Odiapua.com

ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

ବାଲିଗୁଡା ୨୨-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି। ସକାଳୁ ସକାଳୁ ବାପା ବାଞ୍ଛା ମଲିକ, ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ଥ ଜଙ୍ଗଲକୁ ଶିଆଳି ପତ୍ର ତୋଳିବା ପାଇଁ ଯାଇଥିବାବେଳେ ଜଙ୍ଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ସ୍ତ୍ରୀ ବୁଡାଳି ମଲିକର ମୃତ୍ୟୁ ଘଟିଥିଲା। ଏମାନଙ୍କ ଘର ଵାଟଗୁଡ଼ା ନିକଟ ଟଙ୍ଗମ ଗ୍ରାମରେ। ଆହତ ବାପ ଓ ଝିଅଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ତୁମୁଡିବନ୍ଧ ରେଞ୍ଜର ଲଳିତ ନାୟକ, ବାଟାଗୁଡା ସରପଞ୍ଚ ପ୍ରତାପ ମଲିକ ପହଂଚି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବିଷୟ ଥାନାଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି।