Odiapua.com

ଭାରତୀୟ ମଜଦୁର ସଂଘ ବୈଠକରେ ଧାମରା ବନ୍ଦର ମନାମାନୀରେ ଚାଲୁଥିବା ନେଇ କ୍ଷୋଭ, ଆଗାମୀ ଦିନରେ ସଂପୂର୍ଣ କାର୍ଯ୍ୟବନ୍ଦ କରିବାକୁ ଚେତାବନୀ।

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କର୍ତୁପକ୍ଷଙ୍କ ମନାମାନୀରେ ବଳି ପଡିଛନ୍ତି କାର୍ଯ୍ୟରତ ଶ୍ରମିକ।ଆଗାମୀ ଦିନରେ ଏହି ଶ୍ରମିକ ମାରଣ ନୀତକୁ ସଂପୂର୍ଣ ଭାବରେ ବିରୋଧ କରାଯିବା ସହ ରାଜ୍ୟ ଶ୍ରମ ଆୟୋଗ, ଶ୍ରମ ସଂପାଦକ, ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ଧାମରା ବନ୍ଦର ଏବଂ ଧାମରା ଏଲ ଏନ ଜି ଟର୍ମିନାଲ ଆଗରେ ସଂପୂର୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଭାରତୀୟ ମଜଦୁର ସଂଘ ପକ୍ଷରୁ ଏ ନେଇ ଏକ ବିବୃତି ପ୍ରକାଶ ପାଇଛି। ଆଜି ଦୋସିଙ୍ଗା ଠାରେ ଥିବା ଭାରତୀୟ ମଜଦୁର ସଂଘର ଅଫିସରେ କୋବିଦ ନିୟମକୁ ପାଳନ କରିବା ସହ ସାମଜିକ ଦୂରତା ରକ୍ଷାକରି ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ଶାନ୍ତନୁ କୁମାର ମହାପାତ୍ର, ଭଦ୍ରକ ଜିଲ୍ଲା ସଂପାଦକ ମୁକ୍ତିକାନ୍ତ ସାହୁ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ରସେଖର ଜେନା, ସଂପାଦକ ପ୍ରଫୁଲ ସେଠୀ, ଉପ ସଭାପତି ବିଜୟ ପ୍ରତାପ ଜେନା, କୋଷାଧ୍ୟକ୍ଷ ମନୋଜ ଲେଙ୍କା, ସହ ସଂପାଦକ ଲକ୍ଷ୍ମୀକାନ୍ତ ଦାସ ଏବଂ ଶଶିକାନ୍ତ ସାହୁ ପ୍ରମୁଖ ହୋଇଥିବା ଜରୁରୀ ବୈଠକରେ ଯୋଗ ଦେଇଥିଲେ। ବିଗତ ଦିନରେ ବହୁବାର ଶ୍ରମିକ ମାନଙ୍କ ହିତ ପାଇଁ ଭାରତୀୟ ମଜଦୁର ସଂଘ ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସହ ସଭାପତି, ମାନବ ସମ୍ବଳ ବିଭାଗ ମୁଖ୍ୟ, ଭଦ୍ରକ ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ, ରାଜ୍ୟ ଶ୍ରମ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରି ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଦରମା ବୃଦ୍ଧି ଦାବି କରିବା ସହ, ଧାମରା ଗ୍ୟାସ ଟର୍ମିନାଲ କେନ୍ଦ୍ରୀୟ ପ୍ରକଳ୍ପ ହୋଇଥିବା ବେଳେ ଏଠାରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ କେନ୍ଦ୍ରୀୟ ଶ୍ରମ ବେତନ ଅନୁଯାୟୀ ଦରମା ଦେବା ସହ ଇପିଏଫ, ଓାଜେସ ସ୍ଲିପ ଏବଂ କେନ୍ଦ୍ରୀୟ ନିରାପତା ନିୟମାନୁଯାୟୀ ଶ୍ରମିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏକ ୨୩ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରିଥିଲେ। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାମରା ବନ୍ଦର ମୁଖ୍ୟ ଏହି ସମସ୍ତ ଦାବିକୁ ଅଗ୍ରାହ୍ୟ କରୁଛନ୍ତି ଫଳରେ ଆଜି ଭଳି ଦିନରେ ବହୁ ଠିକାଦାର ଏବଂ ଧାମରା ବନ୍ଦର କର୍ତୁପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁ ଶ୍ରମିକ ମାନେ ଶୋଷଣର ଶିକାର ହେଉଛନ୍ତି। ଆଗାମୀ ଦିନରେ ଏହାର ଦୃଢ ପ୍ରତିବାଦ କରାଯିବା ସହ ଶ୍ରମ ବିଭାଗୀୟ ଅଫିସ ଧାମରା ବନ୍ଦର, ଧାମରା ଏଲଏନଜି ଟର୍ମିନାଲ ଅଫିସ ଆଗରେ ପ୍ରତିବାଦ କରାଯିବା ସହ ଦରକାର ପଡିଲେ ଶ୍ରମିକ ମାନଙ୍କ ହିତ ପାଇଁସଂପୂର୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି। ଏନେଇ ଭାରତୀୟ ମଜଦୁର ସଂଘ ଲିଖିତ ଭାବରେ ରାଜ୍ୟ ସରକାର ତଥା ଧାମରା ବନ୍ଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଛନ୍ତି।