Odiapua.com

ଭୋଗରାଇରୁ୯ ପ୍ଲାଜମାଦାତାଙ୍କ କଟକ ଯାତ୍ରା

ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାକୁ ପ୍ରତିହତ ନିମନ୍ତେ ସମ୍ପ୍ରତି ପ୍ଲାଜମା ଥେରାପି ଭିତ୍ତିକ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆଜି ଭୋଗରାଇ ଅଞ୍ଚଳର ୯ ଜଣ ପ୍ଲାଜମାଦାତା କଟକ ଯାତ୍ରା କରିଛନ୍ତି। କରୋନା ସଂକ୍ରମଣ ପରେ ସୁସ୍ଥ ହୋଇଥିବା କୋଭିଡ୍ ହୀରୋଙ୍କଠାରୁ ପ୍ଲାଜାମା ନେଇ ଅନ୍ୟ ସଂକଟାପନ୍ନ ରୋଗୀଙ୍କୁ ବଞ୍ଚାଇବା ପ୍ରକ୍ରିୟା ଏବେ ରାଜ୍ୟରେ ଜାରି ରହିଛି। ଏନେଇ ସମଗ୍ର ରାଜ୍ୟରେ ଚୟନ କୋଭିଡ୍ ହୀରୋ ବା ପ୍ଲାଜମା ଡୋନୋରଙ୍କ ପୁନଃ କୋଭିଡ୍ ଟେଷ୍ଟ ପରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ଚିହ୍ନଟ ହୋଇଥିବା ୯ ଜଣ କୋଭିଡ ହୀରୋ ପ୍ଲାଜମା ଦାନ ପାଇଁ ଆଜି କଟକ ଏସସିବି ମେଡିକାଲ କଲେଜକୁ ଯାତ୍ରା କରିଛନ୍ତି। ସେମାନଙ୍କ ସହ ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାରରୁ ଜଣେ ଟେକ୍ନିସିଆନ କଟକ ଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ଏହି କୋଭିଡ୍ ହୀରୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏନେଇ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ ପ୍ଲାଜମା ଦାତାଙ୍କୁ ପୁଷ୍ପଗୁ୍ଛ ପ୍ରଦାନ ସହ ସେମାନଙ୍କ ଶୁଭଯାତ୍ରା କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ବରିଷ୍ଠ ବିଜେଡି ନେତା ଶତ୍ରୁଘ୍ନ ମଲ୍ଲିକ, ବରଦା ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଏହି ସମ୍ପର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ।