ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସର, ନଳାଙ୍ଗ, ଭଦ୍ରକଙ୍କ ସମେତ ତାଲୁକ ସ୍ତରରେ ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ଅଦାଲତ ପରିସରରେ ମଇ ମାସ ୯ ତାରିଖରେ(ଦ୍ୱିତୀୟ ଶନିବାର) ଦିନ ଅନୁଷ୍ଠିତ ହେବାକୁ ଯାଉଅଛି। ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ସଚିବ ପୁଣ୍ୟଶ୍ଲୋକ ରଥ ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ଆଇନ ସେବା ପ୍ରାଧୀକରଣ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କୁ ନିଃଶୁକ୍ଳ ଆଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଚାଲୁ ରହିଥିବା ମାମଲାର ସହଜ ସମାଧାନ ପାଇଁ ଏବଂ ଆର୍ôଥକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମୋକଦ୍ଦମା ଯଥା ଫୌଜଦାରୀ (କମ୍ପରମାଇଜି /ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ୱ ମାମଲା, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (କମ୍ପରମାଇଜି /ସାଲିସ ବିହୀନ ବିବାଦକୁ ବାଦ ଦେଇ) ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା , ଭତା ଓ ଅବସର କାଳୀନ ପ୍ରାପ୍ୟ), ମୋଟର ଯାନ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ, କେବଳ ବିଚାରଧିନ ମୋକଦ୍ଦମା ନୁହେଁ, ପ୍ରାକ ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇ ନଥିବା), ଚେକ ବାଉନ୍ସ ମାମଲା, ବି.ଏସ୍.ଏନ୍.ଏଲ୍, ବ୍ୟାଙ୍କ ଋଣ ବିବାଦ , ଶ୍ରମ ଓ ନିଯୁକ୍ତି ବିବାଦ, ଅନ୍ୟାନ୍ୟ କମ୍ପରମାଇଜି/ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଏହାର ସୁବିଧା ଯେପରି ଲୋକମାନେ ପାଇ ପାରିବେ ଓ ଏହାର ପ୍ରଚାର ପ୍ରସାର ମାଧ୍ୟମରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇପାରିବେ, ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟା ଜାରି ରଖିଛନ୍ତି । ଜନ ସାଧାରଣ କୌଣସି ଦ୍ୱନ୍ଦ ବା ଭୟଭୀତ ନ ହୋଇ ଏହାର ସୁଯୋଗ ନେବାକୁ କୁହା ଯାଇଛି ।