Odiapua.com

ଭାରତ ବନ୍ଦ ସଫଳ କରିବାକୁ ଶ୍ରମିକ ସଂଗଠନଙ୍କ ବ୍ୟାପକ ପ୍ରଚାର

ବାଲେଶ୍ୱର, ୨୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ):୨୬ ତାରିଖର ସର୍ବଭାରତୀୟ ସାଧାରଣ ଧର୍ମଘଟ ବା ଭାରତ ବନ୍ଦକୁ ବାଲେଶ୍ୱର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ବ୍ୟାପକ ପ୍ରଚାର ଅଭିଯାନ ଗତ ୫ ଦିନ ଧରି ଚାଲିଅଛି। ଗତ ମଙ୍ଗଳବାରଦିନ ସନ୍ଧ୍ୟାରେ ଶତାଧିକ ମୋଟରସାଇକେଲ୍ ଆରୋହୀ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ବିରୁଦ୍ଧରେ ସ୍ଳୋଗାନ୍ ଦେଇ ସହର ଓ ସହରତଳି ଅଞ୍ଚଳ ପରିକ୍ରମା କରିଥିଲେ। ବୁଧବାର ଦିନ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ଶ୍ରମିକନେତାମାନେ ଦାବି ଓ ଭାରତବନ୍ଦ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିବାର ଦେଖାଯାଇଥିଲା। ସେହିପରି ଗତ ୫ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାକବାଜି ଯନ୍ତ୍ର ଧରି ୨୬ ତାରିଖ ଭାରତବନ୍ଦକୁ ବାଲେଶ୍ୱର ଜିଲ୍ଲାରେ ସଫଳ କରିବାକୁ ନିବେଦନ କରାଯାଇଛି। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ବ୍ୟାଙ୍କ୍‌, ବୀମା, ପ୍ରତିରକ୍ଷା, ଡାକ ଓ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଏହି ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ମିଳିତ ମଞ୍ଚ ଟିୟୁଏସିସି ଏହାର ନେତୃତ୍ୱ ନେଇଛି। ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଏହି ପ୍ରଚାର ଅଭିଯାନରେ ସୁରେଶ ଚନ୍ଦ୍ର ବେହେରା, ବିକାଶ ଦାସ, ଅରୁଣ ସ୍ୱାଇଁ, ଶମ୍ଭୁନାଥ ଦାସ, ଭାଗବତ ପ୍ରତିହାରୀ, ପ୍ରେମରଞ୍ଜନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ସେକ୍ ସଲାଉଦ୍ଦିନ୍‌, ନିକୁଞ୍ଜ ବସନ୍ତ ରାୟ, ନିର୍ମଳ ନାୟକ, ଯତୀନ୍ ପାତ୍ର, ପରମେଶ୍ୱର ପାତ୍ର, ଶ୍ୟାମସୁନ୍ଦର ଜେନା, ଭରତ ଚନ୍ଦ୍ର ସେଠୀ, ବନ୍ଦନା ବିଶ୍ୱାସ, ରାଜକିଶୋର ଲେଙ୍କା, ଶାନ୍ତନୁ ଦାସ, ଅରୁଣ ଜେନା, ନିରାକାର ପାଣ୍ଡବ, ଉମାକାନ୍ତ ଦାସ ଓ ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ନେତୃତ୍ୱ ନେଇଥିବାର ଦେଖାଯାଇଥିଲା।