିଯୋଗ ହୋଇଛି। ଏହାସହ ବାଲେଶ୍ୱରରୁ ବାରମ୍ବାର ଧୁଷୁରୀକୁ ଡାକି ‘ବୁଝାଇଦେବୁ’ ବୋଲି କହି ହଇରାଣ କରାଯାଉଥିବା ଦାବି କରି ପୀଡ଼ିତମାନେ ବାଲେଶ୍ୱର ଡିଆଇଜି ପିନାକୀ ମିଶ୍ରଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି। ଏହା ଶ୍ରମିକ ଦିବସର ଶ୍ରମିକଙ୍କୁ ନିର୍ଯ୍ୟାତନ ବୋଲି କହିଛନ୍ତି।