Odiapua.com

ଭୁଶୁଡି ପଡୁଛି ସ୍ୱାସ୍ଥ୍ୟସେବା : ୬୦ ଡାକ୍ତରଖାନାକୁ ୧୨ ଡାକ୍ତର

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ହେଲା ଡାକ୍ତର ଓ କର୍ମଚାରୀ ଅଭାବ ଜିଲାରେ ଲାଗି ରହିଥିବାବେଳେ କରୋନା ବେଳେ ଏହା ଆହୁରି ଭୟଙ୍କର ହୋଇଛି । ଅଧିକାଂଶ ଡାକ୍ତର ନାମକୁ ମାତ୍ର ଡାକ୍ତରଖାନା ଆସୁଥିବାବେଳେ ନର୍ସ ଓ ଫାର୍ମାସିଷ୍ଟଙ୍କ ଜରିଆରେ ଚାଲିଛି ସ୍ୱାସ୍ଥ୍ୟସେବା । ରୋଗୀଙ୍କୁ କେବଳ ଭଗବାନ ଭରସା । ଭଦ୍ରକ ଜିଲାରେ ଏବେ ସରକାରୀ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଲାଣି । ଭଦ୍ରକ ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଛାଡି ରହିଛି ୬୦ ଟି ଡାକ୍ତରଖାନା । ୬୦ ଗୋଟି ଡାକ୍ତରଖାନା ପରିଚାଳନା ଲାଗି ରହିଛନ୍ତି ମାତ୍ର ୧୨ ଜଣ ଡାକ୍ତର । ସୂଚନା ଅନୁଯାୟୀ ଭଦ୍ରକ ଜିଲାରେ ମୁଖ୍ୟ ଚିକିତ୍ସାଳୟକୁ ଛାଡି ୭ ଗୋଟି ବ୍ଲକ୍‌ରେ ରହିଛି ୭ ଗୋଟି ସିଏଚ୍‌ସି ବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର, ୫୦ ଗୋଟି ପିଏଚ୍‌ସି (ନିୟୁ) ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଗୋଟିଏ ଏରିଆ ହସ୍‌ପିଟାଲ, ଗୋଟିଏ ଆଇ ହସ୍‌ପିଟାଲ ଏବଂ ପୁରୁଣା ବଜାର ହସ୍‌ପିଟାଲ । ଯେଉଁଥିରେ ରହିଛନ୍ତି ମାତ୍ର ୧୨ ଜଣ ଡାକ୍ତର । ସେହିପରି ଭଣ୍ଡାରିପୋଖରୀ, ଆଗରପଡା, ବାସୁଦେବପୁର ଓ ବରପଦା ସିଏଚ୍‌ସିରେ ଦୁଇଜଣ ଲେଖାଏଁ ଡାକ୍ତର ରହିଥିବାବେଳେ ଚାନ୍ଦବାଲି, ଆରଡି, ତିହିଡି, ଧାମନଗର ଡାକ୍ତରଖାନାରେ ମାତ୍ର ଦୁଇଜଣ ଲେଖାଏଁ ବିଶେଷଜ୍ଞ ରହିଛନ୍ତି । ଏହାଛଡା ଅନ୍ୟ ୫୨ଟି ଡାକ୍ତରଖାନା ଆୟୁଷ ଡାକ୍ତରଙ୍କ ଦ୍ୱାରା ଚାଲିଛି । କେବଳ ଜିଲାର ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡିକରେ ଏହି ସମସ୍ୟା ନୁହେଁ, ଜିଲା ମୁକ୍ୟ ଚିକିତ୍ସାଳୟରେ ମଧ୍ୟ ଅନୁରୂପ ସ୍ଥିତି । ଦୁଇଶହ ଶଯ୍ୟା ବିଶିଷ୍ଟ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ବିଶିଷ୍ଟ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ୬୭ ଜଣ ଡାକ୍ତର ରହିବା ଜାଗାରେ ଅଛନ୍ତି ମାତ୍ର ୩୨ ଜଣ ଡାକ୍ତର । ସେମାନଙ୍କ ମଧ୍ୟରୁ ସିଡିଏମ୍‌ଓ ଏବଂ ଏଡିଏମ୍‌ଓଙ୍କ ସମେତ ପ୍ରଶାସନିକ ଦାୟିତ୍ୱରେ ୧୫ ଜଣ ଡାକ୍ତର ରହିଥିବାବେଳେ ଅବଶିଷ୍ଟ ମାତ୍ର ୧୭ ଜଣ ଡାକ୍ତରଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟସେବା । ଭଦ୍ରକ ଜିଲାର ପ୍ରାୟ ୧୭ ଲକ୍ଷ ଲୋକଙ୍କୁ ସରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବ୍ଲକ୍ ହେଡ୍‌କ୍ୱାର୍ଟରରେ ଥିବା ସିଏଚ୍‌ସି ଡାକ୍ତରଖାନାକୁ ଦୈନିକ ଆଉଟଡୋରରେ ପ୍ରାୟ ୨୪ ଶହ ରୋଗୀ ଆସୁଥିବାବେଳେ ଇନଡୋରରେ ଦୈନିକ ପ୍ରାୟ ୫ ଶହ ରୋଗୀ ରହୁଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟର ବିଛଣା କ୍ଷମତା ମାତ୍ର ୨ ଶହ ହୋଇଥିବାରୁ ଅଧା ଇନଡୋର ରୋଗୀଙ୍କୁ ଡାକ୍ତରଖାନା ବାରଣ୍ଡାରେ ଶୋଇବାକୁ ପଡୁଛି । ସବୁଠାରୁ ଜଟିଳ ପରିସ୍ଥିତି ପ୍ରସୂତି ୱାର୍ଡରେ ଦେଖିବାକୁ ମିଳୁଛି । ଅସ୍ତ୍ରୋପଚାର ହେଉଥିବା ପ୍ରସୂତିଙ୍କୁ ସର୍ବନିମ୍ନ ୪୮ ଘଣ୍ଟା ଡାକ୍ତରଖାନାରେ ରଖାଯିବାକୁ ନିୟମ ରହିଥିଲେ ମଧ୍ୟ ବର୍ଦ୍ଧିତ ଅସ୍ତ୍ରୋପଚାର ଲାଗି ରୋଗୀଙ୍କୁ ପ୍ରସବ କରାଇ ୧୨/୧୪ ଘଣ୍ଟା ରଖି ଘରକୁ ବିଦା କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି । ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏଥିନେଇ ସରକାରଙ୍କୁ ଚିଠି ପରେ ଚିଠି ଲେଖାଯାଉଛି ବୋଲି ସେ କହିଥିଲେ ।