ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାଜନୀତି ପାଣିପାଗରେ ଆଜି ପୁଣି ସୃଷ୍ଟି ହୋଇଛି ସୁନାମୀ। ବିଜେଡିର ପ୍ରାଥମିକତା ସଦସ୍ୟତାରୁ ନିଜର ବହୁ ସମର୍ଥକଙ୍କ ସହ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ଇସ୍ତଫା ଦେଇଛନ୍ତି ମଣ୍ଡଳ ଦମ୍ପତି। ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବିଜେଡି ନେତା ତଥା ସିମୁଳିଆ ବିଜେଡି ନେତା ଶଶି କୁମାର ସାହୁଙ୍କ ସହ ତାଙ୍କ ଧର୍ମପତ୍ନୀ ସିମୁଳିଆ ବିଜେଡି ବିଧାୟିକା ପ୍ରାର୍ôଥନୀ ସୁବାସିନୀ ସାହୁ ମଧ୍ୟ ଦଳ ଛାଡ଼ିଲେ । ଏହା ଛଡା ମୁକ୍ତି ଙ୍କ ସମର୍ଥକ ତଥା ଅନେକ ସରପଂଚ ଓ ସମିତି ସଭ୍ୟଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ମଣ୍ଡଳ ଦମ୍ପତିଙ୍କୁ ନିଲମ୍ବନ କରିଥିଲା ବିଜେଡି । ତେବେ ସେତେବେଳ ନିଲମ୍ବନର କାରଣ ଜାଣିନଥିବାର କହିଥିଲେ ମୁକ୍ତିକାନ୍ତ ମଣ୍ଡଳ। ସେ ଦିନେ ନବୀନ ପଟ୍ଟନାୟକ ତାଙ୍କର ଆଦର୍ଶ ଥିଲେ ବୋଲି ଗଣମାଧ୍ୟମରେ କହିଥିବାବେଳେ ଆଜି ମଧ୍ୟ ନବୀନ ପଟ୍ଟନାୟକଙ୍କୁ ସେ ପ୍ରଶଂସା କରିବାକୁ ଭୁଲିନଥିଲେ। ମଣ୍ଡଳ ଦମ୍ପତିଙ୍କ ସହ ବିଜୁ ଜନତା ଦଳର ନେତୃତ୍ୱ, ବହୁ ପଦାଧିକାରୀ, ସମବାୟ ପ୍ରତିନିଧି ମଧ୍ୟ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଭଦ୍ରକ ସଂସଦୀୟ କ୍ଷେତ୍ରର ଅନେକ ନେତା ମଧ୍ୟ ଏହି ସାମୂହିକ ଇସ୍ତଫା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପ୍ରଥମେ ନିଲମ୍ବନ ଆଉ ଏବେ ବିଜେଡି ନେତାଙ୍କ ସାମୁହିକ ଇସ୍ତଫା, ଭଦ୍ରକରେ ବିଜେଡି ଦୂର୍ଗର ଅଧଃପତନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏକଦା ଭଦ୍ରକ ବିଜୁ ଜନତା ଦଳର ଗଡ଼ ଥିଲା ବେଳେ ଏବେ କିନ୍ତୁ ଓଲଟା। ଧାମନଗର ଉପ ନିର୍ବାଚନରେ ଆରମ୍ଭ ହୋଇଥିବା ପତନ ଏବେ ସାରା ଭଦ୍ରକ ରେ ଦେଖିବାକୁ ମିଳିଛି। ଉପରୋକ୍ତ ନେତାଙ୍କ ସାମୁହିକ ଇସ୍ତଫା ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।ଇସ୍ତଫା ଦେବା ସହ ବିନା କାରଣ ରେ ଦଳରୁ ନିଲମ୍ବନ କରିବା ରୁ ଆଜି ଇସ୍ତଫା ଦେଇଥିବା କହିଛନ୍ତି ମଣ୍ଡଳ ଦମ୍ପତି। ସେହିଭଳି ଶଶୀ ସାହୁ କହିଛନ୍ତି ସିମୁଳିଆରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରାଣିଗ୍ରାହୀ ଦଳୀୟ ପ୍ରାର୍ଥୀ ଙ୍କୁ ହରାଇବା ପାଇଁ ଚେଷ୍ଟା କଲେ, ଆଉ ସଫଳ ହେଲେ ମଧ୍ୟ । କିନ୍ତୁ ସବୁ ପରେ ମଧ୍ୟ ଜ୍ୟୋତିଙ୍କୁ କ୍ଲିନ ଚିଟ୍ ଦେଇ ଆମକୁ ଦଳ ବିନା କାରଣରେ ନିଲମ୍ବନ କଲେ । ତେଣୁ ବିଜେପି ମୁଖିଆଙ୍କ ସହ କଥା ହୋଇଛି, ଆଗକୁ ବିଜେପିରେ ମିଶିବୁ । ମୁକ୍ତି କହିଛନ୍ତି ଭଦ୍ରକରେ କିଛି କୁଚକ୍ରୀ ଗୋଷ୍ଠୀ ଆମ ନିଲମ୍ବନ ପଛର କାରଣ ହୋଇଥିବା ବେଳେ ଭଦ୍ରକରେ ନରହି ରାଜଧାନୀରେ ରହି ଭଦ୍ରକିଆଙ୍କୁ ଭୁଆଁ ବୁଲାଉଛନ୍ତି। ଖୁବ ଶୀଘ୍ର ଭଦ୍ରକ ବାସି ତାଙ୍କୁ ଉଚିତ ଜବାବ ଦେବେ । ପୂର୍ବତନ ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ କହିଛନ୍ତି ମୋତେ କିଛି ପଚରାନଯାଇ ଜିଲ୍ଲା ସଭାପତି ପରିବର୍ତନ ନିଷ୍ପତି ମୋର ଇସ୍ତଫାର ମୁଖ୍ୟ କାରଣ ।ତେବେ ଆଗକୁ ଇସ୍ତଫା ଦେଇଥିବା ନେତା କେଉଁ ଦଳରେ ଯୋଗ ଦେଉଉଛନ୍ତି ତାହା ଦେଖିବାକୁ ବାକିରହିଲା।