Odiapua.com

ଭୂପୃଷ୍ଠ ଓ ଆକାଶମାର୍ଗରୁ ଦୁଇଟି ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ଭୂପୃଷ୍ଠ ଏବଂ ଆକାଶମାର୍ଗରୁ ଆଜି ଦୁଇଟି ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ), ଭାରତୀୟ ବାୟୁସେନା ଏବଂ ବ୍ରହ୍ମୋସ ପକ୍ଷରୁ ମିଳିତ ଭାବେ ଏହି ପରୀକ୍ଷଣ କରାଯାଇଥିଲା। ଏହି ଦୁଇଟି କ୍ଷେପଣାସ୍ତ୍ର ଶବ୍ଦ ଠାରୁ ଅଧିକ ବେଗରେ ଗତିକରିପାରିବେ।

ପ୍ରଥମ କ୍ଷେପଣାସ୍ତ୍ରଟି ଭୂପୃଷ୍ଠରେ ଥିବା ମୋବାଇଲ ଲଂଚର ଜରିଆରେ ଛଡ଼ା ଯାଇଥିଲା। ଏହି କ୍ଷେପଣାସ୍ତ୍ରର ଏଆର ଫ୍ରେମ, ଇନ୍ଧନ ପରିଚାଳନା ବ୍ୟବସ୍ଥା ଓ ଡିଆରଡିଓ ଦ୍ୱାରା ଡିଜାଇନ ହୋଇଥିବା ଅନ୍ୱେଷକ ସମେତ ଅଧିକାଂଶ ସରଞ୍ଜାମ ସ୍ୱଦେଶ ନିର୍ମିତ।

ଦ୍ୱିତୀୟ କ୍ଷେପଣାସ୍ତ୍ରକୁ ଭାରତୀୟ ବାୟୁ ସେନା ଦ୍ୱାରା ସୁ-୩୦ଏମକେଆଇ ପ୍ଲାଟଫର୍ମରୁ ସମୁଦ୍ରରେ ଥିବା ଏକ ଲକ୍ଷ୍ୟ ଉଦ୍ଦେଶ୍ୟରେ ଛଡ଼ା ଯାଇଥିଲା। ଉପଯୋଗକାରୀ ବ୍ୟବସ୍ଥାରେ ଏହି ପରୀକ୍ଷଣ କରାଯାଇଥିଲା। ଆକାଶମାର୍ଗରୁ ଛଡ଼ାଯାଇଥିବା ଏହି କ୍ରୁଜ କ୍ଷେପଣାସ୍ତ୍ର ଜାହାଜରୁ ହୋଇଥିବା ଆକ୍ରମଣକୁ ସଫଳତା ପୂର୍ବକ ପ୍ରତିହତ କରିଥିଲା। ପରୀକ୍ଷଣ ସମୟରେ ଆକାଶମାର୍ଗରୁ ଛଡ଼ାଯାଇଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ର ସମୁଦ୍ରରେ ଥିବା ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ସଠିକ ଭାବେ ଭେଦ କରିବାକୁ ସକ୍ଷମ ହୋଇଥିଲା।

ପୂର୍ବରୁ ମେ ୨୨, ୨୦୧୯ରେ ଭାରତୀୟ ବାୟୁସେନା ପକ୍ଷରୁ କାର ନିକୋବର ଦ୍ୱୀପାଂଚଳରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା, ଯାହା ସଫଳତା ପୂର୍ବକ ଭୂପୃଷ୍ଠରେ ଥିବା ଲକ୍ଷ୍ୟକୁ ଭେଦ କରିପାରିଥିଲା। ବ୍ରହ୍ମୋସ କ୍ରୁଜ କ୍ଷେପଣାସ୍ତ୍ର ଷ୍ଟାଣ୍ଡଅଫ ରେଞ୍ଜରୁ ଆକାଶମାର୍ଗରେ ଭାରତୀୟ ବାୟୁ ସେନାର ପ୍ରତିରକ୍ଷା ସାମର୍ଥ୍ୟକୁ ସୁଦୃଢ଼ କରିବ।

ଡିଆରଡିଓ, ବ୍ରହ୍ମୋସ ଏବଂ ଭାରତୀୟ ବାୟୁସେନା ଟିମକୁ ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି। ବ୍ରହ୍ମୋସର ମହାନିର୍ଦ୍ଦେଶକ ଡ. ସୁଧୀର ମିଶ୍ର, ପ୍ରତିରକ୍ଷା ଗବେଷଣା ଓ ବିକାଶ ଗବେଷଣାଗାର ନିର୍ଦ୍ଦେଶକ ଡ. ଦଶରଥ ରାମ, ଓ ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଡ. ବିନୟ କୁମାର ଦାସ ଏହି ପରୀକ୍ଷଣ ଅବସରରେ ଉପସ୍ଥିତ ଥିଲେ।