ଚନ୍ଦ୍ରପୃଷ୍ଠରେ ଓଲ୍ହାଇବାର ୫୦ବର୍ଷ ପରେ ଏବେ ଦୁନିଆର ନଜର ଅନ୍ତରୀକ୍ଷର ମଙ୍ଗଳ ଗ୍ରହ ଉପରେ। ୧୯୬୦ ମସିହାରେ ଆମେରିକା ଏବଂ ସୋଭିଏତ ସଂଘ ମଧ୍ୟରେ ମହାକାଶ ଦୌଡ଼ ଆରମ୍ଭ ହୋଇଥିଲା ଆଉ ଏବେ ଆମେରିକା ସାରା ବିଶ୍ୱରେ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଅନେକ ଆଗରେ। ବର୍ତ୍ତମାନ କ୍ଷେତ୍ରରେ ଯେଉଁ ଦେଶ ଟେକ୍ନୋଲୋଜି କ୍ଷେତ୍ରରେ ଯେତେ ସମର୍ଥ ତାହାର ପତିଆରା ସେତେ ବେଶୀ। ସମୟ ବଦଳିବା ସହିତ ବିଶ୍ୱ ଦରବାରରେ ନେତୃତ୍ୱ ମଧ୍ୟ ପରିବର୍ତ୍ତନ ହୋଇଛି ଏବଂ ନିଜର ନେତୃତ୍ୱକୁ ବଢାଇବା ପାଇଁ ଏବେ ଅନ୍ତରୀକ୍ଷ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ବିଶ୍ୱର ପ୍ରମୁଖ ଦେଶ। ମଣିଷର ଗ୍ରହ, ନକ୍ଷତ୍ର, ମହାକାଶ ସମ୍ବନ୍ଧରେ ଅନୁଧ୍ୟାନ କରିବାର ଜିଜ୍ଞାସା ସମୟ ସହିତ ବୃଦ୍ଧି ପାଉଛି। କିଏ ” ସ୍ପେସ ରିସର୍ଚ୍ଚ ” ରେ ଅଗ୍ରଣୀ ହେବ ତା’ ପାଇଁ ଏକପ୍ରକାର ରେସ ଆରମ୍ଭ ହୋଇଥିବା ବେଳେ ୨୦୨୦ରେ କିଛି ନୂଆ ଦେଶ ମଧ୍ୟ ” ସ୍ପେସ ରିସର୍ଚ୍ଚ ” କ୍ଷେତ୍ରରେ ମୈଦାନକୁ ଓହ୍ଲାଇଛନ୍ତି।
ୟୁନାଇଟେଡ଼ ଆରବ ଏମିରେଟସ ବା (ୟୁଏଇ) ମଙ୍ଗଳ ଗ୍ରହକୁ ପ୍ରଥମ ଅନ୍ତରୀକ୍ଷ ଅଭିଯାନ ଜାପାନରେ ଉତକ୍ଷେପଣ କରିଛି। ୟୁଏଇ ର “ହୋପ ମିଶନ” ଦକ୍ଷିଣ ଜାପାନର ତାନେଗାଶିମା ସ୍ପେସ ସେଂଟରରୁ ଉତକ୍ଷେପଣ କରାଯାଇଛି। ଆଉ ଚୀନ ମଧ୍ୟ ରୁଷର ସହାୟତରେ ପୁଣି ଥରେ ମଙ୍ଗଳକୁ ରୋବର ଏବଂ ଅର୍ବିଟର ପଠାଇବାର ଯୋଜନା ରଖିଛି। ସେପଟେ ଆମେରିକା ଜୁଲାଇ ଶେଷ ଆଡକୁ ମଂଗଳ ଗ୍ରହକୁ ଡ୍ରୋନ୍ ଓ ରୋବର ପଠାଇବ। କହିବାକୁ ଗଲେ ଏକପ୍ରକାର ମଙ୍ଗଳ ଗ୍ରହ ପାଇଁ ରେସ ଆରମ୍ଭ ହୋଇଛି ଏବଂ ପୂର୍ବରୁ ଚାରୋଟି ଦେଶ ମଙ୍ଗଳ ରେ ପହଁଚିଥିବା ବେଳେ ଏବେ ପଂଚମ ସ୍ଥାନ ପାଇଁ ୟୁଏଇ ଏବଂ ଚୀନ ଭିତରେ ପ୍ରକୃତ ରେସ।
ମଙ୍ଗଳ ପାଇଁ ରେସ ଆଉ ମଂଗଳ ଗ୍ରହରେ ପହଁଚିବାରେ କିଏ ହେବ ପଂଚମ ଦେଶ ଏହାକୁ ନେଇ କଳ୍ପନା ଜଳ୍ପନା ସାରାବିଶ୍ୱରେ। ସଂଯୁକ୍ତ ଆରବ ଅମିରାତ ( ୟୁଏଇ ) ଆରବ ଦେଶର ପ୍ରଥମ ଯିଏ ମଙ୍ଗଳ ଗ୍ରହ ପାଇଁ ମିଶନ ଆରମ୍ଭ କରିଛି। ଜୁଲାଇ୧୫ରେ ଲଂଚ ହୋଇଥିବା “ହୋପ ମାର୍ସ ମିଶନ” ଆସନ୍ତା ବର୍ଷ ଫେବୃଆରୀ ମାସ ସୁଦ୍ଧା ମଙ୍ଗଳ ଗ୍ରହର କକ୍ଷରେ ପହଂଚିବ। ୟୁଏଇ ଦୁନିଆର ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଁଚି ପାରିଥିବା ଦେଶ ମଧ୍ୟରେ ଗଣନା ହେବାର ଆଶା ବଢ଼ିଛି। ୟୁଏଇ କେବଳ ମଙ୍ଗଳକୁ ଅର୍ବିଟ କରିବା ପାଇଁ ସେଟେଲାଇଟ ଲଂଚ କରିଛି।
ଚୀନ ଓ ଆମେରିକା ମଧ୍ୟ ଜୁଲାଇ ମାସରେ ନିଜର ମଙ୍ଗଳ ମିଶନ ଲଂଚ କରିବେ। ଆମେରିକା ପୂର୍ବରୁ ସଫଳ ହୋଇଥିବା ବେଳେ ଚୀନ କୁ କିନ୍ତୁ ମିଳିଥିଲା ଅସଫଳତା। ୨୦୧୧ରେ ରୁଷର ସହାୟତାରେ ଚୀନର “ୟିଙ୍ଗ ହୁଓ-୧ ” ପୃଥିବୀର କକ୍ଷ ପଥକୁ ମଧ୍ୟ ପାର କରିପାରିନଥିଲା। ଏବଂ ଫୋବସ ଗ୍ରଂଟ ରକେଟ କ୍ରାସ ହୋଇଥିଲା। ୨୦୧୧ ପରେ ଚୀନ ପୁଣିଥରେ ସ୍ପେସ କ୍ଷେତ୍ରରେ ଆଗକୁ ବଢିବା ପାଇଁ ପୁଣିଥରେ ମଂଗଳ ମିଶନ ଆରମ୍ଭ କରିଛି।
ପୂର୍ବରୁ ଚାରୋଟି ଦେଶ ମଙ୍ଗଳରେ ସଫଳତାର ସହ ପହଂଚି ସାରିଛନ୍ତି। ନାସା, ରସ୍କୋମସ, ୟୁରୋପିଅନ ସ୍ପେସ ଏଜେନ୍ସି ଏବଂ ଆମ ଦେଶ ଭାରତ। ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ମଂଗଳ ଗ୍ରହରେ ପହଂଚିବାରେ ଚତୁର୍ଥ ଦେଶ ହେବା ପାଇଁ ଏକ ପ୍ରକାର ରେସ ଲାଗିଥିଲା। ୨୦୧୧ ରେ ଚୀନ ରୁଷ ସହାୟତା ରେ କରିଥିବା ମିଶନ ଫେଲ ହେଇଥିଲା ଗୋଟିଏ ପଟେ ଚୀନ ଓ ରୁଷ ଏକଠିଥିବା ବେଳେ ଏକା ପଡ଼ିଥିଲା ଭାରତ। କିନ୍ତୁ ଭାରତ ୨୦୧୩ରେ ନିଜ ଟେକନୋଲଜି ବ୍ୟବହାର କରି ମଙ୍ଗଳର କକ୍ଷପଥରେ ସଫଳତାର ସହ ଅର୍ବିଟରକୁ ସ୍ଥାପନ କରିଥିଲା।
ତେଣୁ ପଂଚମ ସ୍ଥାନ ପାଇଁ ଏବେ ରେସ। ଚୀନ ତିଅନୱେନ-୧ମିଶନ ଜୁଲାଇରେ ଲଂଚ କରିବ ଏବଂ ୨୦୨୧ ଫେବ୍ରୁଆରୀକୁ ଏହା ମଙ୍ଗଳରେ ପହଂଚିବ। “ତିଆନ୍ହେ -୧” ର ଅର୍ଥ “”କ୍ୱୋଶ୍ଚିନ ଟୁ ଦ ହେଭେନ” ତେବେ ଚୀନ ର ଏହି ମିଶନ ଟିକେ ଜଟିଳ।
କାରଣ ଏଥିରେ ଭାରତର ଚନ୍ଦ୍ରାୟନ -୨ ପରି ରହିଛି ଅର୍ବିଟର, ରୋବର ଏବଂ ଲ୍ୟାଣ୍ଡର। ତେଣୁ ମଙ୍ଗଳରେ ସଠିକ ଭାବେ ଲ୍ୟାଣ୍ଡର ପହଂଚିବା ନେଇ ସନ୍ଦେହ ଅଛି। ଅପରପକ୍ଷରେ ମଙ୍ଗଳ ଗ୍ରହରେ ପହଂଚିବାରେ ଅନେକ ଥର ସଫଳ ହୋଇଛି ଆମେରିକା ଏବଂ ଏକମାତ୍ର ଦେଶ ଭାବେ ମଙ୍ଗଳ ପୃଷ୍ଠରେ ରୋବର ଚଳାଇବାର ସଫଳତା ଅର୍ଜନ କରିଛି। ବର୍ତ୍ତମାନ ମଙ୍ଗଳ ପୃଷ୍ଠରେ ଦୁଇଟି ରୋବର କାର୍ଯ୍ୟରତ ଥିବା ବେଳେ ମଙ୍ଗଳକୁ ପ୍ରଦକ୍ଷଣ କରୁଛନ୍ତି ଭାରତ, ଆମେରିକା ଏବଂ ୟୁରୋପର ୬ଟି ଉପଗ୍ରହ। ମଙ୍ଗଳ ପୃଷ୍ଠଦେଶରେ ଆମେରିକାର ରୋବର “କ୍ୟୁରସିଟି” ବର୍ତ୍ତମାନ ପର୍ଯ୍ୟନ୍ତ ମହଜୁଦ ଥିବା ବେଳେ ୨୦୧୨ ମସିହାରେ କେବଳ ୩ମାସ ପାଇଁ ଯାଇଥିବା ” ଅପରଚୁନିଟି ” ରୋବର ଦୀର୍ଘ ବର୍ଷ କାର୍ଯ୍ୟକରିବା ପରେ ୨୦୧୯, ଫେବୃୟାରୀରେ ଅବସର ନେଇଥିଲା।
ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ଆମେରିକା ଓ ଚୀନ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଚାଲିଛି ତେଣୁ ସବୁ କ୍ଷେତ୍ରରେ ଅଗ୍ରଣୀ ହେବାକୁ ଦୁଇ ମହାଶକ୍ତି ପ୍ରୟାସ ଜାରି ରଖିଛନ୍ତି। ଚୀନ ନିଜର ୧୩ତମ ପଂଚଶୀଲ ନୀତିରେ ” ଅନ୍ତରୀକ୍ଷ ଅନୁସନ୍ଧାନକୁ ” ଏକ ନୂଆ ବିଭାଗର ଆଖ୍ୟା ଦେଇଥିବା ବେଳେ ନିଜର “ସ୍ପେସ ଷ୍ଟେସନ ” ତିଆରି କରିବା କାର୍ଯ୍ୟରେ ଲାଗିଛି।
ନାସା ର ବୈଜ୍ଞାନିକଙ୍କ ଅନୁଧ୍ୟାନ ଏବଂ କିଛି ଗଣନା ଦ୍ୱାରା ମଂଗଳ ଗ୍ରହର ନର୍ଥ ପୋଲ ଏବଂ “ଉଟୋପିଆ ପ୍ଲାନେଟିଆ” ସ୍ଥାନରେ ପାଣିର ସମ୍ବାବନା ଅଛି। ତେଣୁ ଚୀନ ପଠାଉଥିବା ରୋବର ଏହି ଉଟୋପିଆ ରେ ଓଲ୍ହାଇବାର ଯୋଜନା ରହିଛି। ଏବଂ ଯୁଏଇ ର ” ହୋପ ମିଶନ ” ବାୟୁମଣ୍ଡଳକୁ ଅଧ୍ୟୟନ କରିବ। ଅପରପକ୍ଷରେ ଆମେରିକା ଟିକେ ଆଗକୁ ବଢି ଏକ ଡ୍ରୋନ୍ ଏବଂ ରୋବର ପଠାଇ ମଙ୍ଗଳର ପଥର ଏବଂ ମୃତିକାର ନମୁନା ସଂଗ୍ରହ କରିବ। ଅର୍ଦ୍ଧ ସ୍ୱୟଂଶାସିତ ଯାନ ରୋବର, ଜେଜେରୋ କ୍ରେଟର ଯାହାକି ଏକ ଶୁଖିଯାଇଥିବା ହ୍ରଦ ସେଥିରେ ମଧ୍ୟରେ ପ୍ରାଚୀନ ମାଇକ୍ରୋବାୟଲ୍ ଜୀବନର ଅବସ୍ଥିତିକୁ ଖୋଜିବ। ତେବେ ୟୁଏଇ ହେଉକି ଚୀନ କିମ୍ବା ଆମେରିକା ସବୁ ଦେଶ ଏହି ଜୁଲାଇ ମାସରେ ମିଶନ ଲଂଚ କରିବାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ପୃଥିବୀ ଏବଂ ମଂଗଳ ଅପେକ୍ଷାକୃତ ନିକଟରେ ଥିବାରୁ ପ୍ରୋବକୁ ଅଳ୍ପ ଦୂରତା ଅତିକ୍ରମ କରିବାକୁ ହେବ ଏବଂ ମିଶନ ସଫଳ ହେବାର ଚାନ୍ସ ମଧ୍ୟ ଅଧିକ ରହିଛି। ତେବେ ମଙ୍ଗଳ ମିଶନ କ୍ଷେତ୍ରରେ ୟୁଏସ ସବୁଠାରୁ ଆଗରେ ଥିବା ବେଳେ ଆଗାମୀ ୨୦-୩୦ ବର୍ଷରେ ଚୀନ ମଧ୍ୟ କଡା ଟକର ଦେବ। ପ୍ରଥମରୁ ସ୍ପେସ ରିସର୍ଚ୍ଚ କ୍ଷେତରେ ଆଗୁଆ ଥିବା ୟୁଏସଏସଆର ଭାଙ୍ଗିବା ପରେ ରୁଷିଆ ଏକ ପ୍ରକାର କହିବାକୁ ଗଲେ ଏବେ କେବଳ ଏକ ସହାୟକ ହୋଇ ରହିଥିବା ବେଳେ ଭାରତ ଆଗାମୀ ମିଶନ ପାଇଁ ଆମେରିକାର ସହାୟତା ନେଉଛି କିମ୍ବା ମିଶନ ମଂଗଳ ପରି ନିଜସ୍ୱ ଜ୍ଞାନକୌଶଳ ରେ ଆଗକୁ ବଢୁଛି ତାହା ସମୟ କହିବ।
– ପ୍ରଜ୍ଞା ପଟ୍ଟନାୟକ