Odiapua.com

ମଂଜୁଳ ମଂଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୧ତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ, ସମଗ୍ର ଭାରତବର୍ଷରେ ଆଂଚଳିକ ଭାଷାକୁ ନେଇ ପ୍ରଣିତ ଶିକ୍ଷାନୀତି ଏକ ବୈପ୍ଳବିକ ପରିବର୍ତନ ଆଣିବ – ମନ୍ତ୍ରୀ ସୂର୍ଯ୍ୟବଂଶୀ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ଜାତି, ରାଷ୍ଟ୍ରକୁ ଧ୍ୱଂସ କରିବାକୁ ହେଲେ ତାର ସଂସ୍କୃତି ଓ ଶିକ୍ଷାର ମାନକୁ ପ୍ରଥମେ ହ୍ରାସ କରିବାକୁ ପଡିବ। ଏଣୁ ଆମର ଚିର ନମସ୍ୟ ପୂଣ୍ୟାତ୍ମା ଯୋଗୀଋଷିମାନଙ୍କ ଏ ମହାନ୍ ଦେଶର ସଂସ୍କୃତି ଓ ଶିକ୍ଷାକୁ ଧ୍ୱଂସ କରିବାରେ ପରାଧୀନତାର ଭାରତବର୍ଷର ମାଟିରେ ଇଂରେଜମାନେ ନିଜ ଭାଷାର ପ୍ରାଧାନ୍ୟ ଦିଗରେ ଯେଉଁ ବୀଜ ରୋପଣ କରିଥିଲେ, ଦୀର୍ଘବର୍ଷ ପରେ ତାର ଅନ୍ତଃ ଘଟିବାକୁ ଯାଉଛି। ୨୦୨୦ ଶିକ୍ଷାବର୍ଷ ଠାରୁ ଭାରତବର୍ଷରେ ନିଜ ନିଜ ଆଂଚଳିକ ଭାଷାକୁ ନେଇ ଯେଉଁ ଶିକ୍ଷାନୀତି ପ୍ରଣୟନ କରାଯାଉଛି, ତାହା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ଆଜି ଭଦ୍ରକ ନୂଆବଜାରସ୍ଥିତ ମଂଜୁଳ ମଂଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାଇପାସ୍ ଛପୁଲିଆରେ ଥିବା ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ୪୧ତମ ବାର୍ଷିକ ଉତ୍ସବର ଉଦ୍‌ଯାପନ ଦିବସରେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି। ରାଜ୍ୟ ଶିକ୍ଷା ବିକାଶ ସମିତି ଅଧୀନରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ସମଗ୍ର ଦେଶକୁ ଯେଉଁ ଶୈକ୍ଷିକ ପରମ୍ପରା ଦେଇଛି, ତାହା ଅନନ୍ୟ। ଏବଂ ଏଭଳି ଏକ ଆଦର୍ଶ ମଣିଷ ତିଆରି କାରଖାନାରେ ସେ ଅଧ୍ୟୟନ କରି ଗୁରୁ-ଛାତ୍ର ପରମ୍ପରାରେ ଯେଉଁ ଶିକ୍ଷାଲାଭ କରିଛନ୍ତି, ତାହା ତାଙ୍କୁ ଆଜି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ଅବସ୍ଥାପିତ କରିପାରିଛି। ଏକଦା ଆମ ରାଜ୍ୟରେ ଏହି ଶିଶୁ ବିଦ୍ୟାମନ୍ଦିର ଭଳି ଏକ ଜାତୀୟତାବାଦୀ ସଂସ୍କୃତି ସଂପନ୍ନ ଶିକ୍ଷାନୁଷ୍ଠାନକୁ କଳଙ୍କିତ କରିବାରେ ଯେଉଁ ଚକ୍ରାନ୍ତକାରୀମାନେ ଉଦ୍ୟମ କରିଥିଲେ, ତାହା କେତେ ଅସତ୍ୟ ଉପରେ ପର୍ଯ୍ୟବେସିତ ଥିଲା, ତାହାର ଉଦାହରଣ ଆଜି ମୋହନ ଚରଣ ମାଝୀଙ୍କ ଭଳି ଜଣେ ଶିଶୁମନ୍ଦିରର ଗୁରୁଜୀଙ୍କର ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତକୁ ପ୍ରମାଣିତ କରିଛି। ଏବଂ ସେ ଆଜିର ଏହି ଅନୁଷ୍ଠାନରୁ ଶିକ୍ଷାଲାଭ କରିଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି ବୋଲି କହିଛନ୍ତି। ଏହି ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବର ଗତକାଲିର ପ୍ରଥମ ଦିନର ଉତ୍ସବକୁ ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଶିକ୍ଷାନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ହୃଷିକେଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦନା ଓ ସ୍ୱାଗତ ସଂଗୀତ ଗାନ କଲାପରେ ଅନୁଷ୍ଠାନର ସଂପାଦକ ଆଇନ୍‌ଜୀବୀ ସନ୍ତୋଷ କୁମାର ଦାସ ଅତିଥି ପରିଚୟ, ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ମହାପାତ୍ର ନିଜ ଅଭିଭାଷଣରେ ଆମ ରାଜ୍ୟରେ ଛତୁ ଫୁଟିଲା ଭଳି ବହୁ ଇଂଲିଶ୍ ମିଡିୟମ୍ ଶିକ୍ଷାନୁଷ୍ଠାନ ଗଢି ଉଠୁଥିବାବେଳେ ବିନା ସରକାରୀ ସହାୟତାରେ ସରସ୍ୱତୀ ଶିଶୁ ମନ୍ଦିର ଯେଭଳି ଭାବେ ନିଜର ଆଦର୍ଶକୁ ବଜାୟ ରଖି ତାଙ୍କଭଳି ଜଣେ ଶିକ୍ଷାର୍ଥୀଙ୍କୁ ଆଜି ସମାଜସେବା କ୍ଷେତ୍ରର ଜଣେ ଜନସେବକ ଭାବେ ତିଆରି କରିଛି, ତାହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ। ଏହି ଉଦ୍‌ଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଡିଆଇବି) ଅଂଶୁମାନ ଦ୍ୱିବେଦୀ, ମୁଖ୍ୟବକ୍ତା ଭାବେ ଓଡ଼ିଶା ଶିକ୍ଷା ବିକାଶ ସମିତିର ପୂର୍ବୋତର ସମ୍ଭାଗର ସଂପାଦକ ପ୍ରାଧ୍ୟାପକ ଅମୂଲ୍ୟ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଗୁରୁଜୀ ଗୁରୁମା ମାନଙ୍କୁ ଛାତ୍ର ଓ ଗୁରୁ ପରମ୍ପରାର ଆଦର୍ଶ ସଂପର୍କରେ ସୂଚାଇଥିଲେ। ଅନୁରୂପ ଆଜିର ଉଦ୍‌ଯାପନ ଦିବସରେ ଅତିଥିମାନେ ବିଦ୍ୟାଳୟର ମୁଖପତ୍ର ‘ଭାରତୀ’ ଉନ୍ମୋଚନ କରିବା ପରେ ଓଡ଼ିଶା ଶିକ୍ଷା ବିକାଶ ସମିତି ‘ସୋଧ’ ସଦସ୍ୟା ପ୍ରାଧ୍ୟାପିକା ଡ. ତରୁଲତା ଦେବୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ମୂଲ୍ୟବୋଧ ଭିତିକ ଉଦ୍‌ବୋଧନୀରେ ସମସ୍ତଙ୍କୁ ଚମତ୍‌କୃତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି, ଶିକ୍ଷା ବିକାଶ ସମିତି ଓ ଶିକ୍ଷାନୁଷ୍ଠାନର ବହୁ ବରିଷ୍ଠ କର୍ମକର୍ତା, ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବେଦ ଉପନିଷଦର ଜଣେ ଅନନ୍ୟ ଉପାସକ ପରାଗ ରାୟଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ କୋଷାଧ୍ୟକ୍ଷ ବସନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।