ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଜାଗରଯାତ୍ରା ପାଇଁ ଗତ ରବିବାର ଦିନତମାମ ଉତ୍ସବ ମୁଖର ହୋଇ ଉଠିଥିଲା ବାବା ଆଖଣ୍ଡଳମଣିଙ୍କ ପୀଠ ରୀତିନୀତି ଓ ପରମ୍ପରା ଅନୁଯାୟୀ ସମସ୍ତ ସକାଳ ନୀତି ସରିବା ପରେ ସଂଧ୍ୟା ୬ଟାରୁ ୪ପ୍ରହର ନୀତି ଆରମ୍ଭ ହୋଇ ରାତ୍ର ୧୨ଟାରେ ସରିଥିଲା ପୂଜାର୍ଚ୍ଚନା। ପରେ ଗର୍ଭଗୃହକୁ ସୋଧନ କରାଯାଇ ଦୁର୍ଲଭ ସୁନାବେଶରେ ବାବାଙ୍କୁ ସଜ୍ଜିତ କରାଯିବା ପରେ ଲକ୍ଷାଧିକ ଭକ୍ତ ସାହାଣମେଲାରେ ଦର୍ଶନ କରିଥିଲେ। ପୀଠକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତମାନେ ରାତ୍ର ଉଜାଗର ରହି ବାବାଙ୍କ ମନ୍ଦିର ସମୁଖରେ ଥିବା ଶିବଗଙ୍ଗା ପୁଷ୍କରିଣୀ କୂଳରେ ଜାଗର ଦୀପ ଜାଳିଥିଲେ ପରେ ରାତ୍ର ୩ଟାରେ ମହାଦୀପ ସେବାୟତ ଅମର ପାଢ଼ୀଙ୍କ ଦ୍ୱାରା ପ୍ରସ୍ତୁତ କରାଯିବା ପରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ବାବାଙ୍କ ପାଖରେ ଗୁପ୍ତ ଷୋଡ଼ଶ ଉପଚାର ପୂଜାରେ ଅଗ୍ନି ସଂଯୋଗ କରାଯାଇ ଭକ୍ତ, ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ଗହଣରେ ମହାଦୀପକୁ ମନ୍ଦିର ବେଢ଼ା ପରିକ୍ରମା କରାଯାଇ ଭୋର ୪ଟା୩୦ରେ ମନ୍ଦିର ଚୂଡ଼ାରେ ସ୍ଥାପନ କରାଯାଇଥିଲା। ପୀଠରେ ଶାନ୍ତିଶୃଙ୍ଖଳାର ସହ ନୀତିକାନ୍ତି ଓ ଜାଗରଯାତ୍ରା ପାଳିତ ହୋଇଥିବାରୁ ଜିଲାପ୍ରଶାସନ ପକ୍ଷରୁ ଭଦ୍ରକ ଜିଲାପାଳ ତଥା ଜାଗରଯାତ୍ରାର ଅଧ୍ୟକ୍ଷ ଦିଲିପ ରାଉତରାୟ ସମସ୍ତ ସେବାୟତଙ୍କୁ ସାଧୁବାଦ ଜଣାଇଛନ୍ତି। ସେହିପରି ବିଭିନ୍ନ ଦଳର ନେତାଙ୍କ ସହ ବରିଷ୍ଠ ଅଧିକାରୀ ବାବାଙ୍କୁ ଦର୍ଶନ କରିବା ସହ ଦୀପ ଜାଳିଥିଲେ। ପୀଠରେ ଶାନ୍ତିଶୃଙ୍ଖଳା ଓ ସଫେଇ ପାନୀୟ ଜଳ ଯୋଗାଣ , ନିରବିଚ୍ଛିନ୍ନ ବିଜୁଳି, ୨୪ଘଂଟିଆ ସ୍ୱାସ୍ଥ୍ୟସ୍ୱେବା ଆଦି ଯୋଗାଇ ଦେବା ପାଇଁ ଜିଲାର ପୁଲିସ ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀ ସତ୍ୟସାଇ ସେବା, ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଶିବିରର ଛାତ୍ରଛାତ୍ରୀ, ବାବାମଣି ଫାଉଣ୍ଡେସନ, ଜିଲା ରକ୍ତ ସଂଗଠନ, ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟ ସହ ବହୁ ସ୍ୱେଛାସେବୀ ସଂଗଠନ ନିୟୋଜିତ ରହି କାର୍ଯ୍ୟ ତୁଲାଇଥିଲେ।