Odiapua.com

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଜନ ୧ ର ନିର୍ବାହି ଯନ୍ତ୍ରୀ, ୧୦ଲକ୍ଷ ଟଙ୍କା ଜବତ

ମାଲକାନଗିରି, ୨୫/୩ (ଓଡ଼ିଆ ପୁଅ) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଜନ ୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାଶ।

ଶ୍ରୀ ଦାଶ ଆଜି ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ନିକଟରେ ଥିବା ଡି ସି ବି ବ୍ୟାଙ୍କକୁ ନଗଦ ୧୦ ଲକ୍ଷ ଟଙ୍କା ନେଇ ଡିପୋଜିଟ କରିବାକୁ ଯାଇଥିବା ଖବର ପାଇ ମାଲକାନଗିରି ଭିଜିଲାନ୍ସ ଟିମ ବ୍ୟାଙ୍କରେ ଚଢ଼ଉ କରିଥିଲେ। ଏତେ ଟଙ୍କା କେଉଁଠୁ ଆଣିଲେ ଓ କାହାନିକଟକୁ ପଠାଉଛନ୍ତି ତା’ର ସଠିକ ଉତ୍ତର ଦେଇ ପାରିନଥିବାରୁ ତାଙ୍କ ଠାରୁ ଏହି ଟଙ୍କା ଜବତ କରିବା ସହ ତାଙ୍କୁ ଭିଜିଲାନ୍ସ ଧରି ଅଫିସକୁ ନେଇ ପଚରା ଉଚରା କରିଥିଲେ।

ତେବେ ସେ ଏହି ଟଙ୍କା କେଉଁଠାରୁ ଆଣିଲେ ତାହାର ସଠିକ ଜବାବ ଦେଇନପାରିବାରୁ ଭିଜିଲାନ୍ସ ଟିମ ନିର୍ବାହ ଯନ୍ତ୍ରୀ ଶ୍ରୀ ଦାଶଙ୍କୁ ଗିରଫ କରିଥିଲେ। ଏଥି ସହ ଭିଜିଲାନ୍ସ ଟିମ ପକ୍ଷରୁ ମାଲକାନଗିରି ରେ ଥିବା ତାଙ୍କର ବାସଭଵନ ଓ କାର୍ଯ୍ୟାଳୟ ରେ ମଧ୍ୟ ଯାଞ୍ଚ ଚାଲିଥିବା ଜଣାପଡିଛି।

ପ୍ରକାଶ ଥାଉ କି, ଏଥିପୂର୍ବରୁ ମଧ୍ୟ ଏହି ଆରଡ଼ି -୧ ର ୨ ଜଣ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଧରା ପଡ଼ିଥିବା ଟଙ୍କା ମାର୍ଚ୍ଚ ମାସରେ ହୋଇଥିବା କାମ ବିଲର ପିସି ବୋଲି ସାଧାରଣରେ ଆଲୋଚନା ହେଉଛି। ଗତ କିଛିଦିନ ତଳେ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ମଧ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ନିର୍ବାହି ଯନ୍ତ୍ରୀଙ୍କ ନିଜ ପୈତୃକ ଗୃହ ଯାଜପୁର ଠାରେ ଭିଜିଲାନ୍ସ ଦ୍ୱାର ଚଢଉ ଜାରିରହିଛି।