Odiapua.com

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ପୁରୀ ୯/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୨୦୨୩ ବର୍ଷ ପାଇଁ ନୂତନ ଓ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଅର୍ଥାତ ନଭେମ୍ବର ୯ ତାରିଖ ଠାରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ନୂତନ ଭୋଟର ତାଲିକା ପ୍ରସ୍ତୁତି ପ୍ରକିୟା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ଭୋଟର ବିଶେଷ କରି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ବ୍ୟାପକ ସଚେତନ କରାଯିବା ସହ ୧୭ ବର୍ଷ ରୁ ଉର୍ଦ୍ଧ୍ବ ନାଗରିକ ଙ୍କୁ ଆବେଦନ ପତ୍ର ଦାଖଲ ରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଗୋଟିଏ ବର୍ଷ ରେ ୪ ଥର ଅର୍ଥାତ ଜାନୁଆରୀ ୧, ଅପ୍ରେଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖକୁ ଯୋଗ୍ୟତା ସୂଚକ ତାରିଖ ଧରାଯାଇ ନୂତନ ଭୋଟର ମାନେ ଭୋଟର ତାଲିକାରେ ନାମ ଅନ୍ତଭୁକ୍ତ କରିବା ପାଇଁ ୬ ନମ୍ବର ଫର୍ମରେ ଆବେଦନ କରିପାରିବେ ବୋଲି କହିଥିଲେ। ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ବିସ୍ତୃତ ସୂଚନା ଦେଇ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଆଶାୟୀ ଭୋଟର ମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପ ଲାଇନ ଆପ୍ ଡାଉନଲୋଡ଼ କରି ନିଜେ ଆବେଦନ କରିପାରିବେ।ନିକଟସ୍ଥ ବୁଥ ସ୍ତରୀୟ ଅଧିକାରୀ ଙ୍କ ସହଯୋଗରେ ଗରୁଡ଼ ଆପ୍ ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରିପାରିବେ।ପ୍ରବାସୀ ଭାରତୀୟ ଭାବେ ନାମ ପଞ୍ଜିକରଣ ପାଇଁ ଫର୍ମ ୬ କ, ଭୋଟର ତାଲିକା ସହ ଆଧାର ସଂଯୋଗ ପାଇଁ ଫର୍ମ ନଂ ୬ ଖ, ନାମ ବାଦ ଦେବା ପାଇଁ ଫର୍ମ ନଂ ୭ ଓ ଭୋଟର ତାଲିକାରେ ତୃଟି ସଂଶୋଧନ ପାଇଁ ଫର୍ମ ନଂ ୮ କୁ ଉପଯୋଗ କରିପାରିବେ। ଚଳିତ ମାସ ୧୨ ଓ ୧୩ ଏବଂ ୨୬ ଓ ୨୭ ତାରିଖ କୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ଏହି ଦିନ ରେ ସମସ୍ତ ବୁଥରେ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ରେ ସହଯୋଗ କରିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ। ବର୍ତ୍ତମାନ ଜିଲ୍ଲା ର ୧୫୯୩ ବୁଥ ରେ ୧୩୪୭୩୩୦ ଭୋଟର ରହିଛନ୍ତି। ପୂର୍ବ ଭୋଟର ତାଲିକାରେ ଥିବା ଦୋହରା ନାମ, ମୃତ ଓ ସ୍ଥାନାନ୍ତର ୪୪୦୧୨ ଜଣ ଭୋଟରଙ୍କୁ ବାଦ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର ପାତ୍ର, ଡେପୁଟି କଲେକ୍ଟର ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଶ୍ରୀ ରାଜ ବଲ୍ଲଭ ନାୟକ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇଥିଲେ।