Odiapua.com

ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ପକ୍ଷରୁ “ୟଙ୍ଗ ଇଣ୍ଡିଆ କେ ବୋଲ୍‌” କାର୍ଯ୍ୟକ୍ରମ

ଭୁବନେଶ୍ୱର ୨.୩ (ଓଡ଼ିଆ ପୁଅ) – ରାଜ୍ୟରେ ବେକାରୀ ସମସ୍ୟା ଭୟଙ୍କର ଭାବେ ବୃଦ୍ଧି ପାଇଛି। ରାଜ୍ୟ ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳରେ ବହୁ ଯୁବକ ଯୁବତୀ ଭିନ୍ନ ପନ୍ଥା ଆପଣାଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନିଯୁକ୍ତି କ୍ଷେତ୍ରରେ କୌଣସି ଆନ୍ତରିକତା ନାହିଁ। ଯେଉଁମାନେ ଏ ସଂପର୍କରେ ଦାବି ଉପସ୍ଥାପନ କରୁଛନ୍ତି ସରକାର ସେମାନଙ୍କର କଣ୍ଠରୋଧ କରୁଛନ୍ତି। ସେଥିପାଇଁ ଭାରତୀୟ ଯୁବ କଂଗ୍ରେସ “ୟଙ୍ଗ ଇଣ୍ଡିଆ କେ ବୋଲ୍‌” ମାଧ୍ୟମରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଡିବେଟ୍ କରି ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ରାଜ୍ୟସ୍ତରକୁ ମନୋନିତ କରିବାକୁ ନିଷ୍ପତି ନେଇଛନ୍ତି।

ପରେ ପରେ ରାଜ୍ୟସ୍ତରୀୟ ଡିବେଟ୍ ମାଧ୍ୟମରେ ଉତମ ପ୍ରଦର୍ଶନ କରିଥିବା ପ୍ରତିଭାମାନଙ୍କୁ ସର୍ବଭାରତୀୟ ସ୍ତରକୁ ଚୟନ କରି ମାର୍ଚ୍ଚ ୨୩ ତାରିଖ ଶହିଦ୍ ଭଗତ ସିଂହଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଯୁବ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି “ୟଙ୍ଗ ଇଣ୍ଡିଆ କେ ବୋଲ୍‌” କାର୍ଯ୍ୟକ୍ରମର ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ସଂଯୋଜକ ଶ୍ରୀ ଅଜୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏନ୍‌.ଆର.ୟୁ (ନ୍ୟାସନାଲ୍ ରେଜିଷ୍ଟ୍ରେସନ୍ ଅଫ୍ ଅନ୍‌ଏମ୍ଲୟେଡ୍‌)କୁ ଗୁରୁତ୍ୱ ଦିଆଯିବାକୁ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏଥିପାଇଁ ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ପକ୍ଷରୁ ଆଗାମୀ ଏକ ସପ୍ତାହ ମଧ୍ୟରେ “ୟଙ୍ଗ ଇଣ୍ଡିଆ କେ ବୋଲ୍‌” କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ଏହି କାର୍ଯ୍ୟକ୍ରମରେ ବେକାରୀ ସମସ୍ୟା ସଂପର୍କରେ ଶିକ୍ଷିତ ଯୁବକ ଯୁବତୀମାନେ ସେମାନଙ୍କର ମତାମତ ପ୍ରଦାନ କରିବେ। ପରେ ମନୋନୀତ ପ୍ରତିନିଧିମାନଙ୍କର ନାମ ରାଜ୍ୟ ଯୁବ କଂଗ୍ରେସକୁ ସୁପାରିଶ କରାଯିବ ବୋଲି ଭୁବନେଶ୍ୱର ଯୁବ କଂଗ୍ରେସ ସଭାପତି ରଂଜିତ୍ ପାତ୍ର ଜଣାଇଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ନେତା ସର୍ବଶ୍ରୀ ସ୍ୱାଗତ କର, ସଂକୁନା କହଁର, ବିରଂଚି ବାରିକ, ବଟକୃଷ୍ଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।