Odiapua.com

ଭୁବନେଶ୍ୱରରେ ‘ନୂଆଁଖାଇ ଭେଟଘାଟ୍’ରେ କେନ୍ଦ୍ରମନ୍ତ୍ରୀ : ନବାନ୍ନ ଖାଇବାର ପରମ୍ପରା ନୂଆଁଖାଇକୁ ଭାରତ ସ୍ୱୀକାର କରିଛି – ଧର୍ମେନ୍ଦ୍ର ପ୍ରଧାନ

– ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇବା ଆମ ସମାଜ ପାଇଁ ବଡ଼ ଉପଲବ୍ଧି
– ନୂଆଁଖାଇ ହେଉଛି ଆନନ୍ଦ ଓ ଉଲ୍ଲାସ ମନାଇବାର ଅନନ୍ୟ ପର୍ବ

ଭୁବନେଶ୍ୱର, ସେପ୍ଟେମ୍ବର ୨୮ (ଓଡ଼ିଆ ପୁଅ)- ନବାନ୍ନ ଖାଇବାର ସାଂସ୍କୃତିକ ପରମ୍ପରା ନୂଆଁଖାଇକୁ ଆଜି ଭାରତ ସ୍ୱୀକାର କରିଛି। ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଜୀଙ୍କ ଠାରୁ ଆରମ୍ଭ କରି ଅନେକ ତୁଙ୍ଗ ନେତୃତ୍ୱ ଏହି ପର୍ବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି। ଏହା ଆମ ସମାଜ ଓ ସଂସ୍କୃତି ପାଇଁ ବଡ଼ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ଠାରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଓ୍ୱେଷ୍ଟର୍ଣ୍ଣ ଓଡ଼ିଶା ଯୁବା ମଞ୍ଚ’ ପକ୍ଷରୁ ଆୟୋଜିତ ‘ନୂଆଁଖାଇ ଭେଟଘାଟ୍’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି, ନୂଆଁଖାଇ ହେଉଛି ଆନନ୍ଦ ଓ ଉଲ୍ଲାସ ମନାଇବାର ଅନନ୍ୟ ପର୍ବ। ନୂଆଁଖାଇ ଆଉ ଏକ ଆଞ୍ଚଳିକ ପର୍ବ ହୋଇ ରହିନାହିଁ ବରଂ ଜାତୀୟ ପର୍ବରେ ରୂପାନ୍ତରିତ ହୋଇସାରିଛି। ଆଗାମୀ ଦିନରେ ଏହି ପର୍ବକୁ ଆହୁରି ଭବ୍ୟ ଭାବେ ପାଳନ କରିବା ପାଇଁ ସମସ୍ତେ ପ୍ରତିଜ୍ଞା କରିବା ଦରକାର।

ବିଗତ ବର୍ଷ ଧରି ଭୁବନେଶ୍ୱରରେ ‘ଓ୍ୱେଷ୍ଟର୍ଣ୍ଣ ଓଡ଼ିଶା ଯୁବା ମଞ୍ଚ’ ପକ୍ଷରୁ ନୂଆଁଖାଇ ଭେଟଘାଟର କାର୍ଯ୍ୟକ୍ରମ ଆୟୋଜନ ହେବା ଖୁସିର ବିଷୟ। ରାଜ୍ୟର ସଂସ୍କୃତି ଓ ଐତିହ୍ୟ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ଆୟୋଜକ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛି।