Odiapua.com

ଭିଣୋଇ ଦ୍ୱାରା ପୋଷ୍ୟପୁତ୍ରରୁ ବଂଚିତ ମାନସ ଏସ୍‌ପିଙ୍କ ଦ୍ୱାରସ୍ତ, ନ୍ୟାୟ ନମିଳିଲେ ସପରିବାର ଆତ୍ମହତ୍ୟାର ଚେତାବନୀ

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୋଷ୍ୟପୁତ୍ରରୁ ବଂଚିତ କରିବା ପାଇଁ ବିଭିନ୍ନ ମିଥ୍ୟା କେଶ୍‌ରେ ଫସାଇ ମାନସିକ ଯନ୍ତ୍ରଣା ଦେବାର ଅଭିଯୋଗ ନେଇ ଥାନାରୁ ନ୍ୟାୟ ନପାଇବା ପରେ ଭୋକ ଓପାସରେ ଦିନ କାଟୁଥିବା ପିତା ମାନସ ନିଜର ଦୁଇ ପୁତ୍ରକନ୍ୟାଙ୍କ ସହ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ନପାଇଲେ ସପରିବାର ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ରଣଜିତ୍ ଗ୍ରାମରେ ୩୦ ବର୍ଷ ପୂର୍ବରୁ ସ୍ୱର୍ଗତଃ ବ୍ରଜକିଶୋର ପଣ୍ଡା ଓ ତାଙ୍କ ପତ୍ନୀ ସ୍ୱର୍ଗତଃ ଲକ୍ଷ୍ମୀ ପଣ୍ଡା ମାନସ ନାମକ ଜଣେ ବାଳକକୁ ଜଗାବଳିଆ ଯାତ୍ରାପାର୍ଟିର ମାଲିକ ବଳରାମ ସାମଲଙ୍କ ପାଖରୁ ତାଙ୍କର କନ୍ୟା କଳ୍ପନା ମିଶ୍ର ଓ ସ୍ୱାମୀ ବିଶ୍ୱନାଥ ମିଶ୍ରଙ୍କ ଜରିଆରେ ପୋଷ୍ୟପୁତ୍ର କରିଥିଲେ । ଏବଂ ବଡ ହେବା ପରେ ପିତା ବ୍ରଜକିଶୋର ଓ ମା ଲକ୍ଷ୍ମୀ ମାନସକୁ ବିବାହ ମଧ୍ୟ କରାଇଥିଲେ । ସେହିଦିନ ଠାରୁ ମାନସ ତାଙ୍କର ପରିବାରର ସମସ୍ତ ସୁଖଦୁଖ ବୁଝିଆସୁଥିଲେ । ପେଶାରେ ସେ ଜଣେ ମନ୍ଦିରର ପୂଜକ । ତେଣୁ ପୂଜକ ଭାବେ ଯାହା ରୋଜଗାର କରୁଥିଲେ, ସେଥିରେ ସେ ତାଙ୍କ ପରିବାରର ଗୁଜୁରାଣ ମେଂଟାଉଥିଲେ । କିନ୍ତୁ ତାଙ୍କର ମା’ ଲକ୍ଷ୍ମୀ ଜୀବିତ ଥିବାବେଳେ ଯାଜପୁର ଜିଲା ଗାରେଡଶ୍ୱର ନିବାସୀ ଭିଣୋଇ ବିଶ୍ୱନାଥ ମିଶ୍ର ଜୋର ଜବରଦସ୍ତ ମାନସଙ୍କ ମା’ଙ୍କୁ ଧମକ ଦେଇ ତାଙ୍କର ପୈତୃକ ସଂପତି ବିକ୍ରି କରି ସମସ୍ତ ଟଙ୍କା ନେଇଯାଇଥିଲେ । ଏବଂ ଯେଉଁ ଠାକୁରଙ୍କ ସଂପତି (ବଳକା ଜମି) ତାକୁ ମଧ୍ୟ ଚଂଚକତା କରି ମାନସଙ୍କ ମା’ ଲକ୍ଷ୍ମୀ ପଣ୍ଡା ଓ ପିତା ବ୍ରଜକିଶୋର ପଣ୍ଡାଙ୍କ ନାମରେ ସ୍ଥିତିବାନ ସତ୍ୱରେ ରେକର୍ଡ କରାଇନେଇଥିବାରୁ ତାକୁ ମଧ୍ୟ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ । କିନ୍ତୁ ମାନସ ଭିଣୋଇଙ୍କର ଏହି ଚକ୍ରାନ୍ତ ବିଷୟରେ ଜାଣିପାରି ବିରୋଧ କରିବାରୁ ସେ ମାନସକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ ନକରି ତାଙ୍କୁ ମନ୍ଦିରରେ ପୂଜା କରାଇ ଦେଉନାହାନ୍ତି । ଏପରିକି ଜୋର ଜବରଦସ୍ତ ମନ୍ଦିର ଭିତରୁ ବାହାରକୁ ଟାଣି ଗେଟ୍‌ରେ ଚାବି ପକାଇଦେଉଛନ୍ତି । ଏପରିକି ସେ ଠାକୁର ଜମିରେ ବଳପୂର୍ବକ ହଳ କରୁଥିବାବେଳେ ମାନସ ଏବଂ ତାଙ୍କ ପରିବାର ବିରୋଧ କରିବାରୁ ଜୀବନରୁ ମାରିଦେବାକୁ ବିଶ୍ୱନାଥ ଓ ତାଙ୍କ ପୁତ୍ର ଆଶୁତୋଷ ଧମକ ଦେଉଛନ୍ତି । ଏଡି ମାମଲା ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ସେମାନେ ତାହାକୁ ନମାନି ମାନସଙ୍କ ପରିବାରକୁ ହଇରାଣ କରୁଛନ୍ତି । ଏ ସଂପର୍କରେ ମାନସ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଜଣାଇବା ପରେ ମଧ୍ୟ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ବାଧ୍ୟହୋଇ ସେ ନିଜର ପୁତ୍ର କନ୍ୟାଙ୍କ ସହ ଭଦ୍ରକ ଏସ୍‌ପି ବରୁଣ ଗୁଂଟୁପାଲିଙ୍କ ନିକଟରେ ଗୁହାରି କରିଛନ୍ତି । ଏବଂ ତାଙ୍କୁ ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟାୟ ଭିକ୍ଷା କରି ସେଥିରେ ବିଫଳ ହେଲେ ସପରିବାର ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।