Odiapua.com

ଭିନ୍ନ ଭିନ୍ନ ମାଧ୍ୟମରେ ପ୍ରେରଣା

ଜୀବନକାଳ ଭିତରେ ଅନେକ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରେରଣା ମିଳିଥାଏ। ଚରିତ୍ର ଗଠନ ଓ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଦିଗରେ ପିତାମାତାଙ୍କ ପରେ ଶିକ୍ଷକଙ୍କର ବିଶେଷ ଭୂମିକା ରହିଛି। ଜ୍ଞାନ ପ୍ରଦାନ କରିବା ସହିତ ଶିଷ୍ୟ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରିଥାନ୍ତି ଜଣେ ମହାନ୍ ଶିକ୍ଷକ। ଶିକ୍ଷାଦାନ ସହିତ ବିଭିନ୍ନ ମାଧ୍ୟମରେ ପ୍ରେରଣା ଦେଇଥାନ୍ତି। ଶିକ୍ଷକଙ୍କ ଏହି ପ୍ରେରଣା ହିଁ ଶିଷ୍ୟ ମନରେ ଆଶା ସଞ୍ଚାର କରେ ଓ କଳ୍ପନା ଉଦ୍ରେକ କରିଦିଏ। ଶିକ୍ଷକ ହିଁ ପ୍ରେରଣାର ଉତ୍ସଟିଏ। ସାଧୁସନ୍ତଙ୍କ ପ୍ରବଚନ ମାଧମରେ ଓ ଧର୍ମ ସଂସ୍କୃତିରୁ ପ୍ରେରଣା ମିଳିଥାଏ। ଅନେକ ମହାନ ବ୍ୟକ୍ତିତ୍ୱର ଅଧିକାରୀଙ୍କ ବିଷୟରେ ପଢିଲେ କିମ୍ବା ସେମାନଙ୍କ ବିଷୟରେ ଶୁଣିଲେ ଭଲ କାର୍ଯ୍ୟ କରିବା ପାଇଁ ପ୍ରେରଣା ସୃଷ୍ଟି ହୋଇଥାଏ। ସଂସାରରେ ଭିନ୍ନ ଭିନ୍ନ ମାଧ୍ୟମରେ ପ୍ରେରଣା ମିଳିଥାଏ।

ଏମିତି ଅନେକ ସ୍ଥାନ ମଧ୍ୟ ଅଛି ସେ ସ୍ଥାନର ପ୍ରଭାବରେ ଆମକୁ କିଛି ଭଲ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିଥାଏ। କଚେରୀ ବାରଣ୍ଡାରେ ଜଣେ ସାଧୁଙ୍କୁ ଦେଖି ଲୋକଟି ପଚାରିଲା-ବାବା ଏଠି କ’ଣ ବସିଛନ୍ତି ? ଆପଣଙ୍କର କଚେରୀରେ କିଛି କାମ ଥିଲା କି ? ଏହା ଶୁଣି ସାଧୁ ହସି ହସି କହିଲେ- ମୋର କଚେରୀରେ କିଛି କାମ ନାହିଁ। କିନ୍ତୁ ଏଠାରୁ ବି ଭଲ ଶିକ୍ଷା ମିଳୁଛି। ଲୋକଟି କହିଲା କି ଶିକ୍ଷା ମିଳୁଛି ? ସାଧୁ ଉତ୍ତର ଦେଲେ-ଏଠାକୁ ଅନେକ ଅପରାଧୀ ଆସୁଛନ୍ତି ଓ ସେମାନେ ଦଣ୍ଡ ପାଉଛନ୍ତି। ମନୁଷ୍ୟ ପାପ କରୁଛି କିନ୍ତୁ ଦଣ୍ଡ ପାଇଲା ବେଳକୁ କଷ୍ଟ ପାଉଛି। ଏଠାକାର ପରିସ୍ତିତିକୁ ବିଶ୍ଲେଷଣ କଲେ ଜୀବନରେ କିଛି ଭଲ କାର୍ଯ୍ୟ କରିବାକୁ ପ୍ରେରଣା ମିଳୁଛି।

କିଛି ଦିନପରେ ଘଣ୍ଟାଘର ସମ୍ମୁଖରେ ସାଧୁଙ୍କୁ ଦେଖି ଲୋକଟି ପଚାରିଲା- ବାବା, ଆପଣଙ୍କ ପାଇଁ ଅନେକ ଭଲ ଭଲ ସ୍ଥାନ ଅଛି କିନ୍ତୁ ଏହି ଜାଗାରେ କାହିଁକି ବସିଛନ୍ତି ? ସାଧୁ କହିଲେ-ଘଣ୍ଟାର କଣ୍ଟା ଗୁଡିକ ଦିନରାତି ବୁଲୁଥାନ୍ତି। ଘଣ୍ଟାଟି ଜଣାଇ ଦେଉଛି ଯେ ସମୟ କାହାକୁ ଅପେକ୍ଷା କରେ ନାହିଁ। ଜୀବନର ମୂଲ୍ୟବାନ ସମୟ ସରି ସରି ଯାଉଛି। ସମୟକୁ ଅପଚୟ ନକରି ଭଲ କାର୍ଯ୍ୟ କରିବାକୁ ଏଠାରୁ ପ୍ରେରଣା ମିଳୁଛି।

ପୁଣି କିଛି ଦିନ ପରେ ସାଧୁଙ୍କୁ ସ୍ମଶାନ ପାଖରେ ଦେଖି ଲୋକଟି ପଚାରିଲା-ବାବା ଆପଣ ସ୍ମଶାନ ପାଖରେ କ’ଣ କରୁଛନ୍ତି ? ଏଠାରୁ ତ ସେମିତି କିଛି ପ୍ରେରଣା ମିଳିବାର ନାହିଁ ? ସାଧୁ କହିଲେ “କାଳର ବଶ ଏ ଜଗତ, ପ୍ରାଣୀଏ କାଳର ଆୟତ୍ତ” ସଂସାରରେ ଜନ୍ମ ନେଲେ ମୃତ୍ୟୁ ହେଉଛି ଧ୍ରୁବ ସତ୍ୟ। ସେ ସହରର ଲୋକ ହେଉ କିମ୍ବା ଗାଁର ଲୋକ, ସେ ଭିକାରି ହେଉ କି କୋଟିପତି ଦିନେ ନା ଦିନେ ସମସ୍ତଙ୍କୁ ଏଠିକି ଆସିବାକୁ ପଡେ। ଏହିଠାରେ ହିଁ ଜୀବନଯାତ୍ରା ଶେଷ ହୁଏ। ତେଣୁ ଏହି ସ୍ଥାନକୁ ଆସିବା ପୂର୍ବରୁ ଜୀବନରେ କିଛି ଭଲ କାମ କରିବା ପାଇଁ ଏଠାରୁ ପ୍ରେରଣା ମିଳୁଛି।

ଡଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା