Odiapua.com

ଭୁଲ ଇଞ୍ଜେକ୍ସନ ପାଇଁ ବିଚାରଧୀନ କଏଦୀର ମୃତ୍ୟୁ ଅଭିଯୋଗ

ରାଉରକେଲା, ୦୪/୧୧, (ଓଡ଼ିଆ ପୁଅ ପି ନାୟକ):ରାଉରକେଲା ସ୍ୱତନ୍ତ୍ର ଜେଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୁଲ ଇଞ୍ଜେକସନ ଯୋଗୁ ଜଣେ ବିଚାରାଧୀନ କଏଦୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ମୃତ କଏଦୀଙ୍କର ସ୍ତ୍ରୀ। ମାତ୍ର ଏ ସମ୍ପର୍କରେ ଆସିଷ୍ଟାଣ୍ଟ ଜେଲର୍ କୁଅଁର ଏକ୍କା କହିଛନ୍ତି, ବିଚାରଧୀନ କଏଦୀ ଜୋସେଫଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ତେବେ ମୃତ ବିଚାରାଧୀନ କଏଦୀଙ୍କ ନାଁ ଯୋଶେଫ୍ ତିର୍କି। ଉଲ୍ଲେଖଯୋଗ୍ୟ ଯେ, ମୃତକ ଜୋସେଫ ୨୦୧୭ ମସିହାରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଥିଲେ। ଗତକାଲି ଦେହ ଅସୁସ୍ଥ ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ଜେଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ପ୍ରଥମେ ମେଡିସିନ ଓ ପରେ ଇଞ୍ଜେକସନ ଦିଆଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିଲା।