Odiapua.com

ମଙ୍ଗଳବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ୭ ଲକ୍ଷରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇପାରେ ବୋଲି ଆକଳନ

ପୁରୀ ୧୨-୬ (ଓଡ଼ିଆ ପୁଅ) ଦୁଇବର୍ଷ ଭକ୍ତମାନେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି। ୭ ଲକ୍ଷରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇପାରେ ବୋଲି ପୂର୍ବ ଆକଳନ କରାଯାଇଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ନିକଟରେ ଅଲଗା ଅଲଗା ବାରିକେଡ୍ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ଆଇନଶୃଙ୍ଖଳା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ, ପୁରୀ ସହରରେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି। ୩ଜଣ କମାଣ୍ଡାଣ୍ଟ, ୭ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୧୪ଜଣ ଡିଏସ୍‌ପି ଓ ୩୦ଜଣ ଇନିସପେକ୍ଟରଙ୍କୁ ନିୟୋଜିତ କରାଯିବ।

ବଡ଼ଦାଣ୍ଡରେ ଯେଉଁ ବାରିକେଡ୍ କରାଯାଉଛି, ତାହା ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ରହିବ। ଶ୍ରୀମନ୍ଦିରକୁ ଯିବାକୁ ଚାହୁଁନଥିବା ଭକ୍ତଙ୍କ ପାଇଁ ବାରିକେଡ୍ ସିଂହଦ୍ଵାର ସେଡ଼ ପର୍ଯ୍ୟନ୍ତ ରହିବ। ଚଳିତବର୍ଷ ସ୍ନାନଯାତ୍ରାରେ ସିଂହଦ୍ଵାର ସେଡ୍ ଖୋଲାଯିବନି। ସିଂହଦ୍ଵାର ସେଡ୍ ଦେଇ ଭକ୍ତମାନେ ସ୍ନାନବେଦିରେ ବିଜେ ମହାପ୍ରଭୁଙ୍କ ଦର୍ଶନ ସାରି ଏମାର ମଠ ଚକଡ଼ା ଦେଇ ବାହାରି ପାରିବେ। ନଚେତ୍ ସିଂହଦ୍ଵାରରୁ ବାମପାର୍ଶ୍ଵକୁ ଦୋଳମଣ୍ଡପସାହି ମୁଣ୍ଡ ଦେଇ ବାହାରି ପାରିବେ। କିନ୍ତୁ ଯେଉଁମାନେ ଶ୍ରୀମନ୍ଦିର ଯାଇ ସ୍ନାନବେଦି ଆଗରୁ ଦର୍ଶନ କରିବେ ବା ସାହାଣମେଲା ଦର୍ଶନ କରିବେ, ସେମାନଙ୍କ ପାଇଁ ସ୍ବତନ୍ତ୍ର ଜିଗ୍ ଜାଗ ବାରିକେଡ୍ ରହିବ। ଏଥିପାଇଁ ସୂଚନା କେନ୍ଦ୍ର ସମ୍ମୁଖ ଦେଇ ୫ ଟିକିଆ ଜିଗ୍‌ଜ୍ୟାଗ୍ ବାରିକେଡ୍ କରାଯାଇଛି।

ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ସ୍ନାନବେଦିରେ ଦର୍ଶନ ପରେ ଉତ୍ତରଦ୍ଵାର ଦେଇ ପ୍ରସ୍ଥାନ କରିବେ। ବଡ଼ ଦାଣ୍ଡର ମରିଚି କୋଟ ଛକରୁ ଶ୍ରୀମନ୍ଦିର ସିଂହ ସମୁଖ ଅଞ୍ଚଳକୁ ନୋ ପାର୍କିଂ ଯୋନ କରାଯାଇଛି। ସେହିପରି ଦୁଇ ଚକିଆ, ଚାରି ଚକିଆ ଯାନର ପାର୍କିଂ ପାଇଁ ୬ ଟି ସ୍ଥାନ ବ୍ୟବସ୍ଥା ହୋଇଛି।