Odiapua.com

ଭିନ୍ନକ୍ଷମ ମଂଚ ପକ୍ଷରୁ ଦୀପଦାନ ସହ ଜିଲାପାଳଙ୍କୁ ଦାବିପତ୍ର

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବା ୧୧ ଘଟିକା ସମୟରେ ମା’ ଭଦ୍ରକାଳୀଙ୍କ ପୀଠରେ ଓଡ଼ିଶା ଭିନ୍ନକ୍ଷମ ମଂଚ ପକ୍ଷ ଭଦ୍ରକ ଜିଲା ଶାଖା ପକ୍ଷରୁ ବିଶ୍ୱର ଶାନ୍ତି, ଭିନ୍ନକ୍ଷମ ମାନଙ୍କର ଉନ୍ନତି ନିମନ୍ତେ ଏକ ହଜାର ଆଠ ଦୀପଦାନ ସହ ଜିଲାପାଳ ତଥା ଭିନ୍ନକ୍ଷମ ଉପଆୟୁକ୍ତଙ୍କୁ ଏକ ୫ ଦଫା ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଭିନ୍ନକ୍ଷମ ମଂଚ ପକ୍ଷରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖଦି ଭଣ୍ଡାର ବା ଉତ୍କଳିକା ଅଗ୍ରାଧିକାର ଭିତ୍ତିରେ ସ୍ଥାପନ, ମୋ ସେବା କେନ୍ଦ୍ରରେ ଅଗ୍ରାଧିକାର ଭିତ୍ତିରେ ଭିନ୍ନକ୍ଷମ ଯୁବକ ଯୁବତୀମାନଙ୍କୁ ସ୍ୱେଚ୍ଛାସେବୀ ଭାବେ ନିଯୁକ୍ତି, ଚାନ୍ଦବାଲି ବିଏସ୍‌ଏସ୍‌ଓ ଙ୍କୁ ବହିଷ୍କାର, ୨୦୧୮ ମସିହାରେ ମଂଚର ୩୬ ଦଫା ଦାବିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ, ମଂଚ ପରିଚାଳନା ପାଇଁ ଜିଲା ଏବଂ ପ୍ରତ୍ୟେକ ବ୍ଲକ୍ ପରିସରରେ କାର୍ଯ୍ୟାଳୟ ଗୃହ ଯୋଗାଇ ଦେବା ଭଳି ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଓଡ଼ିଶା ଭିନ୍ନକ୍ଷମ ମଂଚ ଭଦ୍ରକ ଜିଲା ଶାଖାର ସଭାପତି ଚିନ୍ତାମଣି ରାଉତ, ସଂପାଦକ ବେଣୁଧର ପଣ୍ଡା, ସୂଚନା ଓ ଲୋକ ସଂପର୍କ ଅଧିକାରୀ ନାରାୟଣ ରାଉତ, ଚାନ୍ଦବାଲି ବ୍ଲକ୍ ସଭାପତି ପ୍ରଦୀପ ନାୟକ, ହରିହର ଦାସ, ତିଳୋତ୍ତମା ସେନାପତିଙ୍କ ସମେତ ସମସ୍ତ ବ୍ଳକ୍‌ର କର୍ମକର୍ତ୍ତା ଉପସ୍ଥିତ ଥିଲେ।