Odiapua.com

ଭାରତୀୟ ସେନା ସହ ଜଡ଼ିତ ପାହାଡ଼ିଆନ୍ ସ୍ପୋର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ଧାମନଗର ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ବଂଟନ

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ବନ୍ୟା ବିପର୍ଯ୍ୟୟ ଯୋଗୁଁ ଦୁର୍ଦ୍ଦଶାରେ ଥିବା ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଆଗେଇ ଆସିଛି ପାହାଡ଼ିଆନ୍ ସ୍ପୋର୍ଟସ୍ ଫାଉଣ୍ଡେସନ୍‌। ଭାରତୀୟ ସେନା ସହ ଜଡ଼ିତ ଏହି ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ବୟାଙ୍ଗଡିହି ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳରେ ପହଂଚି ପୀଡ଼ିତ ପରିବାରଙ୍କୁ ଶୁଖିଲା ଖାଦ୍ୟ, ଔଷଧ ଓ ପାଲ ବଂଟନ କରାଯାଇଛି। ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ଭାରତୀୟ ସେନାର କର୍ଣ୍ଣେଲ୍ ବି.ଏନ୍‌. ଦାସ, ସହ-ପ୍ରତିଷ୍ଠାତା ଚିତରଞ୍ଜନ ମୁର୍ମୁ, ନିର୍ଦ୍ଦେଶିକା ସ୍ୱେତା ଦାସ ଓ ସଲମା ମାଝୀଙ୍କ ଉଦ୍ୟମରେ ଏହି ସହାୟତା ପ୍ରଦାନ କରାଯାଇଥିଲା। ବନ୍ୟା ପରି ଦୁର୍ବିପାକ ସମୟରେ ଅସହାୟ ପରିବାରଙ୍କ ପାଖରେ ଠିଆ ହେବା ସହ ଆଗାମୀ ଦିନରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସହଯୋଗ ଜାରି ରହିବ ବୋଲି ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟରେ ସେନା କର୍ମଚାରୀ ଆଲୋକ ସାହୁଙ୍କ ସମେତ ନିତ୍ୟାନନ୍ଦ ସାହୁ, ଲୋକନାଥ ସାହୁ, ଅନୁ ସାହୁ, ଅଜୟ ସାହୁ ଓ ଦୁଆରି ଜେନା ପ୍ରମୁଖ ସହଯୋଗ କରିଥିଲେ। ପାହାଡ଼ିଆନ୍ ସ୍ପୋର୍ଟସ୍ ଫାଉଣ୍ଡେସନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଗରିବ ଓ ଅସହାୟ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବା ସହ କ୍ରୀଡ଼ା କ୍ଷେତ୍ରରେ ପ୍ରତିଭାବାନ ଗରିବ ପିଲାଙ୍କୁ ଦେଶ ଓ ବିଦେଶରେ ଖେଳିବା ପାଇଁ ସହାୟତା ଯୋଗାଇବା। ଏହା ସହ ବିପତି ସମୟରେ ଅସହାୟଙ୍କୁ ସହଯୋଗ କରିବା ଫାଉଣ୍ଡେସନ୍‌ର ସାମାଜିକ ଦାୟିତ୍ୱ ବୋଲି କୁହାଯାଇଛି।