Odiapua.com

ମଙ୍ଗଳପୁର ଗ୍ରାମ ରାସ୍ତାରୁ ଜବରଦଖଲ ଉଚ୍ଛେଦ ଘଟଣା, ଆକ୍ରୋଶମୂଳକ ଭାବେ ଘର ବାରଣ୍ଡା ଭଙ୍ଗା ଯାଇଥିବାନେଇ ଜିଲ୍ଲା ପାଳଙ୍କ ନିକଟରେ ଅଭିଯୋଗ, ପୁନର୍ବାର ମାପକରି ରିପୋର୍ଟ ଦେବାକୁ ତହସିଲଦାର ଓ ପୋଲିସକୁ ନିର୍ଦ୍ଦେଶ

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ତିହିଡି଼ ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମରାସ୍ତାରୁ ଗତ ମାସ ୨୬ତାରିଖରେ ଜବରଦଖଲ ଉଚ୍ଛେଦ ହୋଇଥିଲା । ତେବେ ଉଛେଦ ସମୟରେ ଗ୍ରାମର ଶ୍ୟାମସୁନ୍ଦର ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାକୁ ଆକ୍ରୋଶମୂଳକ ଭାବେ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ସୋମବାର ଶ୍ୟାମସୁନ୍ଦର ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ ଜିଲାପାଳ ଦିଲୀପ ରାଉତରାୟ ପୁନଃ ମାପକରି ରିପୋର୍ଟ ଦେବାକୁ ତହସିଲଦାର ଓ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଶ୍ୟାମସୁନ୍ଦର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମଙ୍ଗଳପୁର ମୌଜା ଖାତା ନଂ ୩୧୨ ପ୍ଲଟ ନଂ ୬୮୮ରେ ୫ ଡେସିମିଲ ଘରବାଡ଼ି ଜାଗା ତାଙ୍କର ପୈତୃକ ସମ୍ପତି ଅଟେ । ସେ ମାପଚୁପ କରି ତାଙ୍କ ଜାଗାରେ ଏକ ଇନ୍ଦିରାଆବାସ ଗୃହ ନିର୍ମାଣ କରି ସପରିବାରେ ରହୁଛନ୍ତି । ତେବେ ଗ୍ରାମ ରାସ୍ତାରୁ ଅବରୋଧ ହଟାଇବାକୁ ମାପଚୁପ ସମୟରେ ତାଙ୍କ ଜାଗାର କୌଣସି ଅଂଶ ସରକାରୀ ଜାଗାରେ ନଥିବା ଜଣାଯାଇଥିଲା । ତେବେ ଗତ ଜୁନ ମାସ ୨୬ତାରିଖରେ ଗ୍ରାମରେ ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ ବେଳେ ତାଙ୍କ ଘର ବାରଣ୍ଡାକୁ ଭଙ୍ଗାଯିବାରୁ ସେ ବିରୋଧ କରିଥିଲେ । ପରେ ଶ୍ୟାମସୁନ୍ଦର ସେହିମାସ ୩୦ତାରିଖରେ ତିହିଡି଼ରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଏ ସମ୍ପର୍କରେ ଜିଲାପାଳଙ୍କୁ ନିକଟରେ ଅଭିଯୋଗ କରିଥିଲେ । ଗତ ୨୬ତାରିଖରେ ଗ୍ରାମରେ ୨ୟ ପର୍ଯ୍ୟାୟ ଉଛେଦ ସମୟରେ ପୁନର୍ବାର ତାଙ୍କ ବାରଣ୍ଡାକୁ ଭଙ୍ଗା ଯାଇଥିଲା । ସେ ଏହାର ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା ଅମିନ ତାଙ୍କୁ ଧମକ ଦେଇଥିଲେ। ଗ୍ରାମର ଜଣେ ପ୍ରତିପତିଶାଳୀ ବ୍ୟକ୍ତିଙ୍କ ବାଡ଼ ଓ ଗେଟକୁ ସୁରକ୍ଷା ଦେବାକୁ ତାଙ୍କ ବାରଣ୍ଡା ଭଙ୍ଗା ଯାଇଛି ।