Odiapua.com

ଭିଡ଼ିଓ କନଫରେନସିଂ ଦ୍ୱାରା କୋଭିଡ ହସପିଟାଲକୁ ମୂଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ

ତାଳଚେର,୨୦/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ କୋଭିଡ଼ ହସପିଟାଲ ମାନ ଖୋଲିବା ନିଷ୍ପତି କରିଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲାର ତାଳଚେରସ୍ଥିତ ନେହେରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟଠାରେ ଏକ କୋଭିଡ଼-୧୯ ହସପିଟାଲ ଆଜି ଉଦଘାଟିତ ହୋଇଯାଇଛି । ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ,ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ଭିଡ଼ିଓ କନଫରେନସିଂରେ ଯୋଗଦାନ କରିଥିଲେ । ତେବେ ଏହି ହସପିଟାଲ ଉଦଘାଟନ ହେବା ପୂର୍ବରୁ ଏମ୍‌.ସି.ଏଲ, ସମ୍ ହସପିଟାଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ କୋଭିଡ଼-୧୯ ହସପିଟାଲର ସୁପରିଚାଳନା ନିମନ୍ତେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଆଜିର ଏହି ହସପିଟାଲ ଉଦଘାଟନ କାର୍ଯ୍ୟକ୍ରରେ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି,ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର,ପ୍ରଫେସର ଡା. ଇଶ୍ୱର ଚନ୍ଦ୍ର ବେହେରା,ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ,କେନ୍ଦ୍ରୀୟ ଚିକିତ୍ସାଳୟର ସିଏମଏସ୍ ଡା. ମନୋଜ କୁମାର ବେହେରା, ଏମ୍‌.ସି.ଏଲ ଜଗନ୍ନାଥ କ୍ଷେତ୍ର ଜିଏମ୍ ଏମ୍‌.ଜି.ବ୍ରହ୍ମପୁରକରଙ୍କ ସମେତ ପ୍ରଶାସନିକ ଅଧିକାରୀ, ଏମ୍‌.ସି.ଏଲ କର୍ତୃପକ୍ଷ ଓ ସମ୍ ହସପିଟାଲ କର୍ତୃପକ୍ଷ ଉପସ୍ଥିତ ଥିଲେ ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କୋଭିଡ଼ ହସପିଟାଲ ଏମ୍‌.ସି.ଏଲ ଅନୁଦାନରେ ନିର୍ମିତ ହୋଇଥିବା ବେଳେ ସମ ହସପିଟାଲ ଏହାର ପରିଚାଳନା ଦାୟିତ୍ୱ ଗ୍ରହଣ କରିଛି । ତେବେ ଏହି ହସପିଟାଲରେ ମୋଟ ୧୫୦ଟି ଶଯ୍ୟା ଏବଂ ୬ଟି ଆଇସିୟୁ ରହିବ । ପ୍ରତି ବ୍ୟାଚ୍ ରେ ୧୨ଜଣ ଡାକ୍ତର ଏବଂ ୨୫ଜଣ ନର୍ସ ରହିବେ । ସେହିପରି ଆଇସିୟୁରେ ରୋଗୀଙ୍କ ନିମନ୍ତେ ଭେଂଟିଲେଟର,ମନିଟର,କାର୍ଡ଼ିଆକ୍ କେୟାର ଆଦି ବ୍ୟବସ୍ଥା ରହିବ । ରୋଗୀଙ୍କୁ ମାଗଣାରେ ଉନ୍ନତ ଧରଣର ଚିକିତ୍ସାସେବା ଯୋଗାଇ ଦିଆଯିବ । ଯାହାକି ଏମ୍‌.ସି.ଏଲ ଦ୍ୱାରା ବହନ କରାଯିବ ବୋଲି ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ଏହି ଅବସରରେ ସୂଚନା ଦେଇଥିଲେ । ସେହିପରି କରୋନା ଯୋଦ୍ଧା ଭାବେ ଡାକ୍ତର,ନର୍ସ ଏବଂ ପାରା ମେଡ଼ିକାଲ କର୍ମଚାରୀଙ୍କୁ ଏଭଳି ସମୟରେ ପ୍ରୋତ୍ସାହିତ କରି ସେମାନଙ୍କ ମନୋବଳ ବଢ଼ାଇବା ସହ କୃତଜ୍ଞତା ଜ୍ଞାପନ କରିବା ଉଚିତ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ । ପ୍ରକାଶ ଥାଉକି,ଗତ ୧୭ତାରିଖରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏହି କୋବିଡ଼ ହସିପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ ।