ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟ ଉତ୍କଳ ଭୂଇଁର ଗୋଡ଼ି-ମାଟି, ନଦ-ନଦୀ, ପାଣି-ପବନ ସବୁରି ଦେହରେ ନାନା ଦେବାଦେବୀଙ୍କର ଅସ୍ତିତ୍ୱ ଏଭଳି ଲୁଚି ରହିଛି ଯେ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ‘ବାରମାସରେ ତେରପର୍ବ’ ସମସ୍ତଙ୍କ ଧର୍ମର୍ୀୟ ବିଶ୍ୱାସକୁ ରୁଦ୍ଧିମନ୍ତ କରିଛି । ଯଦିଓ ସମସ୍ତଙ୍କ ପର୍ବପର୍ବାଣୀ ଓ ପୂଜା ପରମ୍ପରାର ରୀତି-ନିତୀ ଭିନ୍ନ, ତଥାପି ମନୁଷ୍ୟ ଜାତିର ବିବିଧତା ମଧ୍ୟରେ ମାନବିକତା ଓ ଧର୍ମୀୟ ଭାବନାର ଏକେଶ୍ୱରବାଦ ସଭିଙ୍କ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଚଳିତ ମକର ସଂକ୍ରାନ୍ତିରେ ଆମ ରାଜ୍ୟର ବିଭିନ୍ନ ଦେବାଦେବୀ ପୀଠ ଉତ୍ସବ ମୁଖର ହୋଇଉଠିଥିବାବେଳେ ସେଥିମଧ୍ୟରୁ ଭଦ୍ରକ ଜିଲାର ୧୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ମା’ କାଳୀତ୍ରା ଦେବୀ ପୀଠର ସ୍ୱତନ୍ତ୍ରତା ଅନ୍ୟତମ । ମକର ସଂକ୍ରାନ୍ତୀରେ ଏହି ପୀଠକୁ ଜିଲାର ବିଭିନ୍ନ ଅଞ୍ଚଳ ସମେତ ପଡ଼ୋଶୀ ଜିଲାରୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଦିବସବ୍ୟାପୀ ଲାଗିରହିଥିବାବେଳେ ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧି ଓ ସ୍ଥାନୀୟ ନେତାମାନଙ୍କୁ ଦେଖିବାକୁ ମିଳିଥାଏ । ମାତ୍ର ୧୬ନମ୍ବର ଜାତୀୟ ରାଜପଥରୁ ଏହି ପୀଠକୁ ନିର୍ମାଣ ହୋଇଥିବା କଂକ୍ରିଟ୍ ରାସ୍ତାଟିର ଦୂରବସ୍ଥା ଲୋକଙ୍କ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।
ତେବେ ଏହି ପୀଠର ଐତିହ୍ୟ ପ୍ରାୟ ଶହେ ବର୍ଷର ବୋଲି କହିଛନ୍ତି ସ୍ଥାନୀୟ ସମିତିସଭ୍ୟ ତଥା ବିଜୁ ଯୁବ ଜନତା ଦଳର ଭଦ୍ରକ ଜିଲା ସଭାପତି ମୁକୁନ୍ଦଦେବ ସାମଲ । ତେବେ ବି ଅନ୍ୟ ପ୍ରାଚୀନ ପୀଠର ଧର୍ମୀୟ ବିଶ୍ୱାସଠାରୁ ଏହାର ମହନୀୟତା କୌଣସି ଗୁଣରେ କମ୍ ନୁହେଁ । ପ୍ରତିବର୍ଷ ଏହି ଉତ୍ସବକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ନିମନ୍ତେ ବହୁ ଶ୍ରଦ୍ଧାଳୁ ମାନସିକକାରୀ ଖେଚୁଡ଼ି ପ୍ରସାଦ ବଣ୍ଟନ କରିଥିବାବେଳେ ଗତ କିଛିବର୍ଷ ଧରି ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ ଟିକନ ପରିଡ଼ାଙ୍କ ଦ୍ୱାରା ଏହି ପ୍ରସାଦ ବିତରଣ କରୁଥିବାର ଜଣାପଡ଼ିଛି । ଏହି ପୀଠର ଇତିହାସ ଯାହା କୁହେ, ଭଦ୍ରକ ବ୍ଲକ ଅଧିନସ୍ଥ ବହୁଦରଡ଼ା ଗ୍ରାମର ମଣି ବେହେରା ନାମକ ଜଣେ ଦେବୀ ଉପାସକ ରହୁଥିଲେ । ସେ ନିଜର ଯୁବାବସ୍ଥାରେ ନିକାଞ୍ଚନ ସ୍ଥାନରେ ସାଧନା କରିଆସୁଥିବା ସମୟରେ ଏକଦା ନିକଟସ୍ଥ ଅଞ୍ଚଳର ପ୍ରଭାବିତ ହେଉଥିବା ରେବ ନଦୀକୂଳ ଏକ ବରୁଣ ଗଛରେ କେଉଁ ଆବାହନକାଳରୁ ରହି ଜନୈକା ଯୁବତୀ ଦ୍ୱାରା ପୂଜାପାଇ ଆସୁଥିବା ମା’ କାଳୀତ୍ରା ତାଙ୍କୁ ସ୍ୱପ୍ନାକୃତ ହୋଇଥିଲେ । ମା’ଙ୍କ ସ୍ୱପ୍ନାଦେଶ ଅନୁସାରେ ତାଙ୍କର ଆବିର୍ଭାବ ଘନଜଙ୍ଗଲ ଘେରା ଏକ ବରୁଣ ଗଛରେ ହୋଇଥିଲା । ଯେଉଁ ସ୍ଥାନକୁ ମଣି ବେହେରା ପରବର୍ତ୍ତୀ ଅବସ୍ଥାରେ ନିଜର ସାଧନର ପୀଠ ଭାବେ ବାଛି ନେଇଥିଲେ । ୩୦/୩୫ବର୍ଷର ଯୁବକ ମଣି ବେହେରା ସେହି ଘନଜଙ୍ଗଲ ଘେରା ଗନ୍ଧ ପଳାସ, ବରୁଣ, ଲିମ୍ବ ଓ ତେନ୍ତୁଳି ଗଛ ଗହଣରେ ସମ୍ପୂର୍ଣ୍ଣ ସମୟ କଟାଇବା ଭିତରେ ବରୁଣ ମୂଳର ମା’ କାଳୀତ୍ରାଙ୍କ ଦିବ୍ୟାଦେଶପାଇଁ ବାବା ମଣି ଦାସରେ ପରିଣତ ହୋଇଥିଲେ । ଏହାପରେ ଆଖପାଖ ଅଞ୍ଚଳ ସମେତ ପଡ଼ୋଶୀ ଜିଲାର ବହୁ ରୋଗୀ, ଭୋଗୀ ଏବଂ ବିଭିନ୍ନ ସମସ୍ୟା ପ୍ରପୀଡ଼ିତ ଲୋକେ ତାଙ୍କ ନିକଟକୁ ଆସି ମା’ଙ୍କ କରୁଣାରୁ ମୁକ୍ତି ପାଇଥିଲେ । ଏବେ ବି ବଞ୍ôଚଥିବା ଅଶିତିପର ବହୁ ବୃଦ୍ଧ-ବୃଦ୍ଧାଙ୍କ କହିବାମୂଳେ ବାବା ମଣି ଦାସ ବାମ ହାତରେ ଧରିଥିବା ବେତ ମାଡ଼କରି ଘା-ଘଉଡ଼ ଓ ପୂଜ ରକ୍ତରେ ଜର୍ଜରିତ ରୋଗୀଙ୍କ କ୍ଷତ ସ୍ଥାନରେ ମୁହଁ ଲଗାଇ ଶୋଷି ଆରୋଗ୍ୟ କରୁଥିଲେ ।
ତାଙ୍କ ମହିମା ଏଭଳି ବ୍ୟାପୀ ଯାଇଥିଲା ଯେ ଅନ୍ୟ ରାଜ୍ୟର ବହୁ ଶ୍ରଦ୍ଧାଳୁ ଭକ୍ତ ତାଙ୍କ ନିକଟକୁ ଆସି ବରୁଣ ଗଛର ସିନ୍ଦୁର ବୋଳା ସେହି ମା’ କାଳୀତ୍ରାଙ୍କୁ ଯୋଡ଼ା ଘୋଡ଼ା ଓ କଳା କୁକୁଡ଼ା ମନାସୀ ମନସ୍କାମନା ପୂର୍ଣ୍ଣ କରୁଥିଲେ । ସେହିଦିନଠାରୁ ମା’ କାଳୀତ୍ରାଙ୍କ ପୀଠରେ ପ୍ରତ୍ୟେକ ମକର ସଂକ୍ରାନ୍ତି ଦିନ ଦିବସବ୍ୟାପୀ ଉତ୍ସବ ପାଳନ କରାଯାଉଥିବାବେଳେ ଶିବରାତ୍ରୀ ଦିନ ୫ଦିନ ବ୍ୟାପୀ ହୋମଯଜ୍ଞ ସମ୍ପନ୍ନ ହୋଇଆସୁଛି । ଦୀର୍ଘ ୪୦ ବର୍ଷ ତଳେ ଶତାୟୁ ବାବା ମଣି ଦାସଙ୍କର ପବିତ୍ର ଗୁରୁବାର ଏକାଦଶୀ ଚୁଲିପୂଜା ଦିନ ଦେହାନ୍ତ ହେଲାଣି । ମାତ୍ର ତାଙ୍କ ଅନ୍ତେ ମା’ଙ୍କ ପୂଜାର୍ଚ୍ଚନାର ଦାୟିତ୍ୱ ତାଙ୍କର କନିଷ୍ଠ କନ୍ୟା କମଳା ଦେବୀ ହାତକୁ ନେଇଥିବାବେଳେ ଚଳିତବର୍ଷ ଠାରୁ ଏକ ଟ୍ରଷ୍ଟି ଗଠନ ହୋଇ ଏହାର ପରିଚାଳନା ଭାର ଗ୍ରହଣ କରିଛି । ତେବେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଉଦ୍ୟମରେ ଏହାର ପରିସରରେ ଏକ କଲ୍ୟାଣ ମଣ୍ଡପ ଓ ପୁଷ୍କରିଣୀ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଏବେ ବୃକ୍ଷବାସିନୀ ସିନ୍ଦୁରାମୟୀ ମା’ କାଳୀତ୍ରାଙ୍କ ମହିମା ଏଭଳି ପ୍ରସାର ଲାଭ କରିଛି ଯେ ଜାତୀୟ ରାଜପଥରେ ଯାଉଥିବା ପ୍ରତ୍ୟେକ ଯାନବାହାନ ନିମିଷକପାଇଁ ହେଉପଛେ ଅଟକି ଆଶୀର୍ବାଦ ନେଇଥାଏ । ଯଦିଓ ଏବେ ଏହି ପୀଠରେ ସେମିତି ଘନ ଜଙ୍ଗଲ ନାହିଁ, ତଥାପି ଶୂନଶାନ୍ ଲାଗୁଥିବା ଚତୁଃପାଶ୍ୱର୍ ବିଲ ମଧ୍ୟରେ ବେଶ୍ କିଛି ଉଚ୍ଚ ବୃକ୍ଷ ଗହଣରେ ମା’ଙ୍କ ଆସ୍ଥାନ ଓ ବାବା ମଣିଦାସଙ୍କ ସମାଧି ପୀଠର ପ୍ରତିମୂର୍ତ୍ତି ସମସ୍ତଙ୍କ ପାଇଁ କରୁଣାର ବାରି ଢ଼ାଳି ଚାଲିଛି ।