Odiapua.com

ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଯାଜପୁର ୧୯ା୧୧ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି। ୨୦୨୧ ଜାନୁଆରୀ ୧କୁ ଯୋଗ୍ୟତା ତାରିଖ ଧରାଯାଇ ଏହି ସମୟକୁ ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିପାରିବେ ବୋଲି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ସୂଚନା ଦେଇଛନ୍ତି। ଚଳିତ ମାସ ୧୬ ତାରିଖରୁ ଜିଲ୍ଲାର ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ଭୋଟର ତାଲିକା ପ୍ରକାଶ ପାଇଛି। ଏହାକୁ ଭୋଟରମାନେ ଅନୁଧ୍ୟାନ କରିପାରିବେ। ଭୋଟର ତାଲିକାରେ ନାମ ଯୋଗ ପାଇଁ -୬ ନଂ ଫର୍ମ ମାଧ୍ୟମରେ ବିଏଲଓ ବା ବୁଥସ୍ତରୀୟ ଅଧିକାରୀଙ୍କୁ ଆବେଦନ କରିପାରିବେ। ଭୋଟର ତାଲିକାରେ ଗୋଟିଏ ଭୋଟ ଗ୍ରହଣ କେନ୍ଦ୍ରରୁ ଅନ୍ୟ ଏକ ଭୋଟ କେନ୍ଦ୍ରକୁ ନିଜର ନାମ ସ୍ଥାନାନ୍ତର ନିମନ୍ତେ ଫର୍ମ ନଂ ୮(କ) ରେ ଆବେଦନ କରିପାରିବେ। ସେହିପରି ଭୋଟର ତାଲିକାରେ ତୃଟି ଥିଲେ ସଂଶୋଧନ ପାଇଁ ଫର୍ମ ନମ୍ବର ୮ ରେ ଆବେଦନ କରିପାରିବେ। ନୂତନ ଭୋଟର ମାନଙ୍କ ନାମ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଜନସାଧାରଣଙ୍କୁ ବ୍ୟାପକ ଭାବେ ସଚେତନ କରାଯିବ। ଏଥିପାଇଁ ମଧ୍ୟ ଚଳିତମାସ ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖଙ୍କୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପାଳନ କରାଯିବ। ଏହି ଦିନ ମାନଙ୍କରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ଭୋଟରମାନଙ୍କର ଭୋଟର ତାଲିକାରେ ନାମ ଯୋଗ ଓ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ। ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟର ମାନଙ୍କର ଯୋଗ ନିମନ୍ତେ ଭୋଟରମାନେ ମଧ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ WWW.NVSP.in କିମ୍ବା ଭୋଟର ହେଲ୍ପଲାଇନକୁ ଲଗ ଇନ୍ କରି ନିଜର ନାମ ତନଖି କରିପାରିବେ। ଆଗାମୀ ଜାନୁଆରୀ ୫ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ସମାଧାନ କରାଯିବ। ଚୁଡାନ୍ତ ସଂଶୋଧିତ ଭୋଟର ତାଲିକା ୨୦୨୧ ଜାନୁଆରୀ ୧୫ ତାରିଖରେ ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ନିର୍ଦ୍ଧେଶ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ରୋଠୋର କହିଛନ୍ତି। ଭୋଟର ପରିଚୟ ପତ୍ର ଜଣେ ନାଗରିକର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର। ଏହା କେବଳ ମତଦାନ ପାଇଁ ନୁହେଁ ବରଂ ଅନ୍ୟାନ୍ୟ ବିବିଧ କାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ ଯୋଗ୍ୟ ଭୋଟରମାନେ ନିଶ୍ଚିତ ନିଜର ଭୋଟର ପରିଚୟ ପତ୍ର ପ୍ରସ୍ତୁତ କରିବା ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଜିଲ୍ଲାର ୧୬୧୯ଟି ମତଦାନ କେନ୍ଦ୍ରରେ ବର୍ତମାନ ୧୪୮୦୦୨୫ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ୭୬୯୦୭୨ ପୁରୁଷ, ୭୧୦୮୯୦ ମହିଳା ଓ ୬୩ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି ବୋଲି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇଛନ୍ତି। ପୁରୁଷ ଭୋଟର ଶତକଡା ୫୧-୯୬ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮-୦୩ ଭାଗ ରହିଛି ବୋଲି ଶ୍ରୀ ଧଳ ଅବଗତ କରାଇଛନ୍ତି। ନୂତନ ଯୁବ ଭୋଟର ମାନେ ନିଶ୍ଚିତ ସେମାନଙ୍କ ନାମ ଏହି ସମୟ ମଧ୍ୟରେ ପଞ୍ଜିକରଣ କରାଇ ନେବାକୁ ଶ୍ରୀ ଧଳ ଅନୁରୋଧ କରିଛନ୍ତି।