Odiapua.com

ଭିଡିଓ ଭାଇରଲ ନେଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ବଲାଙ୍ଗୀର, -୩୧-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ)ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଗତବର୍ଷ ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ସମୟର ଅଶ୍ଳୀଳ ଫଟୋ ଓ ଭିଡିଓ ସେତେବେଳେ ଭାଇରାଲ ହୋଇଥିଲା। ସମ୍ପୃକ୍ତ କଲେଜ ଛାତ୍ରୀ ଶନିବାର ଅପରାହ୍ଣରେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏଥିପାଇଁ ଦାୟୀ ଶିକ୍ଷକଙ୍କ ବିରୋଧରେ ଯୁବତୀଙ୍କ ମା ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି।

ପୋଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଉକ୍ତ ଛାତ୍ରୀଙ୍କ ସହ ମୁରିବାହାଲ ଥାନା ଅଞ୍ଚଳର ଏକଗାଁର ଶିକ୍ଷକଜଣଙ୍କ ସମ୍ପର୍କ ରଖିଆସୁଥିଲେ। ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ପ୍ରତାରଣା କରି ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି। ଉକ୍ତ ଛାତ୍ରୀଙ୍କୁ ବାହା ହେବାକୁ ରୋକଠୋକ ମନା କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ। ମୃତଦେହ ଏବେ ଟିଟିଲାଗଡ଼ ଡାକ୍ତରଖାନାରେ ରଖାଯାଇଛି। ଝିଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରୀଙ୍କ ମା ଏତଲାରେ ଦର୍ଶାଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି।