Odiapua.com

ଭୁଲ୍ କଲା କିଏ! ଭୋଗିଲା ଆଉ କିଏ!, ଜଣଙ୍କ ନାମରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇନେଲା ପୋଲିସ୍

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣଙ୍କ ନାମରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇନେଲା ପୁଲିସ୍। ଭଦ୍ରକ ଜିଲା ବନ୍ତ ପୁଲିସ୍ ବିରୋଧରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ଦିବ୍ୟାଙ୍ଗ ବୃଦ୍ଧ। ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଘରୁ ପୋଲିସ୍ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨୯ ବର୍ଷ ତଳର ଏକ ପୁରୁଣା ମାମଲାରେ କୋର୍ଟ ପକ୍ଷରୁ ଜାରି ହୋଇଥିବା ୱାରେଣ୍ଟ ବଳରେ ତାଙ୍କୁ ବଳପୂର୍ବକ ଘରୁ ଉଠାଇ ଆଣିଥିବାବେଳେ ଥାନାରେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଞ୍ଚ କଲାବେଳେ ସେ ନୁହଁନ୍ତି ବୋଲି ଜଣାପଡିଥିଲା। ଏହି ଘଟଣାରେ ବୃଦ୍ଧ ଦିବ୍ୟାଙ୍ଗଙ୍କ ସମ୍ମାନ ହାନି ହୋଇଥିବା ଦର୍ଶାଇ ସଂପୃକ୍ତ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ମାତ୍ର ଏସ୍‌ପିଙ୍କ ପକ୍ଷରୁ ଏଯାବତ୍ କୌଣସି ନ୍ୟାୟ ପାଇନଥିବାରୁ ଆଗାମୀ ୧୫ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଭିନ୍ନକ୍ଷମ ସୁରକ୍ଷା ମଞ୍ଚର ସହଯୋଗରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ବନ୍ତ ବ୍ଲକ୍ ପଧାନପଡା ଗ୍ରାମରେ। ବନ୍ତ ଥାନାର ୧୯୯୩ ମସିହାର ଏକ ପୁରୁଣା କେଶ୍ ନମ୍ବର ୧୩୩ ମୂଳେ ଘରୁ କାର୍ତ୍ତିକ ଚନ୍ଦ୍ର ଜେନାଙ୍କୁ ବଳପୂର୍ବକ ଉଠେଇ ଆଣିଥିଲେ। ମାତ୍ର କୋର୍ଟ ଚାଲାଣ ପୂର୍ବରୁ ଥାନାରେ ଅଭିଯୁକ୍ତ ଭାବେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଞ୍ଚ କରାଯିବାବେଳେ ଉକ୍ତ ମାମଲାର ଅଭିଯୁକ୍ତ ସ୍ଥାନୀୟ ଚାଇଁପୁର ଗ୍ରାମର କାର୍ତ୍ତିକ ଜେନା ବୋଲି ଜଣାପଡିଥିଲା। ଆଇଆଇସିଙ୍କ ହସ୍ତକ୍ଷେପରେ ଦିବ୍ୟାଙ୍ଗ ବୃଦ୍ଧଙ୍କୁ ଛାଡି ଦିଆଯାଇଥିଲା। ତେବେ ଶହେ ଚାଷୀ ବରଂ ଖସିଯାଆନ୍ତୁ, ହେଲେ ନିର୍ଦ୍ଦୋଷ ଦଣ୍ଡ ନପାଉ ଏପରି ଭାରତୀୟ ଆଇନ୍ ବ୍ୟବସ୍ଥା ହୋଇଥିବାବେଳେ ଏହି ବନ୍ତ ପୁଲିସ୍ ନଜାଣି ୱାରେଣ୍ଟ ନଦେଖି ଦିବ୍ୟାଙ୍ଗ କାର୍ତ୍ତିକ ଜେନାଙ୍କୁ ଥାନାକୁ ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏନେଇ କାର୍ତ୍ତିକ ମୁଖ୍ୟମନ୍ତ୍ରୀ, ପୁଲିସ୍ ଡିଜି ଓ ଅନ୍ୟ ବିଭାଗ ଗୁଡିକୁ ଅବଗତ କରାଇଛନ୍ତି। ତେବେ ବନ୍ତ ଥାନା ଅଧିକାରୀ ଗଣମାଧ୍ୟମ ସମ୍ମୁଖରେ କିଛି କହିନଥିଲେ ବି ମୌଖିକ ଭାବେ କହିଛନ୍ତି ଯେ ନାମ ଓ ବାପାଙ୍କ ନାମ ସମାନ ଥିବାରୁ ଭୁଲ୍‌ବଶତଃ କାର୍ତ୍ତିକଙ୍କୁ ଥାନାକୁ ଅଣାଯାଇଥିଲା। କିନ୍ତୁ କାଗଜପତ୍ର ଯାଞ୍ଚ ବେଳେ ଜଣାପଡିବାରୁ ତାଙ୍କୁ ଘରେ ଛାଡି ଦିଆଯାଇଛି।