Odiapua.com

ଭାଲୁ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ନବରଙ୍ଗପୁର ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ନବରଙ୍ଗପୁର, ଜିଲ୍ଲାର ଝରିଗାଁ ବ୍ଳକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମର ଜଣେ ବୃଦ୍ଧଙ୍କର ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଶନିବାର ସକାଳୁ ଟିପା ଗୁଡା ଗ୍ରାମର ବନସିଂ ଗୌଡ଼ ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ସମୟରେ ଏକ ଜଙ୍ଗଲୀ ଭାଲୁର ସାମ୍ନା ସାମ୍ନି ହୋଇ ଯାଇଥିଲେ। ବନସିଂ ଗୌଡ଼କୁ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ପରେ ବନସିଂ ଚିତ୍କାର କରିବାରୁ ଚିତ୍କାର ଶୁଣି ଆଖ ପାଖର ଲୋକେ ଆସି ପାଟି କରିବାରୁ ଭାଲୁଟି ବନସିଂକୁ ଛାଡି ଦୌଡି ଜଙ୍ଗଲକୁ ପଳାଇଥିଲା। ତେବେ ଭାଲୁ ଆକ୍ରମଣରେ ବନସିଂ ଗୌଡ଼ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି। ଭାଲୁ ଆକ୍ରମଣରେ ଗୁରୁତର ଭାବେ ଆହାତ ହୋଇଥିବା ବୃଦ୍ଧଙ୍କୁ ଉଦ୍ଧାର କରି ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ହେଁ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ଜଙ୍ଗଲ କ୍ଷୟ ଯୋଗୁଁ ବାରମ୍ବାର ଏଭଳି ଘଟଣା ମାନ ଦେଖିବାକୁ ମିଳୁଛି।