Odiapua.com

ଭୁଲ୍ ଇଞ୍ଜେକସନ ଯୋଗୁଁ ଚାଲିଗଲା ନିରୀହ ଜୀବନ, ପୁଲିସ୍ ତଦନ୍ତ ଆରମ୍ଭ

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରୁଟିପୂର୍ଣ୍ଣ ଇଂଜେକସନ ଯୋଗୁଁ ଜଣେ ୩୨ ବର୍ଷ ଯୁବକଙ୍କ ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏବଂ ଏହି ଘଟଣାରେ ମୃତ ଯୁବକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ସାବରଙ୍ଗ ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁବରଣ କରିଥିବା ଯୁବକଙ୍କ ପତ୍ନୀ ସୁମିତ୍ରା ଜେନାଙ୍କ ଅଭିଯୋଗ ମୂଳେ ଏହି ଥାନା ଅଧୀନସ୍ଥ ବାଇ ଜେନାସାହି ଗ୍ରାମର ନିତ୍ୟାନନ୍ଦ ଜେନା (୩୨) ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ମେଡିକାଲ ଛକରେ ଥିବା ବାବାଶିଷ ମେଡିସିନ୍ ଷ୍ଟୋରକୁ ଯାଇ ଚନ୍ଦନ କୁମାର ମହାପାତ୍ରଙ୍କୁ ସମସ୍ତ କଥା କହିଥିଲେ । ସେ ନିତ୍ୟାନନ୍ଦଙ୍କୁ ପରୀକ୍ଷା କରି ଏକ ସିରଫ ଖାଇବାକୁ ଦେଇ ତାଙ୍କ କମରରେ ଏକ ଇଞ୍ଜେକସନ ଦେଇଥିଲେ । କିନ୍ତୁ ଏତେସବୁ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହେବା ପରିବର୍ତ୍ତେ ଗୁରୁତର ହେବାରୁ ସେ ତାଙ୍କୁ ପୁଣି ୩ଟି ଇଞ୍ଜେକସନ ଦେବାରୁ ତାଙ୍କର ବାନ୍ତି ହେବା ପରେ ଅଚେତ ହୋଇପଡିଥିଲେ । ଏହି ଖବର ଜାଣି ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ମଧ୍ୟ ସଠିକ୍ ସମୟରେ ଗାଡି ଉପଲବ୍ଧ ହୋଇନଥିଲା । ଫଳରେ ଏକ ଘରୋଇ ଗାଡିରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ନିତ୍ୟାନନ୍ଦଙ୍କ ପତ୍ନୀ ସୁମିତ୍ରା ସାବରଙ୍ଗ ଥାନାରେ ତାଙ୍କ ସ୍ୱାମୀଙ୍କର ଭୁଲ୍ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବାରୁ ସେଥିପାଇଁ ଦାୟୀ ବାବାଶିଷ ମେଡିସିନ୍ ଷ୍ଟୋରର ଚନ୍ଦନ ମହାପାତ୍ରଙ୍କୁ ତୁରନ୍ତ ଗିରଫ କରାଯାଇ ତାଙ୍କ ସ୍ୱାମୀଙ୍କୁ ଉଚିତ୍ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ପୁଲିସ୍ କିଭଳି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।